ସୁଶାନ୍ତଙ୍କ ମନ୍ତବ୍ୟକୁ ବିରୋଧୀଙ୍କ ଟାର୍ଗେଟ; ସେ ପଶ୍ଚିମ ଓଡିଶାର ମାଲିକ ନୁହନ୍ତି କହିଲା ବିଜେପି - ପିସିସି ସଭାପତି ଶରତ ପଟ୍ଟନାୟକ
ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ମନ୍ତ୍ରୀ ପଦ ନମିଳିବାରୁ ସେ ଅସନ୍ତୋଷ ଥିବା ଚର୍ଚ୍ଚା ହେଉଥିଲା । ତେବେ ଏପରି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ନିଜେ ସୁଶାନ୍ତ । ଏହାସହ ଆସନ୍ତା ନିର୍ବାଚନରେ ପଶ୍ଚିମ ଓଡ଼ିଶାର ସବୁ ବିଧାୟକ ଓ ସାଂସଦ ସିଟ୍ ବିଜେଡି ଜିତିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଏନେଇ ସୁଶାନ୍ତଙ୍କୁ ଘେରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ଅଧିକ ପଢ଼ନ୍ତୁ
ଭୁବନେଶ୍ବର: ମନ୍ତ୍ରୀ ପଦ ନମିଳିବାରୁ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ଅସନ୍ତୋଷ ଥିବା ଚର୍ଚ୍ଚା ହେଉଥିଲା । ତେଣୁ ତାଙ୍କର ମାନଭଞ୍ଜନ କରିବାକୁ ଦଳ ପକ୍ଷରୁ ଚେଷ୍ଟା କରାଯାଉଥିବା କୁହାଯାଉଥିଲା । ତେବେ ଏପରି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ନିଜେ ସୁଶାନ୍ତ । ୨୦୨୨ରେ ମୁଁ ନିଜ ଇଚ୍ଛାରେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲି ଏବଂ ଏବେ ମନ୍ତ୍ରୀ ହେବାକୁ ଲବି କରିନଥିଲି, ତେଣୁ ମୁଁ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଥିଲେ । ଏହାସହ ଆସନ୍ତା ନିର୍ବାଚନରେ ପଶ୍ଚିମ ଓଡ଼ିଶାର ସବୁ ବିଧାୟକ ଓ ସାଂସଦ ସିଟ୍ ବିଜେଡି ଜିତିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଏହାରି ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପ୍ରଦୀପ ପୁରୋହିତ ଓ ପିସିସି ସଭାପତି ଶରତ ପଟ୍ଟନାୟକ ।
ପ୍ରଦୀପ କହିଛନ୍ତି, "ଶୁଶାନ୍ତ ସିଂଙ୍କ ବୟାନରୁ ଜଣାପଡୁଛି ସେ ଭୟଭୀତ । ତୃତୀୟ ମହଲାକୁ ଖୁସି କରିବା ପାଇଁ ସୁଶାନ୍ତ ଏଭଳି ବୟାନ ଦେଇଛନ୍ତି । ପଶ୍ଚିମ ଓଡ଼ିଶାର ସବୁ ବିଧାୟକ ଓ ସାଂସଦ ସିଟ୍ ବିଜେଡି ଜିତିବ ସେ ବାହସ୍ପଟ ମାରୁଛନ୍ତି । ଶୁଶାନ୍ତ ବୋଧହୁଏ ନିଜକୁ ପଶ୍ଚିମ ଓଡିଶାର ମାଲିକ ଭାବୁଛନ୍ତି । ଜଣେ ମାଲିକ ନହେଲେ ଏମିତି କହି ପାରିବନାହିଁ । ସେ ଯାହାକୁ ଚାହିଁବେ ଲୋକ ତାକୁ ଭୋଟ ଦେବେ ସେମିତି ଭାବିବା ଭୁଲ । ତାଙ୍କ ଭିତରେ ଯେଉଁ ଅସନ୍ତୋଷ ଅଛି, ତାକୁ ନିଜେ ସମ୍ଭାଳନ୍ତୁ । ତାଙ୍କ ମନରେ ଗର୍ବ ଥିଲା ଯେ ତାଙ୍କୁ ଛାଡ଼ି ମୁଖ୍ୟମନ୍ତ୍ରୀ କାହାକୁ ମନ୍ତ୍ରୀ କରିବେ ନାହିଁ କି ତାଙ୍କୁ ଛାଡି ବିଜୁ ଜନତା ଦଳ ଆଗକୁ ଯିବ ନାହିଁ । ଏ ସ୍ବପ୍ନ ଭାଙ୍ଗିଗଲା । ତେଣୁ ତାଙ୍କ ସମର୍ଥକମାନେ ଅସନ୍ତୋଷ ଝାଡିଲେ । ତୃତୀୟ ମହଲାରୁ ଯେତେବେଳେ ଚାପ ଆସିଲା, ତେଣୁ ସେ ଭୟଭୀତ ହୋଇଯାଇଛନ୍ତି । ସରକାର ଓ ପୋଲିସର ବିନା ସହାୟତାରେ ତାଙ୍କ କଳା ରାଜୁତି ଚାଲିବ ନାହିଁ । ତେଣୁ ସେ ଭୟଭୀତ ହୋଇ ତୃତୀୟ ମହାଲାକୁ ସନ୍ତୁଷ୍ଟ କରିବା ପାଇଁ ପଶ୍ଚିମ ଓଡିଶାରେ ସବୁ ବିଧାୟକ ଓ ସାଂସଦ ସିଟ ଜିତିବୁ ବୋଲି କହିଛନ୍ତି । ଗତ ୨୪ ବର୍ଷରେ ନବୀନ ସରକାର ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରିପାରିନାହିଁ । ତେଣୁ ପଶ୍ଚିମ ଓଡିଶାବାସୀ ତାର ଉଚିତ ଜବାବ ଦେବେ । ସୁଶାନ୍ତ ସିଂ ପ୍ରଥମେ ତାଙ୍କ କଥା ଚିନ୍ତା କରନ୍ତୁ ।"
ସେହିପରି ଶୁସାନ୍ତ ସିଂ ଓ ବିଜେଡିର ପଶ୍ଚିମ ଓଡିଶା ଫୋକସ ଉପରେ ପିସିସି ସଭାପତି କହିଛନ୍ତି, "ଯେତେ ଅହଂଭାବ ଦେଖାଇଲେ ମଧ୍ୟ କେହି ଶୁଣିବେନି । ପଶ୍ଚିମ ଓଡ଼ିଶା ସବୁବେଳେ ଅବହେଳିତ । ତେଣୁ ବିଜେଡି ସେଠାରେ ଜିତି ପାରିବନାହିଁ । ସେଥିପାଇଁ ପଶ୍ଚିମ ଓଡିଶା ଗଠନ ହେଲା, କିନ୍ତୁ ହେଡ ଅଫିସ ଭୁବନେଶ୍ବରରେ । ଆଦିବାସୀ ବହୁଳ ଅଞ୍ଚଳ ଏ ସରକାର ସମୟରେ ପଛରେ ରହିଛି । ୨୦୨୪ରେ ପରିବର୍ତ୍ତନ ସୁନିଶ୍ଚିତ । ଓଡ଼ିଶାରେ କଂଗ୍ରେସ ସରକାର ଗଠନ ହେବ ଏଥିରେ ସନ୍ଦେହ ନାହିଁ । ୨୩ ବର୍ଷ ଶାସନ ପରେ ବିଜେଡିର ଗର୍ବ ବଢି ଯାଇଛି । ଯେଉଁ ଦଳ ଯେତେ ଗର୍ବ କରିବ, ତାହାର ପତନ ସେତେ ଶୀଘ୍ର । ପଶ୍ଚିମବଙ୍ଗରେ ମଧ୍ୟ ଗୋଟିଏ ସରକାର ଏମିତି ଗର୍ବ କରି ବୁଡିଛି । ରାଜ୍ୟବାସୀ ବୁଦ୍ଧିମାନ, ସେମାନେ ସବୁ ଜାଣିଛନ୍ତି । ବିଜେଡି ଭାବୁଛି ଲୋକମାନେ ଏଠି ଗରିବ । ୫ କିଲୋ ଚାଉଳରେ ଲୋକ ଭୋଟ ଦେବେ । ତାହା ଏଥର ହେବ ନାହିଁ । କଂଗ୍ରେସ ୯ରୁ ୯୦ ନିଶ୍ଚିତ ।
ଇଟିଭି ଭାରତ, ଭୁବନେଶ୍ବର