ଖୋର୍ଦ୍ଧା: ବିଜେପି କର୍ମୀଙ୍କୁ ଆକ୍ରମଣ ଓ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା । ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ବଣ୍ଟନ ସମୟରେ ବିଜେପି-ବିଜେଡ଼ି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ବିଶୃଙ୍ଖଳିତ ଆଚରଣ ପାଇଁ ଦଳରୁ ନିଲମ୍ବିତ ନେଇ ପ୍ରତିକ୍ରିୟା ରଖିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଏପଟେ ଘଟଣା ପରେ ବିଧାୟକଙ୍କ ଗିରଫ ଦାବି ଜୋର ହୋଇଛି ।
ପ୍ରତିକ୍ରିୟାରେ ବିଧାୟକ କହିଛନ୍ତି ମୁଁ ସର୍ବଦା ଜନସାଧାରଣଙ୍କ ପାଇଁ କାମ କରେ ମୋତେ ବିରୋଧ କଲେ ମୁଁ ସେମାନଙ୍କ ସାମ୍ନା କରିବାକୁ ପ୍ରସ୍ତୁତ ଅଛି । ବିଧାୟକ ପ୍ରଶାନ୍ତ ଜଗଦେବ ପୂର୍ବରୁ ମଧ୍ୟ ନିଜ ଦବଙ୍ଗଗିରି ପାଇଁ ବହୁ ବାର ବିବାଦୀୟ ହୋଇଛନ୍ତି । ଘଟଣାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ବିଧାୟକ । ବାସ୍ତବରେ ସେପରି କିଛି ହୋଇନାହିଁ । ବିଧାୟକଙ୍କୁ ବାହୁବଳୀ ଦବଙ୍ଗ କୁହାଯାଉଛି ତାହା ସ୍ବୀକାର କରିଛନ୍ତି ବିଧାୟକ । ଜନ ପ୍ରତିନିଧି ଭାବେ ସେ ଲୋକଙ୍କ ସେବା କରୁଛିନ୍ତି ଏନେଇ ତାଙ୍କୁ ଯଦି ଦବଙ୍ଗଗିରି ଦେଖାଇବା କୁହାଯାଏ ତେବେ ତାଙ୍କର କିଛି କହିବାର ନାହିଁ ବୋଲି କହିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦେବ ।
ସୂଚନାଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହାର ଖବର ପାଇ ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କ ନେତୃତ୍ବରେ ବହୁ ବିଜେପି କର୍ମୀମାନେ ଏହାକୁ ବିରୋଧ କରିବା ସହ ଏନଏସି ଅଞ୍ଚଳରେ ବିଭିନ୍ନ ସମସ୍ୟାକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟିବାକୁ ଉଦ୍ୟତ ହେଉଥିବା ସମୟରେ ହଠାତ ଚିଲିକା ବିଧାୟକ ସେଠାରେ ପହଞ୍ଚିଥିଲେ । ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲେ ।
ପରିସ୍ଥିତି ଏଭଳି ହୋଇଥିଲା ଯେ, ଶେଷରେ ଉଭୟ ଗୋଷ୍ଠୀ ମଧ୍ୟରେ ହାତାହତି ହୋଇଥିଲା । ଗାଡ଼ିରୁ ଓହ୍ଲାଇ ବିଜେପି କର୍ମୀମାନଙ୍କୁ ଅତର୍କିତ ଆକ୍ରମଣ କରିବା ସହ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଗାଳିଗୁଲଜ କରିବା ସହି ମାଡ ମାରିଥିବାର ବିଜେପି ଅଭିଯୋଗ କରିଥିଲା । ଉକ୍ତ ଘଟଣାର ଭିଡ଼ିଓକୁ ସାମ୍ବାଦିକ ଦିବ୍ୟକାନ୍ତ ବେହେରା ନିଜ ମୋବାଇଲରେ କଏଦ କରୁଥିବା ସମୟରେ ଚିଲିକା ବିଧାୟକ ତାଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କ ମୋବାଇଲଟିକୁ ଛଡାଇ ନେଇ ଯାଇଥିବାର ମଧ୍ୟ ଅଭିଯୋଗ ହୋଇଛି । ଉକ୍ତ ଘଟଣାକୁ ନେଇ ବିଜେପି ନଗର ମଣ୍ଡଳ ସଭାପତି ଏବଂ ସମ୍ପୃକ୍ତ ସାମ୍ବାଦିକଙ୍କ ତରଫରୁ ବାଲୁଗାଁ ଥାନାରେ ପୃଥକ ପୃଥକ ଭାବେ ଦୁଇ ଗୋଟି ଏତଲା ଦିଆଯାଇଛି ।
ତେବେ ବାଲୁଗାଁ ଥାନା ପରିସରରେ ଶହ ଶହ ବିଜେପି କର୍ମୀ ଏବଂ ସାମ୍ବାଦିକମାନେ ଜମା ହୋଇଥିବାର ଦେଖିବାକୁ ମିଳିଥିଲା । ଏହା ସହିତ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବିରାଜ ହରିଚନ୍ଦନ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିବା ସହ ବିଧାୟକଙ୍କୁ ତୁରନ୍ତ ଗିରଫ ଦାବିରେ ବାଲୁଗାଁ ଥାନା ପରିସରରେ ଧାରଣାରେ ବସିଥିଲେ । ବିଧାନସଭାରେ ଏହି ଘଟଣା ଉଠାଇବୁ ବୋଲି ପୃଥ୍ବିରାଜ ହରିଚନ୍ଦନ କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ