ଭୁବନେଶ୍ବର: ମୋଦି ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେପି । ଆସନ୍ତା ଏପ୍ରିଲ ୬ରୁ ଗାଁ ଗାଁ ଚାଲ, ଘର ଘର ଚାଲ ଅଭିଯାନ ଆରମ୍ଭ କରିବ ବିଜେପି ଓବିସି ମୋର୍ଚ୍ଚା । ଏପ୍ରିଲ ୬ ବିଜେପି ପ୍ରତିଷ୍ଠା ଦିବସ ଠାରୁ ୯ ଦିନ ଯାଏ ଦଳ ଏହି ଅଭିଯାନ ଚଳାଇବ । ୯ ଦିନିଆ ଅଭିଯାନରେ ବିଜେପି ଦେଶର ଏକ ଲକ୍ଷ ଗାଁ ଓ ୧୦ ଲକ୍ଷ ଘରେ ପହଞ୍ଚିବ । ଏନେଇ ପ୍ରେସମିଟ ଯୋଗେ ବିଜେପି ଓବିସି ମୋର୍ଚ୍ଚା ଜାତୀୟ ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି ।
ରାଜ୍ଯରେ ଓବିସିମାନଙ୍କୁ ରାଜ୍ୟ ସରକାର ଅଣଦେଖା କରୁଥିବା ବିଜେପି ଅଭିଯୋଗ କରିଛି । କେନ୍ଦ୍ର ସରକାର ଓବିସି ମାନଙ୍କ ପାଇଁ କେତେ ଯୋଜନା କରୁଛନ୍ତି କିନ୍ତୁ ରାଜ୍ୟ ସରକାର କିଛି ପଦକ୍ଷେପ ନେଉନାହାନ୍ତି । ଏହାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଓବିସି ମୋର୍ଚ୍ଚା ପ୍ରସ୍ତୁତି ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ବିଜେପି ଓବିସି ମୋର୍ଚ୍ଚାର ଗାଁ ଗାଁ ଚାଲ ଏବଂ ଘର ଘର ଚାଲ ଅଭିଯାନ ଆରମ୍ଭ ହେବାକୁ ଯାଉଛି । 6 ଏପ୍ରିଲ ବିଜେପି ପ୍ରତିଷ୍ଠା ଦିବସ ଏବଂ 14ରେ ଆମ୍ବେଦକର ଜୟନ୍ତୀ ପର୍ଯ୍ୟନ୍ତ 9 ଦିନିଆ ଅଭିଯାନ କରିବ ବିଜେପି ଓବିସି ମୋର୍ଚ୍ଚା । ଏହି 9 ଦିନିଆ ଅଭିଯାନରେ 1 ଲକ୍ଷ ଗାଁ 10 ଲକ୍ଷ ଘରେ ପହଞ୍ଚିବ ଦଳ । ମୋଦି ସରକାରଙ୍କ 9 ବର୍ଷର ଜନ କଲ୍ୟାଣକାରୀ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବ । ଓବିସିଙ୍କ ପ୍ରତି କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେବ ।
ବିଜେପି ପକ୍ଷରୁ ଆୟୋଜିତ ପ୍ରେସମିଟ୍ରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ଓବିସି ମୋର୍ଚ୍ଚାର ଜାତୀୟ ଉପାଧ୍ୟକ୍ଷ କୃଷ୍ଣା ଗୌର । ଏନେଇ ସେ କହିଛନ୍ତି, "ଓଡ଼ିଶାରେ ଓବିସିଙ୍କ ନ୍ୟାୟ ଏବଂ ଅଧିକାରକୁ ଖଣ୍ଡନ କରିଛନ୍ତି ରାଜ୍ୟ ସରକାର । 27 ପ୍ରତିଶତ ସଂରକ୍ଷଣ କେନ୍ଦ୍ର ଦେଉଥିବା ବେଳେ ରାଜ୍ୟ ସରକାର ସେଥିରୁ ବଞ୍ଚିତ କରିଛନ୍ତି । ବିଜେପି ଓବିସି ମୋର୍ଚ୍ଚା ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ସରକାରଙ୍କ ନିଘାନାହିଁ । ଯଦି ରାଜ୍ୟ ସରକାର ସଂରକ୍ଷଣ ନ ଦିଅନ୍ତି ତାହେଲେ ଏହି ସଂଘର୍ଷ ଆଗକୁ ଯିବ ।"ଅନ୍ୟପଟେ ଓବିସି ଗଣନାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି କୃଷ୍ଣା ଗୌର । ମଧ୍ୟପ୍ରଦେଶ ସରକାର ଡୋର୍ ଟୁ ଡୋର୍ ସର୍ଭେ କରି ଜନଗଣନା କଲେ, ହେଲେ ଓଡ଼ିଶା ସରକାର କରୁଥିବା ସର୍ଭେ ସଠିକ୍ ନୁହେଁ ବୋଲି ସେ କହିଛନ୍ତି ।
ସରକାରଙ୍କ ଇଚ୍ଛା ଶକ୍ତି ଥିଲେ ଟ୍ରିପଲ ଟେଷ୍ଟ୍ କରି ସଂରକ୍ଷଣ ଦେଇ ପାରିଥାନ୍ତେ ହେଲେ ତାହା ନକରି ବିନା ସଂରକ୍ଷଣରେ ନିର୍ବାଚନ କରିଦେଲେ । ତେଣୁ ଏହି ଅଭିଯାନରେ ମୋଦି ସରକାରଙ୍କ 9 ବର୍ଷର ଉପଲବ୍ଧି ସହ ଦଳ ଓବିସିଙ୍କ ପାଇଁ ମୋଦି ସରକାରଙ୍କ କାର୍ଯ୍ୟକ୍ରମ ମଧ୍ୟ ପହଞ୍ଚାଇବ । ଯେଉଁ ରାଜ୍ୟରେ ବିଜେପି ସରକାର ନାହିଁ ସେଠି ଓବିସି ବର୍ଗ କେମିତି ଅବହେଳିତ ହେଉଛନ୍ତି ସେନେଇ ସଚେତନ କରାଯିବ। କାହିଁକି ନା ଅନ୍ୟ ରାଜ୍ୟ ସରକାରମାନେ ଓବିସିଙ୍କ ପ୍ରତି ଭେଦଭାବ କରୁଛନ୍ତି । ବିକାଶ ମୁଖ୍ୟସ୍ରୋତରୁ ଦୂରରେ ରଖୁଛନ୍ତି । ତେଣୁ ତାଙ୍କୁ ନ୍ୟାୟ ଅଧିକାର ଦେବାକୁ ବିଜେପି ଓବିସି ମୋର୍ଚ୍ଚା ଏହି କାର୍ଯ୍ୟକ୍ରମକୁ ଆଗକୁ ନେବ ବୋଲି ବିଜେପି ଓବିସି ମୋର୍ଚ୍ଚା ଜାତୀୟ ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର