ଭୁବନେଶ୍ବର: ଦୟାସେତୁ ଠାରୁ ଟିକରପଡା ପଞ୍ଚାୟତର କଲ୍ୟାଣପୁର ଶାସନ ଗ୍ରାମ ପର୍ଯ୍ୟନ୍ତ ନଦୀ ବନ୍ଧ ରାସ୍ତାର ଦୟନୀୟ ଅବସ୍ଥାକୁ ନେଇ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପିର ଏକାମ୍ର ଗ୍ରାମୀଣ ମଣ୍ତଳ ତରଫରୁ ପ୍ରତିବାଦ କରାଯାଇଛି । ଦୟାନଦୀ ବନ୍ଧ ରାସ୍ତା ସମସ୍ୟାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରୀ ରହିବ ବିଜେପି ଏକାମ୍ର ଗ୍ରାମୀଣ ମଣ୍ତଳ ତରଫରୁ କୁହାଯାଇଛି ।
ଏକାମ୍ର ନିର୍ବାଚନ ମଣ୍ଡଳୀର ଦୟାସେତୁ ଠାରୁ ଟିକରପଡା ପଞ୍ଚାୟତର କଲ୍ୟାଣପୁର ଶାସନ ଗ୍ରାମପର୍ଯ୍ୟନ୍ତ ନଦୀ ବନ୍ଧର ରାସ୍ତା ଅତି ଦୟନୀୟ ହୋଇପଡିଛି । ରାସ୍ତା ନିର୍ମାଣ ପାଇଁ ଅନେକ ଥର ଦାବି ପରେ କେହି ଏକଥାକୁ କର୍ଣ୍ଣପାତ କରିନାହାଁନ୍ତି । ନିର୍ବାଚନ ପରେ ନିର୍ବାଚନ ଯାଇଛି । ଭୋଟ ମାଗିବାକୁ ନେତା ପରେ ନେତା ଅଞ୍ଚଳକୁ ଆସିଛନ୍ତି ଆଉ ଯାଇଛନ୍ତି । ନିର୍ବାଚନ ଜିତିଲେ ପ୍ରତିଶ୍ରୁତି ପୁରା କରିବାକୁ କହି ଆଉ ଦେଖା ଦେଇ ନାହାଁନ୍ତି ନେତା ଓ ମନ୍ତ୍ରୀ । ଦୀର୍ଘ ଦିନର ଶାସନ ପରେ ରାଜ୍ୟ ସରକାରଙ୍କର ନଜର ପଡି ନାହିଁ ରାଜଧାନୀର ଦୟା ନଦୀ ବନ୍ଧ ରାସ୍ତା ଉପରେ ।
ନଦୀ ବନ୍ଧ ରାସ୍ତାର ଦୟନୀୟ ଅବସ୍ଥାକୁ ନେଇ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପିର ଏକାମ୍ର ଗ୍ରାମୀଣ ମଣ୍ତଳ ତରଫରୁ ନାଥପୁର ଠାରୁ ଏକ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।ଏଥିରେ ଏକାମ୍ର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ତଥା ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁ ସିଂ ଓ ସମସ୍ତ ସ୍ଥାନୀୟ ଦଳୀୟ ନେତୃବୃନ୍ଦ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଅପାରଗତାର ନାରା ଦେଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର