ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀଙ୍କୁ ଭି.କେ. ପାଣ୍ଡିଆନଙ୍କ ଟାର୍ଗେଟ ପରେ ବିଜେପିର କାଉଣ୍ଟର । କାହାରି ଅହଙ୍କାର ରହିନାହିଁ କି ରହିବ ନାହିଁ । ବିଜେଡିର ଯେଉଁ ନେତା ଅହଙ୍କାର ରଖି କହୁଛନ୍ତି ଆଗକୁ ତାଙ୍କର ବି ଅହଙ୍କାର ଭାଙ୍ଗିବ । ଏହି ଗର୍ବ ଅହଙ୍କାର ବେଶି ଲମ୍ବା ସମୟ ଯାଏ ରହିବ ନାହିଁ । ଦୁଇ ତିନି ମାସ ଭିତରେ ଚାଲିଯିବ । ୩୪ ବର୍ଷରେ ପଶ୍ଚିମବଙ୍ଗର ସରକାର ବଙ୍ଗୋପସାଗରକୁ ପଳାଇଗଲା । ସିପିଏମ ଦଳକୁ ମାଇକ୍ରୋସ୍କୋପରେ ଖୋଜିବାରୁ ମିଳୁଛି । ଏପର୍ଯ୍ୟନ୍ତ କଂଗ୍ରେସ ବିରୋଧୀ ଦଳର ହୋଇପାରୁନାହିଁ । ଏଭଳି କଡ଼ା ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
ବୁଧବାର ପାଣ୍ଡିଆନ ଧାମନଗର ଗସ୍ତରେ ଯାଇଥିଲେ । ସେଠାରେ ନାଁ ନନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗଟେ କରିଥିଲେ । ସେ କହିଥିଲେ, ଧାମନଗରରେ ଉପନିର୍ବାଚନ ହୋଇଥିଲା । ଯିଏ ବିଜେପି ପ୍ରାର୍ଥୀଙ୍କ ପ୍ରଚାର ମଙ୍ଗ ଧରିଥିଲେ ସେ ପ୍ରଚାର ବେଳେ ଧାମନଗର ଆସି ଶତାଧିକ ପ୍ରତିଶ୍ରୁତି ଦେଇଥିଲେ । ବିଜେପି ପ୍ରାର୍ଥୀ ବିଜୟୀ ହେବା ପରେ ତାଙ୍କର ଦେଖାନାହିଁ । ଏପରିକି ଧନ୍ୟବାଦ ଦେବାକୁ ମଧ୍ୟ ଆସିନଥିଲେ । ଏହାକୁ ନେଇ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଏକ ସାମ୍ବାଦିକ ସମ୍ମିଳନୀ କରି ପାଣ୍ଡିଆନଙ୍କୁ ଜବାବ ଦେଇଛନ୍ତି । ପାଣ୍ଡିଆନଙ୍କ ନାଁ ନେଇ ଅଭିଯୋଗକୁ ହାସ୍ୟାସ୍ପଦ କହିଛନ୍ତି ସୂରଜ । ଧାମନଗରବାସୀ ଜାଣିଛନ୍ତି ବିଜେପି କ'ଣ ବୋଲି ସେ କହିଛନ୍ତି ।
ସେହିପରି ଭି.କେ. ପାଣ୍ଡିଆନ ଗୁରୁବାର ଅନୁଗୁଳ ଗସ୍ତରେ ଯାଇ ପୁଣିଥରେ ଟାର୍ଗଟେ କରିଛନ୍ତି କେନ୍ଦ୍ରମନ୍ତ୍ରୀଙ୍କୁ । ସେ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଅନୁଗୁଳ ପାଇଁ କ'ଣ କରିଛନ୍ତି ? ଜିଲ୍ଲାରେ କେତୋଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଇଛି ଏବଂ କେତୋଟି ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯାଇଛି ?
ଏହାର ଜବାବରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "କାହାରି ବି ଅହଙ୍କାର ରହିନାହିଁ ରହିବ ବି ନାହିଁ । ବିଜେଡି ଯେଉଁନେତା ଅହଙ୍କାର ରଖି କହୁଛନ୍ତି । ଆଗକୁ ତାଙ୍କର ବି ଅହଙ୍କାର ରହିବନି । ଦୁଇ ତିନି ମାସ ଭିତରେ ଚାଲିଯିବ । ୩୪ ବର୍ଷରେ ପଶ୍ଚିମବଙ୍ଗର ସରକାର ବଙ୍ଗୋପସାଗରକୁ ପଳାଇଗଲା । ସିପିଏମ ଦଳକୁ ମାଇକ୍ରୋସ୍କୋପରେ ଖୋଜିବାରୁ ମିଳୁଛି । ଏପର୍ଯ୍ୟନ୍ତ କଂଗ୍ରେସ ବିରୋଧୀ ଦଳର ହୋଇପାରୁ ନାହିଁ । "
ଏହା ମଧ୍ୟ ପଢନ୍ତୁ...ନାଁ ନନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ, କହିଲେ ଅଞ୍ଚଳର କ'ଣ ବିକାଶ କରିଛ
ସେପଟେ ଆଜି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ବିରୋଧୀ ସାଇବେରିଆନ୍ ଚଢେଇ ଭଳି ଆସନ୍ତି ପୁଣି ଉଡିଯାଆନ୍ତି । ଲୋକଙ୍କ ସହ ତାଙ୍କର ଭଲ ସମ୍ପର୍କ ନାହିଁ । ବିଜେଡି ସବୁବେଳେ ଲୋକଙ୍କ ସହିତ ରହିଆସିଛି । ଏହାର କାଉଣ୍ଟରରେ ସମୀର ମହାନ୍ତି କହିଛନ୍ତି, ଲୋକେ ବିଜେପିକୁ ଗୋଟେ ଦାୟିତ୍ୱବାନ ବିରୋଧୀ ଦଳ ଆସନରେ ବସେଇଛନ୍ତି । ଯଦି ବିଜେପି ସାଇବେରିଆନ ପକ୍ଷୀ ବୋଲି ଶାସକ ଦଳ ଭାବୁଛି, ତାହେଲେ ଭାବୁ କିନ୍ତୁ ସାଧାରଣ ଜନତା ସବୁ ଜାଣିଛନ୍ତି । କ୍ଷମତାରେ କେହି ସବୁ ଦିନ ରହିନାହିଁ । ଗଣତନ୍ତ୍ରରେ କିଏ ଅପରାଜେୟ ନୁହେଁ । ଜୟ ପରାଜୟ ଅଛି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଓଡ଼ିଶାର ସାଢ଼େ ୪ କୋଟି ଜନତା ହେଉଛନ୍ତି ମାଲିକ । ପ୍ରଭୁ ଜଗନ୍ନାଥ ଆମର ଅସ୍ମିତା ଓ ଇଷ୍ଟ ଦେବତା, ସେ ବି ଦେଖୁଛନ୍ତି । ଯେଉଁମାନେ ଏଭଳି ତାତ୍ସଲ୍ୟ କରୁଛନ୍ତି ସେମାନେ ଜାଣି ଗଲେଣି ସେମାନଙ୍କ ପାଦ ତଳୁ ମାଟି ଖସୁଛି । ଗଣତନ୍ତ୍ରରେ ମର୍ଯ୍ୟାଦା ରଖି କଥା କୁହାଯାଏ କିନ୍ତୁ ଏଭଳି ଭାବେ ଶାସକ ଦଳ ବିରୋଧୀ ଦଳକୁ ସାଇବେରିଆନ ପକ୍ଷୀ କହିବା ଇଏ କେବେ ସମୀଚିନ ନୁହେଁ । ଶାସକ ଦଳ ଯାହା ଭାବୁଛି ଭାବୁ, ଆମେ ଜନତାଙ୍କ ପାଇଁ କାମ କରୁଛୁ । ଜନତା ଆମ ମାଲିକ ସେମାନେ ହିଁ ଆମର ନିର୍ଣ୍ଣୟ ନେବେ ।
ଇଟିଭି ଭାରତ, ଭୁବନେଶ୍ୱର