ଖୋର୍ଦ୍ଧା: ବଦଳୁଛି ସମୟ , ବୁଡିଯାଉଛି କୂଳ ବେଉସା । ବୈଷୟିକ ଜ୍ଞାନର ବ୍ୟବହାର ଯେତିକି ବଢୁଛି, ବିଭିନ୍ନ ପ୍ରକାର କୌଳିକ ବୃତ୍ତି ସେତିକି ଲୋପ ପାଇବାରେ ଲାଗିଛି । ହାତ ବଦଳରେ ଏବେ ମେସିନ କରୁଛି କାମ ।
ସକାଳ ପାଇଲେ ଆଗରୁ ଗାଁ ଗାଁରେ ଶୁଭୁଥିଲା କମାର ଶାଳର ଠକ ଠକ ଶବ୍ଦ । ନିଆଁ ଝୁଲ ଏବଂ ଲୁହା ସାଙ୍ଗରେ ଲଢ଼ୁଥିବା ମଣିଷ ଟିଏ । ନିଜ ଛୁଆ ପିଲାଙ୍କ ପାଇଁ ନିଜକୁ ସେ ଲୁହାଠୁ ଆହୁରି ଶକ୍ତ ପ୍ରହାର ଦେଉଥିଲା ଆଉ ତିଆରି କରୁଥିଲା ଦୈନନ୍ଦିନ ଆବଶ୍ୟକ ଦା , କାତି, କଟୁରି ଠାରୁ ଆରମ୍ଭ କରି ଅନେକ ଲୁହା ସାମଗ୍ରୀ । ସମୟ ବଦଳି ଯାଇଛି ଆଉ ନୀରବି ଯାଇଛି କମାର ଶାଳରୁ ବାହାରୁ ଥିବା ଶବ୍ଦ। ଆଘ ଭଳି ଶୁଭୁନାହଁ ସେ ଶବ୍ଦ କି ଗାଁ ଲୋକଙ୍କ ମେଳି ମଧ୍ୟ ଦେଖିବାକୁ ମିଳୁନି କମାରଶାଳରେ।
ହଳ ଲଙ୍ଗଳ, ଦା ଆଦି ଜାଗାରେ ଟ୍ରାକ୍ଟର ଏବଂ ପାୱାରଟିଲର କ୍ଷେତରେ କାମ କରୁଛି । ବାଡ଼ି ବଗିଚାରେ ଗଛ କାଟିବା ପାଇଁ ଟାଙ୍ଗିଆ କଟୁରି ଜାଗା ନେଇଛି କଟରମେସିନ । ଖଣି ଖାଦାନରେ ମଧ୍ୟ ଦେଶୀୟ ସରଞ୍ଜାମର ଜାଗା ନେଇଛି ମେସିନ । କମାରର ହାତରେ କାମ ନାହିଁ, ଶାଳ ଚଳାଇବାପାଇଁ ଅଙ୍ଗାର ଓ କୋଇଲା ଉପରେ କଟକଣା।
ପରିବାରର ନୂଆ ପୀଢ଼ି ମଧ୍ୟ ଏହି କୌଳିକ ବୃତ୍ତିକୁ ନାକ ଟେକିଲେଣି । ପୁରୁଷ ପୁରୁଷ ଧରି ଏହି ପେଶାକୁ ଜୀବନଠୁ ଅଧିକ ଭଲ ପାଉଥିବା କମାର କାରିଗର ଟିଏ ଏବେ ଦୀର୍ଘ ନିଶ୍ବାସ ଛାଡି ଅନିଶ୍ଚିତତାରେ ବଞ୍ଚୁଛି ।
ତେବେ ସମୟ ବଡ଼ ବଳବାନ, ସମୟର ଚଲା ରାସ୍ତାରେ କମାର ଶାଳ ହଜିଯିବାକୁ ବସିଥିବା ବେଳେ ନା ଅଛି ସରକାରୀ ସହଯୋଗ ନା ପ୍ରୋତ୍ସାହନ । ଅନ୍ୟ କାରିଗରଙ୍କ ଭଳି କମାର କାରିଗରଙ୍କ ଦକ୍ଷତାକୁ ଅନୁଧ୍ୟାନ କରି ସରକାର ସାମାଜିକ ସୁରକ୍ଷା ଯୋଜନାରେ ସହଯୋଗର ହାତ ବଢାଇବାରେ ଆବଶ୍ୟକତା ରହିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ