ଭୁବନେଶ୍ବର: ଓଡିଶା ବିଧାନସଭାର ନୂଆ ଉପବାଚସ୍ପତି । କନ୍ଧମାଳ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହେଲେ ଉପବାଚସ୍ପତି । ଉପବାଚସ୍ପତି ଭାବେ ନିର୍ଦ୍ୱନ୍ଦରେ ନିର୍ବାଚନ ହୋଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳର ନେତାମାନଙ୍କୁ ସାଲୁଗା ଧନ୍ୟବାଦ ଅର୍ପଣ କରିଛନ୍ତି । ଅନ୍ୟପଟେ ଭୋଟ ବ୍ୟାଙ୍କ ତିଆରି କରିବା ପାଇଁ ଏହା ବିଜେଡିର ଆଦିବାସୀ କାର୍ଡ ଖେଳ ବୋଲି କହିଛି ବିଜେପି ।
ଆଦିବାସୀ ଭୋଟ ବ୍ୟାଙ୍କ୍ ହାତେଇବା ପାଇଁ ନବୀନଙ୍କ ଆଦିବାସୀ କାର୍ଡ ଖେଳିଥିବା କହିଛି ବିଜେପି । ରାଜ୍ୟ ସରକାର ଆଦିବାସୀ ବିରୋଧୀ ବୋଲି ସେ ନିଜେ ପ୍ରମାଣିତ କରିଛନ୍ତି । ଗତ 14 ତାରିଖରେ ଆଦିବାସୀଙ୍କ ବିରୋଧରେ ଯାଇ ସେମାନଙ୍କ ଜମିକୁ ଅଣ-ଆଦିବାସୀମାନଙ୍କୁ ବିକ୍ରି କରିବା ପାଇଁ ସର୍ତ୍ତାବଳୀ ରଖିଛନ୍ତି । ଏଥିରେ ଆଦିବାସୀମାନଙ୍କ ଜମି ଚାଲିଯିବ । ସେମାନେ ଭୂମିହୀନ ହୋଇଯିବେ । କାଙ୍ଗାଳ ହୋଇଯିବେ । ଆଦିବାସୀମାନଙ୍କୁ କଙ୍ଗାଳ ସଜାଇବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ପ୍ରତ୍ୟାହାର କରିବା ପାଇଁ ବିଜେପି ଏକ ମୁଖ୍ୟ ପ୍ରସଙ୍ଗ ହିସାବରେ ଆଣିବ ଓ ବିଧାନସଭାରେ ଏହାର ଜବାବ ମାଗିବ । ତେବେ କ୍ୟାବିନେଟରେ ଆଦିବାସୀଙ୍କ ଜମି ସଂପର୍କିତ ସଂଶୋଧନକୁ ନେଇ ବିବାଦୀୟ ହୋଇ ପଡ଼ିଥିବା ସରକାର ଛବି ସୁଧାରିବା ଲାଗି ଆଦିବାସୀ କାର୍ଡ ଖେଳିଛି । ଲୋକେ ବିଜେଡିର ଚାଲ ଜାଣିଛନ୍ତି । ଆଗାମୀ ଦିନରେ ଉଚିତ ଜବାବ ଦେବେ ବୋଲି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି । ସେପଟେ ବିଜେପି ଅଭିଯୋଗର ଜବାବ ରଖିଛନ୍ତି ଶାସକ ଦଳର ବିଧାୟକ ଶଶୀଭୂଷଣ ବେହେରା । "ଯାହା ନିଷ୍ପତ୍ତି ହୋଇଛି କଂଗ୍ରେସ ଏହାକୁ ସମର୍ଥନ କରିଛି ଅନ୍ୟ ଦଳ ମାନେ ବି ଆଦିବାସୀ ନେତାଙ୍କୁ ସମର୍ଥନ ଦେବାର ଆବଶ୍ୟକତା ରହିଛି ।"
ଏହା ମଧ୍ୟ ପଢ଼ନ୍ତୁ.....ବିଧାନସଭା ଉପବାଚସ୍ପତି ହେଲେ ସାଲୁଗା ପ୍ରଧାନ, ନିର୍ଦ୍ବନ୍ଦରେ ନିର୍ବାଚିତ
ଉପବାଚସ୍ପତି ହେବା ପରେ ସାଲୁଗା କହିଛନ୍ତି "ମୁଁ ଆଜି ବହୁତ ଖୁସି । ଦୁଇଥର ଆଦିବାସୀ ସଂପ୍ରଦାୟରୁ ବିଧାୟକ ପ୍ରତିନିଧିତ୍ବ କରୁଥିଲି । ଦୁଇ ଦୁଇ ଥର ବିଧାୟକ ଭାବେ ମୁଁ ବିଧାନସଭା ଆସିଛି । କନ୍ଧମାଳର ଜି. ଉଦୟଗିରିର ନିର୍ବାଚନ ମଣ୍ଡଳୀବାସୀ ମୋତେ ଭରସା କରିଛନ୍ତି । ମୋତେ ଆଜି ମୁଖ୍ୟମନ୍ତ୍ରୀ ନିଦ୍ୱନ୍ଦ୍ୱ ରେ ଉପବାଚସ୍ପତି ଭାବେ ମନୋନୀତ କରିଛନ୍ତି । ସର୍ବ ଦଳୀୟ ମୋତେ ଗ୍ରହଣ କରିଛନ୍ତି । ବିରୋଧୀ ଦଳ ନେତା, ଶାସକ ଏବଂ ଓଡ଼ିଶାବାସୀଙ୍କୁ ମୁଁ କୃତଜ୍ଞତା ଜଣାଉଛି । ମୋ ପରି ଆଦିବାସୀ ଲୋକକୁ ମୁଖ୍ୟମନ୍ତ୍ରୀ ଉପବାଚସ୍ପତି ପଦରେ ବସାଇଛନ୍ତି । ମୋ ଜିଲ୍ଲାବାସୀ ଓ ଆଦିବାସୀ ଭାଇ ଭଉଣୀମାନେ ବହୁତ ଖୁସି । ଏଥିପାଇଁ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ।"
ଇଟିଭି ଭାରତ, ଭୁବନେଶ୍ବର