ଖୋର୍ଦ୍ଧା: ସମ୍ମାନଜନକ ଇଣ୍ଟର ପାର୍ଲାମେଣ୍ଟ୍ରୀ ୟୁନିଅନ କାର୍ଯ୍ୟନିର୍ବାହୀ କମିଟିକୁ ନିର୍ବାଚିତ ହେବା ପରେ ଗୁରୁବାର ଓଡିଶା ଫେରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏହି ସମୟରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଖୋର୍ଦ୍ଧାରେ ଦଳୀୟ କର୍ମୀ ବିରୋଧ କରିଛନ୍ତି । ଗୁରୁବାର ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ ପରାଜିତାଙ୍କୁ ତୀବ୍ର ନିନ୍ଦା କରାଯାଇଛି । ଦଳୀୟ କର୍ମୀଙ୍କୁ ହତାଦର ଓ ଦଳ କିପରି ତୃଣମୂଳ ସ୍ତରରୁ ମଜଭୁତ ହେବ ସେକଥା ଚିନ୍ତା କରୁନଥିବା ଅଭିଯୋଗ ଆଣି ବିଜେପି କର୍ମୀ ସାଂସଦ ଅପରାଜିତାଙ୍କ ବିରୋଧରେ ବୈଠକ କରିଥିଲେ ।
ସାଂସଦଙ୍କ ଏକଚାଟିଆ ମନବୃତ୍ତି ଓ ଦଳୀୟକର୍ମୀଙ୍କୁ ଅଣଦେଖା ଅଭିଯୋଗ କରି ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର ଗଂପୁର ଠାରେ ୨୨ନଂ ଜୋନରେ ଅନୁଷ୍ଠିତ ବିଜେପି ବୈଠକରେ ସାଂସଦଙ୍କୁ ବିରୋଧ କରାଯାଇଛି । ଏଥିରେ ୬ଟି ମଣ୍ଡଳର କାର୍ଯ୍ୟକର୍ତ୍ତାଙ୍କ ସମେତ ପଞ୍ଚାୟତର କର୍ମକର୍ତ୍ତା ଯୋଗ ଦେଇଥିଲେ । ଯେ ପର୍ଯ୍ୟନ୍ତ ଅପରାଜିତାଙ୍କ ବିରୁଦ୍ଧରେ ଦଳୀୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି, ସେ ପର୍ଯ୍ୟନ୍ତ ଏହିପରି ମେଳି, ବୈଠକ ଚାଲିବ ବୋଲି କହିଛନ୍ତି ବିଜେପି କର୍ମୀ । ଗୁରୁବାର ତୃଣମୂଳ ସ୍ଥରର କର୍ମୀମାନେ ଅପରାଜିତାଙ୍କ ବିରୋଧରେ କ୍ଷୋଭ ପ୍ରକାଶ କରିଥିଲେ । ବେଗୁନିଆ ବୋଲଗଡ଼ ବିଜେପି ପ୍ରଭାରୀ ସୁବାସ ଚନ୍ଦ୍ର ମିଶ୍ର, ବିଜେପି କର୍ମୀ ଦୟାନିଧି ସେଠୀ, ଜଙ୍ଗେଶ୍ଵର୍ ସୁନ୍ଦରାୟ, ଅଜିତ୍ କୁମାର ପଟ୍ଟନାୟକ, ସଞ୍ଜୟ ଛୁଆଲ୍ସିଂ, ପ୍ରମଖୁ ଯୋଗ ଦେଇ ବିଜେପିରୁ ଅପରାଜିତାଙ୍କୁ ହଟାଇବାକୁ ଦୃଢ଼ ଦାବି କରିଥିଲେ ।
ଏହା ମଧ୍ୟ ପଢନ୍ତୁ-କଳାହାଣ୍ଡିରେ ଏକ୍ସ କ୍ୟାଡ଼ର ଶିକ୍ଷକଙ୍କ ଦରମା ହଡ଼ପ ମାମଲା, ଆକାଉଣ୍ଟାଣ୍ଟଙ୍କ ୩ ସହଯୋଗୀ ଗିରଫ
ଗତ ଅଗଷ୍ଟ ମାସରେ ଖୋର୍ଦ୍ଧାରେ ଦଳୀୟ କର୍ମୀ ମାନେ ଏକ ବୈଠକ କରି ସାଂସଦ ଅପରାଜିତା ଷଡଙ୍ଗୀ (Bhubaneswar MP Aparajita Sarangi) ଦଳୀୟ କର୍ମୀଙ୍କୁ ହତାଦର କରି ଅନ୍ୟ ରାଜନୈତିକ ଦଳର କର୍ମୀଙ୍କୁ ଧରି ବିବାଦ ସୃଷ୍ଟି କରୁଥିବା ଅଭିଯୋଗ କରିଥିଲେ । ଦଳ ଭିତରେ ରହି ଅପରାଜିତା, ୟୁଥ ଫର ଆକ୍ସନ ଭଳି ସଂଗଠନ ଗଢ଼ି ଦଳ ବିରୋଧରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ଦଳ କିପରି ତୃଣମୂଳ ସ୍ତରରୁ ମଜଭୁତ ହେବ ସେକଥା ଚିନ୍ତା କରୁନଥିବା ମଣ୍ଡଳ ସଭାପତି ମାନେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ସେହିଭଳି ଦଳୀୟ କର୍ମୀଙ୍କୁ ଅଣଦେଖା କରି ଚର୍ଚ୍ଚାରେ ରହିବାକୁ ସାଂସଦ କାଦୁଅ ବିଲରେ ପଶି ଧାନ ରୋଇବା କେବଳ ବାହାନା ବୋଲି କହିଥିଲେ ଦଳୀୟ କର୍ମକର୍ତ୍ତା ।
ଇଟିଭି ଭାରତ, ଖୋର୍ଦ୍ଧା