ଭୁବନେଶ୍ବର: ସର୍ପ କୂଳରେ କଲୁ ଯାତ, ଅଭ୍ୟାସ ଛାଡ଼ିବି କେମନ୍ତ... । ହିଂସାକୁ ନେଇ ଏଭଳି କଡା ଭାଷାରେ ବିଜେପି ଓ ତାହାର ନେତାଙ୍କୁ କଟାକ୍ଷ କରିଛି ବିଜେଡି । ବିଜେଡି କହିଛି ଯେ, ଓଡିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ । ୪.୫ କୋଟି ଓଡିଆ ହେଉଛନ୍ତି ଅତ୍ୟନ୍ତ ଶାନ୍ତିପ୍ରିୟ । ଉଭୟ ଅପରାଧ ଓ ଅପରାଧୀଙ୍କୁ ଘୃଣା କରନ୍ତି । ଓଡିଶାର ସଂସ୍କୃତି ଏବଂ ପରମ୍ପରାରେ ଶାନ୍ତି ଓ ସୌହାର୍ଦ୍ଦ୍ୟକୁ ଗୁରୁତ୍ବ ଦିଆଯାଏ । ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ଘୃଣା ଚକ୍ଷୁରେ ଦେଖାଯାଇଥାଏ । ଓଡ଼ିଶା ବିଜେପି ରାଜନୀତିରେ ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ଉତ୍ସାହିତ କରୁଛି । ଓଡ଼ିଶାକୁ ଆଇନହୀନ ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛି ବୋଲି କହିଛି ବିଜେଡି ।
ଶଙ୍ଖ ଭବନରେ ଆୟୋଜିତ ହୋଇଛି ବିଜେଡିର ସାମ୍ବାଦିକ ସମ୍ମିଳନୀ । ବିଜେଡି ମୁଖପାତ୍ର ଲେନିନ ମହାନ୍ତି, ଲୋରା ମହାପାତ୍ର ଏବଂ ମଧୁସ୍ମିତା ସାହୁ ନିର୍ବାଚନରେ ହିଂସା ଓ ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ ନେଇ ବିଜେପିକୁ ଘେରିଛନ୍ତି । ଲେନିନ୍ କହିଛନ୍ତି, "ଝାରସୁଗୁଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ଟଙ୍କଧର ତ୍ରିପାଠୀଙ୍କ ନାମରେ ହତ୍ୟା ଉଦ୍ୟମ ସମେତ ୧୨ ଟି ମାମଲା ରହିଛି । ଏହା ଏକମାତ୍ର ଉଦାହରଣ ନୁହେଁ, ଓଡିଶା ବିଜେପି ସବୁବେଳେ ଅପରାଧିକ ପୃଷ୍ଟଭୂମି ଥିବା ପ୍ରାର୍ଥୀଙ୍କୁ ହିଁ ସ୍ଥାନ ଦେଇଥାଏ । ପଦମପୁର ଉପନିର୍ବାଚନରେ ଓଡିଶା ବିଜେପି ପ୍ରାର୍ଥୀ କରିଥିବା ପ୍ରଦୀପ ପୁରୋହିତଙ୍କ ବିରୋଧରେ ୧୩ଟି ଅପରାଧିକ ମାମଲା ବିଚାରାଧୀନ ଅଛି । ଅଭ୍ୟାସଗତ ଅପରାଧୀ ଏବଂ ହତ୍ୟା ଅଭିଯୁକ୍ତ ଇରାସିସ ଆଚାର୍ଯ୍ୟଙ୍କ କଥା ସମସ୍ତଙ୍କୁ ଜଣା ଏବଂ ହତ୍ୟା ମାମଲା ସମେତ ତାଙ୍କ ବିରୋଧରେ ୧୪ ଟି ମାମଲା ବିଚାରାଧୀନ ଅଛି । ସେହିଭଳି ଓଡିଶା ବିଜେପିର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଟ୍ରାକ ରେକର୍ଡ ବି ସମସ୍ତଙ୍କୁ ଜଣା । ତାଙ୍କ ବିରୋଧରେ ହତ୍ୟା ମାମଲା ସମେତ ୧୬ ଟି ଅପରାଧିକ ମାମଲା ରହିଛି ।"
ଲେନିନ ଆହୁରି ମଧ୍ୟ କହିଛନ୍ତି ଯେ, ଝାରସୁଗୁଡାରେ ଆସନ୍ନ ପରାଜୟକୁ ଆଶଙ୍କା କରି ବିଜୁ ଜନତା ଦଳର ନେତା ତଥା କର୍ମୀଙ୍କ ଉପରେ ନିର୍ବାଚନ ହିଂସା ଆରମ୍ଭ କରିଦେଇଛି ବିଜେପି । ପଦମପୁର ଏବଂ ବିଜେପୁର ଉପନିର୍ବାଚନରେ ଏବଂ ବର୍ତ୍ତମାନ ଝାରସୁଗୁଡା ଉପନିର୍ବାଚନରେ ପରାଜୟକୁ ଭୟ କରି ସେମାନେ ପୁଣି ଏଭଳି କାଣ୍ଡ ଆରମ୍ଭ କରିଛନ୍ତି । ମେ ୨ରେ ଓଡିଶା ବିଜେପି କର୍ମୀ ବିପ୍ର ବାଞ୍ଚୋରଙ୍କ ସମେତ ଓଡିଶା ବିଜେପିର ବହୁ ସମର୍ଥକ ବିଜେଡି କର୍ମୀ ଗୋବିନ୍ଦ ଝରାଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିଲେ । ଝାରସୁଗୁଡା ବିଧାନସଭା ନିର୍ବାଚନୀ କ୍ଷେତ୍ରର ଗୌରପଡା, ଧୁବେନବୁଡା, କୁଲିହାମଲ, କୋଲାବିରା ବ୍ଲକରେ ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବିଜେଡି କର୍ମୀ ଗୋବିନ୍ଦ ଝରା ଗୁରୁତର ଭାବେ ଆହତ ହୋଇଛନ୍ତି ।
ସେହିପରି ମୁଖପାତ୍ର ମଧୁସ୍ମିତା ନାୟକ ଓ ଲୋରା ମହାପାତ୍ର କହିଛନ୍ତି, "ଓଡିଶା ବିଜେପି ନେତାଙ୍କ ଅପରାଧିକ ମାମଲା, ଝାରସୁଗୁଡାରେ ନିର୍ବାଚନୀ ହିଂସା ଦର୍ଶାଉଛି ଯେ ଅପରାଧିକ ରେକର୍ଡ ଥିବା ଲୋକଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଓଡିଶା ବିଜେପି କିପରି ଉତ୍ସାହିତ କରୁଛି । ନିର୍ବାଚନରେ ନିଶ୍ଚିତ ପରାଜୟ ଆଶଙ୍କା କରି ମୁଖଲଜା ବଞ୍ଚାଇବାକୁ ବିଜେପି ଏଭଳି ହିଂସାକାଣ୍ଡ ଭିଆଉଛି । ଏଥିପାଇଁ ଓଡିଶାର ଲୋକମାନେ ଓଡିଶା ବିଜେପିକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି ।" ଝାରସୁଗୁଡା ଉପର୍ନିବାଚନରେ ମଧ୍ୟ ଓଡିଶା ବିଜେପିକୁ ଅନୁରୂପ ଭାବେ ପ୍ରତ୍ୟାଖ୍ୟାନ କରିବେ ବୋଲି ସେମାନେ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର