ଭୁବନେଶ୍ବର: ଦିନକ ପରେ ହିନ୍ଦୁ ଧର୍ମର ପବିତ୍ର ପର୍ବ କାର୍ତ୍ତିକ ପୂର୍ଣ୍ଣିମା । ଆଉ ଏହି କାର୍ତ୍ତିକ ପୂର୍ଣ୍ଣିମାରେ ପୂର୍ବ ପରମ୍ପରା ଅନୁଯାୟୀ ନଦୀରେ ଡ଼ଙ୍ଗା ଭସା ଯାଇଥାଏ । ସଭିଏଁ ଏହି ପର୍ବକୁ ବେଶ ଧୂମଧାମରେ ପାଳନ କରିଥାନ୍ତି । ଗତ ଦୁଇ ବର୍ଷ କୋରୋନା କଟକଣା ଯୋଗୁଁ ଡଙ୍ଗା ଭସା ଫିକା ପଡିଥିବା ବେଳେ ଚଳିତ ବର୍ଷ ଡଙ୍ଗା ଭସାଇବା ପାଇଁ ନଦୀ ତଥା ପୋଖରୀ ଗୁଡିକରେ ଲୋକଙ୍କ ଭିଡ ଜମିବ ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ବିନ୍ଦୁସାଗର, କୁଆଖାଇ ଓ ଦୟା ନଦୀ ପଠା ସମେତ ସହରର ବିଭିନ୍ନ ପ୍ରମୁଖ ଜଳାଶୟରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ନଦୀ ପଠା ସହ ଘାଟର ସଫେଇ କରାଯାଇଛି । ଏଥି ସହ ଆକର୍ଷଣ ପାଇଁ ଆଲୋକି କରଣର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେପଟେ ଡଙ୍ଗା ଭସା ପରେ ଜଳାଶୟର ସଫେଇ ପାଇଁ ମଧ୍ୟ ବିଭିନ୍ନ ଠିକା ସଂସ୍ଥାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଭୁବନେଶ୍ବର ମେୟର କହିଛନ୍ତି ।
ଏନେଇ ଭୁବନେଶ୍ବର ମେୟର ସୁଲୋଚନା ଦାସ କହିଛନ୍ତି, ''ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା, ଜଳାଶୟ ଗୁଡିକରେ ବୋଇତ ବନ୍ଦାଣ ହେବ । ତେଣୁ ଭୁବନେଶ୍ବରରେ ଯେଉଁ ପୋଖରୀ ଗୁଡିକରେ ବୋଇତ ବନ୍ଦାଣ ହୁଏ ସେହି ସ୍ଥାନ ଗୁଡିକୁ ବିଏମସି ତରଫରୁ ସଫେଇ କରାଯାଇଛି । ଚନ୍ଦ୍ର ଗ୍ରହଣ ଥିବାରୁ ପୂଜାବିଧି ବନ୍ଦ ରହିବ । ତେଣୁ ରାତିରେ କିଭଳି ଲୋକ ମାନେ ଡଙ୍ଗା ଭସାଇ ପାରିବେ ସେଥି ପ୍ରତି ଦୃଷ୍ଟି ଦିଆଯାଇଛି । ଆଲୋକି କରଣର ମଧ୍ୟ ବ୍ୟବସ୍ଥା କରାଯାଇଛି ।''
ଏହା ମଧ୍ୟ ପଢନ୍ତୁ-ରାତି ପାହିଲେ ବାଲିଯାତ୍ରା, ନିୟୋଜିତ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ
ସେହିପରି ଆସନ୍ତାକାଲି ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଆଜି ରାଜ୍ୟର କିଛି ସ୍ଥାନରେ ଡଙ୍ଗା ଭସା ପର୍ବ କରଯାଇଥିଲା । ଆଜି ସକାଳୁ କଟକ ଭୁବନେଶ୍ୱରରୁ ଲୋକେ ଆସି ପ୍ରଭୁ ଗଡ଼ ଗଡେଶ୍ୱରଙ୍କୁ ଦର୍ଶନ କରିବା ସହିତ ବେଶ ଉତ୍ସାହର ସହ ଡଙ୍ଗା ଭସାଇଥିଲେ । ଚନ୍ଦ୍ର ଗ୍ରହଣ ପାଇଁ ମଙ୍ଗଳବାର ବନ୍ଦ ରହିବ ମା' ତାରିଣୀଙ୍କ ଦର୍ଶନ । ଦେବକାର୍ଯ୍ୟ ମଧ୍ୟ ବନ୍ଦ ରହିବ । ସନ୍ଧ୍ୟା ୬ ଘଣ୍ଟା ୨୧ ମିନିଟ ପରେ ମା ତାରିଣୀଙ୍କ ଯଥାରୀତି ଦେବନୀତି ଓ ପୂଜା କାର୍ଯ୍ୟ ସମ୍ପାଦନ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା' ଶାରଳା ମନ୍ଦିରରେ ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ନୀତିକାନ୍ତି ଚୂଡାନ୍ତ ହୋଇଛି । ସକାଳ 6ଟାରୁ ଦେବନୀତି ବନ୍ଦ ରହିବା ସହ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର