ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ । ଆଜିକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ସତ ପଦାକୁ ଆସୁନାହିଁ । ବିରୋଧୀ ବିଜେପି ଆଜି ରାଜ୍ୟ ସରକାରଙ୍କୁ ଟାର୍ଗଟେ କରିଛି । ସେପଟେ ନବ ଦାସ ହତ୍ୟାକାଣ୍ଡର ତଦାରଖ କରୁଥିବା ଅବସରପ୍ରାପ୍ତ ଜେପି ଦାସ ନିଯୁକ୍ତି ବେଆଇନ ବୋଲି କହିଛି ବିଜେପି । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ନେଇ ବିଜେପି ନେତା ପିତାମ୍ବର ଆଚାର୍ଯ୍ୟଙ୍କ ପ୍ରେସମିଟ କରି ଏଭଳି ଅଭିଯୋଗ କରିଛନ୍ତି ।
ଏନେଇ ସେ କହିଛନ୍ତି, "ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ କୋର୍ଟ ତଦାରଖ ତଦନ୍ତ ନୁହେଁ । କେଉଁ ଆଦେଶ ବଳରେ ହାଇକୋର୍ଟ ଏକ ତଦାରଖ କମିଟି ବସେଇଛନ୍ତି ତାହାର କପିକୁ ସର୍ବ ସାଧାରଣରେ ରଖନ୍ତୁ । ହାଇକୋର୍ଟ କୌଣସି ଜୁଡିସିଆଲ ଅର୍ଡର କରି ନାହାନ୍ତି ଯେ ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ଅବସରପ୍ରାପ୍ତ ଜଷ୍ଟିସ ଜେପି ଦାସ କରିବେ ବୋଲି । ଜଷ୍ଟିସ ଜେପି ଦାସ ଜୁଡିସିଆରି ଦ୍ବାରା ନିୟୋଜିତ ହୋଇ ନାହାନ୍ତି । ସରକାର ନିଜ ପାପରେ ହାଇକୋର୍ଟଙ୍କୁ ସାମିଲ କରନ୍ତୁ ନାହିଁ । ଏହା ସମ୍ପୂର୍ଣ୍ଣ ବେଆଇନ।"
ଏହା ବି ପଢନ୍ତୁ-ନ୍ୟାୟପାଳିକା ଉପରେ ଭରସା ନରହିଲେ ଗଣତନ୍ତ୍ର ତିଷ୍ଠିବ ନାହିଁ: ବିଜେଡି
ସେ ଆହୁରି କହିଛନ୍ତି, "ସେହିପରି ନବ ଦାସଙ୍କ ସମର୍ଥକ ମାନେ ଆଲୋଚନା କରୁଛନ୍ତି, ହତ୍ୟାକାଣ୍ଡ ପଛରେ ଶାସକ ଦଳର ନେତା ରହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଦାୟିତ୍ବ ଅଛି କି ନାହିଁ ନବ ଦାସଙ୍କ ହତ୍ୟାର ରହସ୍ୟ ଉନ୍ମୋଚନ ହେଉ ବୋଲି । ମୁଖ୍ୟମନ୍ତ୍ରୀ ଚାହୁଁ ନାହାନ୍ତି କି ନବ ଦାସଙ୍କ ହତ୍ୟାକାରୀ କିଏ ତା ଉନ୍ମୋଚିତ ହେଉ ବୋଲି ? ଯଦି ଚାହୁଁଛନ୍ତି ତାହେଲେ ଗୋଟେ ଥାର୍ଡ ପାର୍ଟିକୁ ତଦନ୍ତ ପାଇଁ ଦିଅନ୍ତୁ । ନବ ଦାସ କ୍ରାଇମ କରୁଥିଲେ, ସେ ଜଣେ ଅପରାଧୀ, ମାଫିଆ ଗିରି କରୁଥିଲେ। କିନ୍ତୁ ନବ ଦାସ ଉପରେ ଭରସା କରିଥିଲେ ମୁଖ୍ୟମନ୍ତ୍ରୀ କେମିତି ? ଅପରାଧୀମାନଙ୍କୁ କଣ ମନ୍ତ୍ରୀ କରିଥିଲେ ? ଏହି ହତ୍ୟାକାଣ୍ଡରେ ଷଡ଼ଯନ୍ତ୍ର ରହିଛି ।"
ସେହିଭଳି ମୁଖ୍ୟମନ୍ତ୍ରୀଙ୍କୁ ପିତାମ୍ବର ଆଚାର୍ଯ୍ୟ ଅନେକ ପ୍ରଶ୍ନ କରି କହିଛନ୍ତି, "ମନ୍ତ୍ରୀଙ୍କୁ କାହିଁକି ହତ୍ୟା କରାଗଲା ତଦନ୍ତ ଦ୍ବାରା ସରକାର ଶୀଘ୍ର ସ୍ପଷ୍ଟ କରନ୍ତୁ । କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଶାସକ ଦଳର ଭରସା ନାହିଁ । ତେଣୁ ହାଇକାର୍ଟ ତଦାରଖ କମିଟି କରିଛନ୍ତି । ଜୁଡ଼ିସିଆଲ ତଦନ୍ତ ହେଉଛି କହିବା ମିଛ । ଅବସର ବିଚାରପତି ଜେପି ଦାସଙ୍କୁ କୋର୍ଟ ନିଯୁକ୍ତି କରିନାହାନ୍ତି । ଅପରାଧୀଙ୍କୁ ଖସାଇବାକୁ ଚେଷ୍ଟା କରିଛନ୍ତି । ୩ୟ ପକ୍ଷ ସିବିଆଇ ତଦନ୍ତ କରନ୍ତୁ । ଯେଉଁ ଅଧିକାରୀ ତଦନ୍ତ କରୁଛନ୍ତି ସେ ପ୍ରମାଣ ନଷ୍ଟକାରୀ ଅଧିକାରୀ । ଓଡ଼ିଶାବାସୀ ଜାଣିଛନ୍ତି । ୧୦ଦିନ ହେବ ସବୁ ପ୍ରମାଣ ନଷ୍ଟ କରିସାରିଲେଣି ।"
ଇଟିଭି ଭାରତ, ଭୁବନେଶ୍ବର