ଭୁବନେଶ୍ବର: ଓଡ଼ିଆ ଜାତିର ସ୍ବାଭିମାନ ତଥା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଆଜି ୯୦ତମ ତିରୋଧାନ ଦିବସ । ମଧୁବାବୁଙ୍କ ୯୦ତମ ଶ୍ରାଦ୍ଧ ବାର୍ଷିକୀକୁ ପାଳନ କରିଛି ବିଜେପି । ଏହି ଅବସରରେ ରାଜଭବନ ସମ୍ମୁଖରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା । ଉତ୍କଳ ଅଧିକାର ଏବଂ ସ୍ବାଭିମାନ ପାଇଁ ମଧୁସୂଦନ ଦାସଙ୍କ ତ୍ୟାଗ ଓ ଲଢେଇ ତାଙ୍କୁ ସବୁଦିନ ପାଇଁ ଅମର କରି ରଖିବ ବୋଲି ସେ କହିଛନ୍ତି ।
ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି, "ମଧୁବାବୁଙ୍କ ତିରୋଧାନ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ମୁଁ ନିଜକୁ ସୌଭାଗ୍ୟବାନ ବୋଲି ମନେ କରିଛି । ମଧୁବାବୁ ଦେଶ ପରାଧୀନ ସମୟରେ ଲୋକଙ୍କ ମନରେ ସ୍ବାଧୀନତା ଲାଗି ଜନ ଜାଗରଣ ସୃଷ୍ଟି କରୁଥିଲେ । ଆପଣମାନେ ତାଙ୍କ ବିଷୟରେ ଅବଗତ ରହିଛନ୍ତି । ଉତ୍କଳ ଆନ୍ଦୋଳନର ସେ ପ୍ରଣେତା ଥିଲେ । ଯେତେବେଳେ ଏହି ମହାନ ପୁରୁଷଙ୍କ ଶରଣରେ ଆମେ ଆସିଥାଉ ନିଜକୁ ଭାଗ୍ୟବାନ ବୋଲି ଭାବିଥାଉ । ଆମକୁ ଏଠାରୁ ପ୍ରେରଣା ମିଳିଥାଏ ।"
ଏହା ବି ପଢନ୍ତୁ-ଆଉ ୪ଦିନ ବଢ଼ିଲା ଗୋପାଳର ରିମାଣ୍ଡ ଅବଧି, ନବଙ୍କ ବିକଳ୍ପ ନବୀନ ସ୍ଥିର କରିବେ କହିଲେ ସାରଦା
କେନ୍ଦ୍ରମନ୍ତ୍ରୀଙ୍କ ସହ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ଦଳର ନେତୃବୃନ୍ଦ ଯୋଗ ଦେଇ ପୁଷ୍ପ ଅର୍ପଣ କରିଛନ୍ତି । ସେହିପରି ସମୀର ମହାନ୍ତି କହିଛନ୍ତି, " ଓଡ଼ିଆ ଭାଷା, ସାହିତ୍ୟ ଓ ଶିକ୍ଷାର ପ୍ରସାର କ୍ଷେତ୍ରରେ ମଧୁବାବୁଙ୍କ ଅତୁଳନୀୟ ଅବଦାନ ରହିଛି । ଏହାକୁ ସାକାର କରିବା ଲାଗି ଯୁବଗୋଷ୍ଠୀ ଉଦ୍ୟମ ଜାରି ରଖିଛନ୍ତି । ତେବେ ଏହି ଅମୃତକାଳ ମଧ୍ୟରେ ସେମାନେ ତାକୁ ନିଶ୍ଚିତ ସଫଳ କରିବେ । ଏକ ସମୃଦ୍ଧ ଓଡ଼ିଶା ତିଆରି କରିବା ପାଇଁ ମଧୁବାବୁ ଯେଉଁ ସ୍ବପ୍ନ ଦେଖିଥିଲେ, ପ୍ରତିବର୍ଷ ଏହି ସ୍ଥାନରୁ ହିଁ ଆମେ ପ୍ରେରଣା ପାଇଥାଉ । ଆମମାନଙ୍କ ପାଇଁ ସେ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବେ।"
ଉତ୍କଳର ଗୌରବ ମଧୁବାବୁ ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ କଟକର ସତ୍ୟଭାମାପୁରରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ ଭାଷା ସାହିତ୍ୟ ପ୍ରତି ତାଙ୍କର ବିପୁଳ ଅବଦାନ ରହିଛି । ସେ କୋଲକାତା ବିଶ୍ବବିଦ୍ୟାଳୟରୁ MABLର ଡିଗ୍ରୀ ପାଇଥିବା ପ୍ରଥମ ଓଡିଆ ଥିଲେ । ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା, ଓଡିଆ ଆନ୍ଦୋଳନର ମୁଖ୍ୟ ତଥା ଶିଳ୍ପ ବିକାଶ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ସେ ପ୍ରଥମ ଓଡିଆ ଭାବରେ ବିଧାନ ପରିଷଦର ସଦସ୍ୟ ତଥା କେନ୍ଦ୍ରୀୟ ବିଧାନସଭା ସଦସ୍ୟ ଥିଲେ ଏବଂ ବିଦେଶକୁ ପ୍ରଥମ ଯାତ୍ରା କରିଥିଲେ। ସେ କୁଳବୃଦ୍ଧ ଏବଂ ଉତ୍କଳ ଗୌରବ ମଧୁସୂଦନ ଦାସ ଭାବରେ ମଧ୍ୟ ଜଣାଶୁଣା । ସେ ୧୯୩୪ ମସିହା ଫେବୃଆରୀ ୪ ତାରିଖରେ ମୃତ୍ୟୁବରଣ କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର