ଭୁବନେଶ୍ବର: ରାଜ୍ୟ ରାଜନୀତିକୁ ନେଇ ଚାଲିଛି ସରଗରମ ବୟାନବାଜି । କିଛି ଦିନ ପୂର୍ବରୁ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓଡ଼ିଶାରେ ବିଜେପି ସରକାର କରିବା ନେଇ ଦମ୍ଭୋକ୍ତି ପ୍ରକାଶ କରିଥିଲେ । ଏପରିକି ଓଡିଶାରେ ବିଜେପିର ସରକାର ଗଠନ ହେଲେ ସେ ଶପଥ ଗ୍ରହଣ ସମାରୋହରେ ଆସିବେ ବୋଲି ମଧ୍ୟ କହିଥିଲେ । ସେ କହିଥିଲେ ଯେ , "2019 ନିର୍ବାଚନରେ ଓଡ଼ିଶାରେ 38 ପ୍ରତିଶତ ଭୋଟ ପାଇଥିଲା ବିଜେପି । ମାତ୍ର 4 ପ୍ରତିଶତ ଭୋଟ ବ୍ୟବଧାନ ରହିଥିଲା । ଦେଖୁ ଦେଖୁ ଆଗାମୀ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଗଠନ ହୋଇଯିବ । ମୋଦି ସରକାର ବିଗତ 5 ବର୍ଷ ମଧ୍ୟରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଆସୁଛନ୍ତି । ଓଡ଼ିଶାରେ ବିଜେପିର ସମସ୍ତ କର୍ମକର୍ତ୍ତା ମିଶି ସରକାର କରିବେ ।" ସେପଟେ ନାଁ ନେଇ ବିଜେଡିକୁ ଟାର୍ଗେଟ କରିଥିଲେ ହିମନ୍ତ । ଅନ୍ୟ ପାର୍ଟି ଭଳି ଜଣେ ବ୍ୟକ୍ତିଙ୍କୁ ଆଧାର କରି ଲଢିବା ବିଜେପି ଦଳ କାମ କରେ ନାହିଁ ବୋଲି କହିଥିଲେ ହିମନ୍ତ ବିଶ୍ଵ ଶର୍ମା ।
ସେହିପରି ଆଜି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ରେ କୋଭିଡ଼ ମହାମାରୀ ସମୟ ରେ ୪୦ ହଜାର କୋଟି ଟଙ୍କାର ଦୁର୍ନାତି ଅଭିଯୋଗ କରିଛି ବିଜେପି । ଲୋକାଲ ଫଣ୍ଡ ଅଡିଟ ରୁ ମିଳିଥିବା ତଥ୍ୟ କୁ ନେଇ ବିଜେଡି ସରକାର ଉପରେ ବର୍ଷିଛି ବିଜେପି । ରାଜ୍ୟ ରେ ୫୧ ପ୍ରତିଶତ ପିସି ସରକାର ଚାଲିଥିବା ଅଭିଯୋଗ ଆଣିଛି ବିଜେପି । ବିଜେଡି ସରକାର ଦୁର୍ନୀତିର ପାହାଡରେ ଛିଡା ହୋଇଛି । ପ୍ରତି ବ୍ଲକରେ ୧୦୦କୋଟିରୁ ଉର୍ଧ୍ବ ଟଙ୍କାର ହରିଲୁଟ ହୋଇଛି । ୨୧ ଲକ୍ଷ ୩୭ ହଜାର ବିଧବା ଓ ବାର୍ଦ୍ଧକ୍ୟ ଭର୍ତ୍ତା ଖାଇଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ ... ଓଡ଼ିଶାରେ ବିଜେପି ସରକାର କରିବ, ମୁଁ ଶପଥ ଗ୍ରହଣ ସମାରୋହରେ ଆସିବି: ହିମନ୍ତ ବିଶ୍ୱଶର୍ମା
ଏହାର ପ୍ରତ୍ୟୁତ୍ତରରେ ପରଜଙ୍ଗର ବିଜେଡି ବିଧାୟକ ନୃସିଂହ ଚରଣ ସାହୁ କହିଛନ୍ତି ଯେ ବିଜେପି ଖାଲି ମିଛ ଅଭିଯୋଗ କରୁଛି । ପ୍ରଧାନମନ୍ତ୍ରୀ ଠୁ ଆରମ୍ଭ କରି ରାଜ୍ୟ ନେତା ସମସ୍ତେ ମିଛ କହୁଛନ୍ତି । ରାଜ୍ୟରେ ମିଛୁଆ ରାଧୁଆ ସାଜିଛି ବିଜେପି । ସେହିପରି ଆସାମ ମୁଖ୍ୟମନ୍ତ୍ରୀଙ୍କ ବୟାନର ଜବାବରେ କହିଛନ୍ତି ଯେ ସ୍ବପ୍ନ ଦେଖିବାକୁ କାହାକୁ ମନା ନାହିଁ । କିନ୍ତୁ ଦିବା ସ୍ବପ୍ମ କେବେ ସତ ହୁଏନି । ଓଡିଶାରେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଆସିବ ଓ ଆସାମ ର ମୁଖ୍ୟମନ୍ତ୍ରୀ ଙ୍କୁ ଶପଥ ସମାରୋହ ପାଇଁ ଏବେ ଠାରୁ ନିମନ୍ତ୍ରଣ ଦିଆଯାଉଛି । ଓଡିଶାରେ କୌଣସି ଦୁର୍ନୀତି ହୋଇ ନାହିଁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସ୍ବଚ୍ଛ ନିର୍ମଳ ଭାବମୂର୍ତ୍ତି ପାଇଁ ଦେଶରେ ଖ୍ୟାତି ଅର୍ଜନ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର