ଭୁବନେଶ୍ବର: ମହିଳା ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସ୍ତରୀୟ ମହିଳା ଦିବସ ପାଳିତ । ଦଳୀୟ କାର୍ଯ୍ୟାଳୟରେ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନି ଛୁରିଆଙ୍କ ଅଧ୍ୟକ୍ଷତାରେ ବିଜେଡି କର୍ମକର୍ତ୍ତା ମହିଳା ଦିବସ ପାଳିଛନ୍ତି । ଚଳିତ ବର୍ଷର ଥିମ ରହିଛି ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା । ଆଜିଠାରୁ ମାର୍ଚ୍ଚ 17 ତାରିଖ ଯାଏ ସମସ୍ତ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମହିଳା ସମାବେଶ କରାଯିବ । ମହିଳାଙ୍କ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସଶକ୍ତିକରଣ ଦିଗରେ ବିଜୁ ପଟ୍ଟନାୟକଙ୍କ ଅବଦାନ ଓ ରାଜ୍ୟ ସରକାରଙ୍କ ମହିଳା ବିକାଶ ଯୋଜନା ଉପରେ ଆଲୋଚନା ହୋଇଛି । କାର୍ଯ୍ୟକ୍ରମରେ ଭିସି ଜରିଆରେ ଯୋଡି ହୋଇ ଉଦବୋଧନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ବିଶ୍ୱ ମହିଳା ଦିବସ ପାଳନ ଅବସରରେ ମହିଳା ଏବଂ ବିଜୁ ଜନତା ଦଳର ଲକ୍ଷ ଲକ୍ଷ କର୍ମୀ ମା'ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳା ସଶକ୍ତିକରଣ ବିଜେଡିର ମୁଖ୍ୟ ଫୋକସ୍ । ବିଜୁ ବାବୁ କେବଳ ଓଡିଶା ନୁହେଁ, ସାରା ଭାରତରେ ମହିଳା ସଶକ୍ତିକରଣ ପାଇଁ ନୂଆ ରାସ୍ତା ଦେଖାଇଥିଲେ । ଆଜି ଓଡିଶା ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ ହୋଇଛି । ପଞ୍ଚାୟତ ଓ ପୌରାଞ୍ଚଳରେ ମା' ମାନଙ୍କର ସଂରକ୍ଷଣକୁ 33%ରୁ 50%କୁ ବୃଦ୍ଧି କରାଯାଇଛି । ସଂସଦ ଓ ବିଧାନସଭାରେ ମା'ମାନଙ୍କ ପାଇଁ 33% ସଂରକ୍ଷଣ ଦେବା ପାଇଁ ବିଜୁ ଜନତା ଦଳ ତାର ଲଢେଇ ଜାରି ରଖିବ ।ଆମ ସରକାର ଲୋକଙ୍କୁ ଦେଇଥିବା କିଛି ବି ସୁବିଧା ବନ୍ଦ କରିନାହିଁ । ଆପଣ ଜାଣନ୍ତି କେନ୍ଦ୍ର ସରକାର ଗରିବ ଲୋକଙ୍କ ଚାଉଳରୁ ପାଞ୍ଚ କେଜି କାଟିଦେଲେ ।
ସେହିପରି LPG ଦର ଏବେ ଆକାଶଛୁଆ ହେଲାଣି । ଚାଉଳ କାଟିବା ଓ LPG ଦର ବୃଦ୍ଧି ଯୋଗୁଁ ଆମର ମା' ମାନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି । ମୁଁ କେନ୍ଦ୍ରର ଏଭଳି ମହିଳା ବିରୋଧୀ ପଦକ୍ଷେପକୁ କଡା ଭାଷାରେ ନିନ୍ଦା କରୁଛି । ଆମର ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ମା ମାନଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିଛି । ନିଷ୍ପତ୍ତି ନେବା ପ୍ରକ୍ରିୟାରେ ମହିଳାଙ୍କ ଗୁରୁତ୍ବ ବଢିଛି । ମିଶନ ଶକ୍ତି କାର୍ଯ୍ୟକ୍ରମକୁ ମା ମାନେ ଏକ ସଫଳ କାର୍ଯ୍ୟକ୍ରମ ଭାବେ ଗଢିଛନ୍ତି । SHGରୁ ସେମାନେ ଏବେ ଉଦ୍ୟୋଗୀ ହେବାର ନୂଆ ଯାତ୍ରା ଆରମ୍ଭ କରିଛନ୍ତି । ଆମର ମା ମାନେ ସଶକ୍ତ ଓ ସଫଳ ହୁଅନ୍ତୁ, ଏହା ମୁଁ ଚାହେଁ । ସେମାନଙ୍କ ଦକ୍ଷତା ନୂଆ ଓଡିଶାର ପରିଚୟ ହେଉ । ବିଜୁ ଜନତା ଦଳ ସବୁବେଳେ ମା ମାନଙ୍କ ପାଇଁ କାମ କରୁଛି ଏବଂ କରି ଚାଲିବ ।
ସେହିଭଳି ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନି ଛୁରିଆ କହିଛନ୍ତି ଯେ, ଆନ୍ତର୍ଜାତିୟ ମହିଳା ଦିବସ ଉପଲକ୍ଷେ ଆଜି ମହିଳା ବିଜେଡି ପକ୍ଷରୁ 6 ଟି ପ୍ରସ୍ତାବ ପାରିତ କରାଯାଇଛି । ଏଥିରେ ରାଜନୈତିକ ଓ ସାମାଜିକ ସ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦିଆଯାଇଛି । ବଜେଟ ସର୍ବାଧିକ ଯାହା 2001 ତୁଳନାରେ 33% ବଢ଼ିଛି । ମହିଳା ସଶକ୍ତିକରଣ, ଜଳ ସେଚନ ପରି ଯୋଜନା ପାଇଁ 2 ଲକ୍ଷ 30 ହଜାର କୋଟି ବଜେଟ ପାଇଁ ଧନ୍ୟବାଦ ପ୍ରସ୍ତାବ ଦେଇଛୁ । ମିଶନ ଶକ୍ତି ଗୁରୁତ୍ୱପୁର୍ଣ ଅବଦାନ ଦେଇ 70 ଲକ୍ଷ ମହିଳା ସଶକ୍ତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମହିଳା ବିକାଶ ଭିଜନକୁ କୃତଜ୍ଞତା ଜ୍ଞାପନ କରିଛୁ । କେନ୍ଦ୍ର ବଜେଟରେ ସବୁବେଳେ ପରି ଓଡ଼ିଶା ଚଳିତଥର ବି ଓଡ଼ିଶା ଅବହେଳିତ ହୋଇ ଆସିଛି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ସ୍ୱାମୀନାଥନ କମିଟି ରିପୋର୍ଟ କାର୍ଯ୍ୟକାରୀ କରିବା, କୃଷକ ଆୟ ଦ୍ବିଗୁଣିତ, ପ୍ରଧାନମନ୍ତ୍ରୀ ଆବାସରେ 7 ଲକ୍ଷ ଘର କାଟ, ଧାନ ସଂଗ୍ରହ ପାଇଁ 20 ହଜାର କୋଟି କାଟ, ଉଷୁନା ଚାଉଳ ନ ଉଠାଇବା, ରେଳ ପ୍ରକଳ୍ପ ପ୍ରତିଶୃତି ନରଖିବା, କୋଇଲା ରାଜସ୍ୱ ନବଢିବା, 33% ମହିଳା ସଂରକ୍ଷଣ ପାଇଁ ବୈମାତୃକ ମନୋଭାବ ପାଇଁ ନିନ୍ଦା ପ୍ରସ୍ତାବକୁ ସମର୍ଥନ ଦେଇଛୁ । ଆଗାମୀ ଦିନରେ କେନ୍ଦ୍ରରେ ମହିଳା ଓ ଗରିବ ବିରୋଧୀ ନୀତି ସମେତ ଚାଷୀ ମରଣ ନୀତି ବିରୋଧରେ ଆମ ରାଜରାସ୍ତାକୁ ଓହ୍ଲାଇ ଲୋକଙ୍କ ସହିତ ରହିବୁ । ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନି ଛୁରିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ପରିବହନ ମନ୍ତ୍ରୀ ଟୁକୁନି ସାହୁ, ରୀତା ସାହୁ, ସାଂସଦ ସୁଲତା ଦେଓ, ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା ସେଠୀ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବରୀ ବିଧାୟକ ସୁନନ୍ଦା ଦାସ, ସୁବାସୀନି ଜେନା, ସୁମିତ୍ରା ଜେନା, ମୁଖପାତ୍ର ଶ୍ରୀମୟୀ ମିଶ୍ର, ମିରା ପରିଡା, ଇପ୍ସିତା ସାହୁ, ମଧୁସ୍ମିତା ନାୟକ, ସ୍ୱାଗତିକା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର