ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (Pradhan Mantri Garib Kalyan Anna Yojana ) ବନ୍ଦ ହେବାକୁ ନେଇ ଆପତ୍ତି ଉଠାଇଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର (BJD MP Sasmit Patra) । ଯୋଜନା ବନ୍ଦ ହେବା ଦ୍ୱାରା ଦେଶ ତଥା ଓଡ଼ିଶାର ଗରିବ ଲୋକ ଓ କୃଷକ ସିଧାସଳଖ ପ୍ରଭାବିତ ହେବେ ବୋଲି ଅଭିଯୋଗ କରିଛନ୍ତି ସସ୍ମିତ । କେନ୍ଦ୍ର ସରକାର ତୁରନ୍ତ ଯୋଜନା ଚାଲୁ ନକଲେ ପଲ୍ଲୀରୁ ଦିଲ୍ଲୀ ଆନ୍ଦୋଳନ ଚେତାବନୀ ଦେଇଛି ବିଜେଡି (Biju Janata Dal Demand ) ।
ସସ୍ମିତ କହିଛନ୍ତି ଯେ, ‘‘କେନ୍ଦ୍ର ସରକାର NFSA ଜରିଆରେ ଓଡ଼ିଶାର 3 କୋଟି 25 ଲକ୍ଷ ଲୋକଙ୍କୁ 5 କିଲୋଗ୍ରାମ ଚାଉଳ କେନ୍ଦ୍ର ସରକାର ଦେଉଥିଲେ । ସେହିପରି 5 କିଲୋଗ୍ରାମ ଚାଉଳ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳେ । ଉଭୟ ଯୋଜନାରେ ମୋଟ 10 କେଜି ଚାଉଳ ଓଡ଼ିଶାର ଲୋକ ପାଆନ୍ତି । 2022 ଡିସେମ୍ବର ଶେଷରେ କେନ୍ଦ୍ର ସରକାର 10 କିଲୋ ଚାଉଳରୁ 5 କେଜି କାଟି ଦେଇଛନ୍ତି । 10 କିଲୋ ବଦଳରେ 5 କିଲୋ ଦେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା 5 କେଜି ଚାଉଳକୁ କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି । ଏହାଦ୍ୱାରା 3 କୋଟି 25 ଲକ୍ଷ ଲୋକଙ୍କ ସହ ଚାଷୀମାନେ ପ୍ରଭାବିତ ହୋଇଛନ୍ତି । କୋଭିଡ଼ ଯୋଗୁଁ ଗରିବ ଲୋକଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । କୋଭିଡ଼ର ବୋଝ ଏଯାଏଁ ଯାଇନାହିଁ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଦ୍ୱାରା ଗରିବ ଲୋକ ଉପକୃତ ହେଉଥିଲେ । ଚାଉଳ ପ୍ରକ୍ୟୁରମେଣ୍ଟ ହେବା ଦ୍ୱାରା ଚାଷୀ ମଧ୍ୟ ସୁବିଧା ପାଉଥିଲେ । ମିଳୁଥିବା ଚାଉଳକୁ କେନ୍ଦ୍ର ସରକାର ବନ୍ଦ କରିବା ଦ୍ୱାରା ଚାଷୀମାନେ ପ୍ରଭାବିତ ହେବେ । ଯେଉଁ ଏମଏସପି ମିଳୁଥିଲା, ସେଇଟା ବି ବନ୍ଦ ହୋଇଯିବ । ଫଳରେ 70 ଲକ୍ଷ ଚାଷୀ ପ୍ରଭାବିତ ହେବେ । କେନ୍ଦ୍ର ସରକାର ପୁରୁଣା ତାଲିକାକୁ ନେଇ କାର୍ଯ୍ୟ କରୁଥିବାରୁ ଅନେକ ପରିବାର ଏହି ଯୋଜନାର ସୁବିଧା ପାଉନାହାନ୍ତି ।’’
ଏମାନଙ୍କୁ ଅନ୍ତର୍ଭୁକ୍ତ କରିବା ଲାଗି ଅନୁରୋଧ କରାଯାଇଥିଲେ କେନ୍ଦ୍ର ସରକାର ଶୁଣୁ ନାହାନ୍ତି । ଓଡ଼ିଶାର ଚାଷୀ, କୃଷି ଓ ପରିବାର ବିରୋଧୀ କେନ୍ଦ୍ର ସରକାରଙ୍କ ନୀତିକୁ ବିଜେଡି ନିନ୍ଦା କରିଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରି ଗରିବ ଲୋକଙ୍କ ଭାତ ହାଣ୍ଡିକୁ ଲାତ ମାରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏହି ମାସରୁ ଆରମ୍ଭ କରନ୍ତୁ ବୋଲି ବିଜେଡି ଦାବି କରିଛି । ଦେଶର କୋଟି କୋଟି ଲୋକ ଏଥିରୁ ଉପକୃତ ହେଉଥିଲେ । କେବଳ ରାଜ୍ୟ ନୁହେଁ ସାରା ଦେଶରେ ଏହି ଯୋଜନା ଲାଗୁ କରନ୍ତୁ କେନ୍ଦ୍ର ସରକାର । ନହେଲେ ବିଜୁ ଜନତା ଦଳ ପଲ୍ଲୀରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରିବ ।
ଇଟିଭି ଭାରତ, ଭୁବନେଶ୍ବର