ଖୋର୍ଦ୍ଧା: ଆଖି ନଥାଇ ମଧ୍ୟ ସେ ବୁଝିଛନ୍ତି ‘ଧର୍ମ ଏକା ସିନା ମହତ ପଣିଆ, ଆଉ ସବୁ ଏଠି ଅଢେଇ ଦିନିଆ ।’ ଦୁନିଆକୁ ଦେଖି ନପାରିଲେ ମଧ୍ୟ ଜାଣିଛନ୍ତି ଦାନର ମହତ୍ବ । ଆପଣ ଜାଣିଲେ ଆଶ୍ଟର୍ଯ୍ୟ ହେବେ, ରଘୁ ରାଉତ ନାମକ ଏହି ଅନ୍ଧ ଭିକ୍ଷୁକ ଜଣଙ୍କ ନିଜର ଭିକ୍ଷାବୃତିରୁ ସଞ୍ଚିତ ଅର୍ଥକୁ ମନ୍ଦିର ନିର୍ମାଣ ପାଇଁ କରିଛନ୍ତି ଦାନ । ଶହେ କି ଦୁଇ ଶହ ଟଙ୍କା ନୁହେଁ ସେ ଦାନ କରିଛନ୍ତି ନିଜ ଭିକ୍ଷାବୃତ୍ତିରୁ ସଞ୍ଚିତ ଲକ୍ଷେ ଟଙ୍କା ।
ଖୋର୍ଦ୍ଧା ଜିଲ୍ଲା ବାଘମାରୀ ସ୍ଥିତ ହଟନାଥ ହଟକେଶ୍ବର ମହାଦେବଙ୍କ ପ୍ରାଙ୍ଗଣରେ ରୁହନ୍ତି ରଘୁ ମଉସା । ପିଲାଟି ଦିନରୁ ଅନ୍ଧ ହୋଇଥିବାରୁ ପରିବାର ପକ୍ଷରୁ ଅଣଦେଖାର ଶିକାର ହୋଇ ଗାଁ ଛାଡିଥିଲେ ସେ । ଗଞ୍ଜାମ ଅଞ୍ଚଳର ଏହି ବ୍ୟକ୍ତି ପାଖାପାଖି 10 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ବାଘମାରୀ ଅଞ୍ଚଳରେ ରହି ଆସୁଛନ୍ତି । କେତେବେଳେ ବିଭିନ୍ନ ଅଞ୍ଚଳ ବୁଲି ଭିକ୍ଷା ବୃତ୍ତି କରିନ୍ତି ତ, କେତେବେଳେ ରାସ୍ତାରେ ବସି ମାଗନ୍ତି ଭିକ୍ଷା । ଆଉ ଯେଉଁ ଅର୍ଥ ମିଳେ ତାକୁ ନିଜ ପେଟକୁ ମାରି ସଞ୍ଚି ରଖନ୍ତି ଶନି ମନ୍ଦିର ନିର୍ମାଣ ପାଇଁ । ପ୍ରଥମେ 50 ହଜାର ଟଙ୍କା ଦେଇଥିବା ରଘୁ ମଉସା ଏବେ ପୁଣି ଦାନ କରିଛନ୍ତି 50 ହଜାର । ସେପଟେ ଅନ୍ଧ ଭିକ୍ଷୁକ ରଘୁ ରାଉତଙ୍କ ଏହି ନିସ୍ବାର୍ଥପର ମହନତାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ।
କେବଳ ଏତିକିରେ ଅଟକିଯାଇ ନାହାଁନ୍ତି ସେ । ବଂର ମନ୍ଦିରର ମୁଣ୍ଡି ମରିବା ଯାଏଁ ଯେତେ ଅର୍ଥ ଦରକାର ସେତକ ଯୋଗାଡ଼ କରିବେ ବୋଲି ପଣ କରିନେଇଛନ୍ତି ଅନ୍ଧ ଭିକ୍ଷୁକ ରଘୁ ମଉସା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ