ଭୁବନେଶ୍ବର: କୋଟିଆରେ ଧର୍ମେନ୍ଦ୍ର ପ୍ରଧାନଙ୍କ 'ଗୋ ବ୍ୟାକ' ନାରା ନେଇ ତେଜିବାରେ ଲାଗିଛି ରାଜନୀତି । ବିଭିନ୍ନ ଦଳଙ୍କ କାଦୁଆ ଫିଙ୍ଗା ନୀତି ଦେଖିବାକୁ ମିଳିଛି । ଉଭୟ ବିଜେପି ଓ ବିଜେଡି କଥା କଟାକଟି କରୁଥିବାବେଳେ କଂଗ୍ରେସ ବି ମନ୍ତବ୍ୟ ଦେଇଛି । ଓଡ଼ିଶା ବିଜେପି କୋଟିଆ ପ୍ରତି କରିଥିବା ଅବହେଳାକୁ ଘୋଡାଇବାକୁ ଚେଷ୍ଟା କରୁଛି ବୋଲି କହିଛି ବିଜେଡି । କୋଟିଆ ନେଇ ପୃଥ୍ୱୀରାଜ ହରିଚନ୍ଦନଙ୍କ ମନ୍ତବ୍ୟ ଉପରେ ବିଜେପି ଉପରେ ବର୍ଷିଛି ବିଜେଡି ।
ବିଜେଡି ମିଡିଆ ପାନେଲିଷ୍ଟ ଇପ୍ସିତା ସାହୁ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି," ଓଡ଼ିଶାରେ ବିଜେପି କୋଟିଆ ପ୍ରତି ଯେଉଁ ଅବହେଳା କରିଛି ତାହା ଦେଖିଲେ ଜଣାପଡୁଛି । ପୃଥ୍ୱୀରାଜଙ୍କ ବାପା ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଥିବା ବେଳେ ଥରେ ବି ସେ କୋଟିଆ ପ୍ରସଙ୍ଗ ଉଠାଇନାହାନ୍ତି । ଏସବୁ କଥା କହିବା ଆଗରୁ ପୃଥ୍ୱୀରାଜଙ୍କୁ ଲଜ୍ଜା ଲାଗିବା କଥା । କୋଟିଆ ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 160 କୋଟି ଟଙ୍କାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । ବିଜେପି ଏହାକୁ ଦେଖିପାରୁନାହିଁ, ଯିଏ ଦେଖି ନପାରେ ସେ ଦୃଷ୍ଟି ରୋଗରେ ପୀଡିତ । ଯେଉଁମାନେ କୋଟିଆ ଭଳି ପ୍ରସଙ୍ଗକୁ ନେଇ ରାଜନୀତି କରୁଛନ୍ତି ତାହା ନକରି କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖନ୍ତୁ । ଲୋକଙ୍କୁ ବିଭ୍ରାନ୍ତି କରନ୍ତୁ ନାହିଁ ।"
ଏହା ମଧ୍ୟ ପଢ଼ନ୍ତୁ: 'ଗୋ ବ୍ୟାକ' ନାରାକୁ ଆନ୍ଧ୍ରର ନିନ୍ଦା, କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ
ବିଜେଡି ଅଭିଯୋଗ ଆଣିଛି ଯେ, ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଥିବାବେଳେ ବିଶ୍ୱଭୂଷଣ ହରିଚନ୍ଦନ ଚାହିଁଥିଲେ ଏହି ସମସ୍ୟାର ସମାଧାନ କରିପାରିଥାନ୍ତେ । ମାତ୍ର ସେ କେବେ ଏଥିପାଇଁ ଉଦ୍ୟମ କରିନାହାନ୍ତି । ତେଣୁ କୋଟିଆକୁ ନେଇ ଶସ୍ତା ରାଜନୀତି କରିବା ଆଗରୁ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଲଜ୍ଜା ଲାଗିବା ଉଚିତ୍ ବୋଲି ବିଜେଡି କହିଛି । କୋଟିଆରେ ରାସ୍ତାଘାଟ, ସ୍କୁଲରୁ ନେଇ ହସ୍ପିଟାଲ ପର୍ଯ୍ୟନ୍ତ ସବୁ କାମ କରାଯାଇଛି । ଏହାପରେ ବି ବିଜେପି ନେତାମାନଙ୍କୁ କିଛି ଦେଖାଗଲାନି । ଏଥିରୁ ଜଣାପଡୁଛି ଯେ, ଓଡ଼ିଶା ବିଜେପି ନେତାମାନେ ଏବେ ଦୃଷ୍ଟିଦୋଷରେ ପୀଡିତ ବୋଲି କହିଛି ବିଜେଡି । କୋଟିଆ ଭଳି ସ୍ପର୍ଶକାତର ପ୍ରସଙ୍ଗରେ ନିମ୍ନମାନର ରାଜନୀତି ବନ୍ଦ କରାଯାଉ । ଏହି ବିବାଦର ସମାଧାନ ପାଇଁ କେନ୍ଦ୍ରରେ ଥିବା ତାଙ୍କ ଦଳର ସରକାରଙ୍କ ପାଖରେ ଦାବି କରନ୍ତୁ । ଏହା ସହିତ ଏଭଳି ନାଟକବାଜି ବନ୍ଦ କରିବାକୁ ବିଜେଡି କହିଛି ।
ଇଟିଭି ଭାରତ, ଭୁବନେଶ୍ବର