ଭୁବନେଶ୍ବର: ଫେବୃଆରୀରୁ ରାଜଧାନୀରେ ଅସହ୍ୟ ତାତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଆଜି ଅର୍ଥାତ ୨୨ ଫେବୃଆରୀ ଦିନ ୧୧.୩୦ ସୁଦ୍ଧା ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରଯାଇଥିବା ବେଳେ ୩୮ ଡିଗ୍ରୀ ଛୁଇଁପାରେ ପାଣିପାଗ ବିଭାଗ ଆକଳନ କରିଛି । ସେହିପରି ମଙ୍ଗଳବାର ଭୁବନେଶ୍ବରର ପାରଦ ୩୮ ଡିଗ୍ରୀ ଛୁଇଁଥିଲା । ଦିନର ତାପମାତ୍ରା ସ୍ଵାଭାବିକ ଠାରୁ ୪ ଡିଗ୍ରୀ ଅଧିକ ରହୁଛି ବୋଲି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଯାହାକି ଫେବୃଆରୀ ମାସରେ ଦେଶର ଉତ୍ତପ୍ତ ସହରର ୪ର୍ଥ ସ୍ଥାନରେ ରାଜଧାନୀ ଭୁବନେଶ୍ୱର ରହିଛି ।
ପୂର୍ବରୁ ଫେବୃଆରୀ ମାସରେ ସର୍ବୋଚ୍ଚ ତାପମାତ୍ରା ୨୧ ଫେବୃଆରୀ ୨୦୧୬ରେ ୪୦.୯ ଡିଗ୍ରୀ ରହିଥିଲା । ସେହିପରି ୧୨ ଫେବୃଆରୀ ୨୦୧୭ରେ ୩୭.୦ ଡିଗ୍ରୀ, ୩ ଫେବୃଆରୀ ୨୦୧୮ରେ ୩୮.୨ ଡିଗ୍ରୀ, ୨୩ ଫେବୃଆରୀ ୨୦୧୯ରେ ୩୯.୪ ଡିଗ୍ରୀ, ୧୯ ଫେବୃଆରୀ ୨୦୨୦ରେ ୩୩.୮ ଡିଗ୍ରୀ ୨୭ ଫେବୃଆରୀ ୨୦୨୧ରେ ୪୦.୬ ଡିଗ୍ରୀ ଓ ୨୮ ଫେବୃଆରୀ ୨୦୨୨ରେ ୩୪.୫ ଡିଗ୍ରୀ ତାପମାତ୍ରା ରହିଛି ।
ତେବେ ଚଳିତ ଫେବୃଆରୀ ମଧ୍ୟଭାଗରେ ଦିନ ତାପମାତ୍ରା ସ୍ଵାଭାବିକ ଠାରୁ ୪ ଡିଗ୍ରୀ ଅଧିକ ରହୁଥିବା ବେଳେ ଦେଶର ୪ର୍ଥ ଉତ୍ତପ୍ତ ସହର ହେଉଛି ଭୁବନେଶ୍ବର । ଦେଶରେ ରାଜସ୍ଥାନର ଫାଲୋଡି ଠାରେ ୩୮.୬ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ବରରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ସ୍ଥଳଭାଗରେ ଶୁଷ୍କ ବାୟୁର ପ୍ରବାହକୁ ନେଇ ତାପମାତ୍ରା ବୃଦ୍ଧି ପାଉଛି । ହେଲେ ଏହି ପ୍ରବାହ କ୍ରମାଗତ ଭାବରେ ହେଉ ନଥିବାରୁ ତାପମାତ୍ରା ପରିବର୍ତ୍ତନ ହେଉଛି । ତେଣୁ ଏଭଳି ପାଗ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ପଣିପାଗ ବିଭାଗ ସୂଚନା । ଗତ କିଛି ଦିନ ପାଣିପାଗରେ ସେଭଳି ପରିବର୍ତ୍ତନ ନଥିବାରୁ ତାପମାତ୍ରା ବୃଦ୍ଧି ହେବାର ସେଭଳି କିଛି ସମ୍ଭାବନା ନାହିଁ ବୋଲି ବିଭାଗ ଆକଳନ କରିଛି ।
ସାଧାରଣତଃ ପଶ୍ଚିମା ଓ ଦକ୍ଷିଣ ବାୟୁ ଚଳଣକୁ ନେଇ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଥାଏ । ଗତକିଛି ଦିନ ହେବ ରାଜ୍ୟରେ ପଶ୍ଚିମା ବାୟୁର ଚଳଣ ରହିଥିବାରୁ ତାପମାତ୍ରା ବୃଦ୍ଧି ପାଉଛି । ବିଶେଷ ଭାବେ ଉପକୂଳ ଓଡିଶାରେ ବାୟୁ ପ୍ରବାହ ଯୋଗୁଁ ତାପମାତ୍ରା ବୃଦ୍ଧି ପାଉଥିବାରୁ ଭୁବନେଶ୍ବରରେ କୋଠାବାଡିର ସଂଖ୍ୟା ବୃଦ୍ଧି ଓ କଂକ୍ରିଟ ରାସ୍ତାଘାଟ ପାଇଁ ତାପମାତ୍ରା ବୃଦ୍ଧି ପାଉଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ । ସେହିପରି ଗତକାଲି ତୁଳନାରେ ଆଜି (ବୁଧବାର) ବାୟୁ ଚଳାଚଳ ମୁଖ୍ୟତଃ ଦିନ ୧୦ଟା ପରେ ସମୁଦ୍ର ପଟୁ ଥିବାରୁ (ଦକ୍ଷିଣ-ପୂର୍ବ ଦିଗ) ତାପମାତ୍ରା କମ ରହିବାର ସମ୍ଭାବନା ରହିଛି । ବାୟୁ ପ୍ରବାହକୁ ନେଇ ୨୫ ତାରିଖ ପର୍ଯ୍ୟନ୍ତ ୩୭ ଡିଗ୍ରୀ ମଧ୍ୟରେ ତାପମାତ୍ରା ରହିବାର ସମ୍ଭାବନା ରହିଥିବା ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର