ଭୁବନେଶ୍ବର: ରଜ ବଜାର ଅସମ୍ଭାଳ କଲେଣି ଅପରାଧୀ । ଆହୁରି ଦୁଇ ମାସ ଆଗକୁ ଅଛି ପାର୍ବଣ, ଏବେଠାରୁ ଦେବାକୁ ହେବ ନଜର । କାରଣ ପାର୍ବଣ ପୂର୍ବରୁ ରାଜ୍ୟ ସମେତ ରାଜ୍ୟ ବାହାରୁ କ୍ରିମିନାଲ ଆସି ନିଜର ଆଡ୍ଡା ଜମାଇଥାନ୍ତି ଭୁବନେଶ୍ବରରେ । ଆଉ ସେମାନଙ୍କର କ୍ରାଇମ୍ ସିଣ୍ଡିକେଟ ଆରମ୍ଭ ପୂର୍ବରୁ ଲୋକଙ୍କ ସୁରକ୍ଷା ପାଇଁ କିପରି ଆଗୁଆ ନେଇ ହେବ ପଦକ୍ଷେପ, ସେନେଇ ଆଜି ଟ୍ରାଫିକ ଥାନାରେ ବସିଥିଲା ଭୁବନେଶ୍ବର କମିଶନରେଟ ପୋଲିସର କ୍ରାଇମ୍ ମିଟିଂ । ସମସ୍ତ ଥାନାର ଥାନାଧିକାରୀ, ଜୋନାଲ ଏସିପି ଓ ଅତିରିକ୍ତ ଡିସିପିଙ୍କୁ ନେଇ କ୍ରାଇମ୍ ରିଭ୍ୟୁ କରିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ଏଥର କ୍ରାଇମ୍ ଓ କ୍ରିମିନାଲ ଉପରେ ଦିଆଯାଇଛି ଅଧିକ ଫୋକସ । କାରଣ ପର୍ବ ପର୍ବାଣୀ ଆସିଲେ ଲୁଟେରା ଓ ଅପରାଧୀଙ୍କର ପ୍ରାଦୁର୍ଭାବ ବଢୁଛି ।
ତେବେ ଏଥର ରଜ ପର୍ବ ପାଇଁ ୧୪ରୁ ୧୬ ଯାଏଁ ସହରରେ ଚାରିଆଡ଼େ ଗହଳି ରହିବ । ଏଥିସହ ବିଭିନ୍ନ ମଲ ଓ ମାର୍କେଟ ବିଲ୍ଡିଂରେ ମଧ୍ୟ ଗହଳି ରହିବ । ସେହିପରି ଆଗକୁ ୨୦ରେ ରଥଯାତ୍ରା । ସହରର ବିଭିନ୍ନ ସ୍ଥାନରେ ରଥଯାତ୍ରା ହୋଇଥାଏ । ଅନେକ ଲୋକ ମଧ୍ୟ ଘର ଛାଡ଼ି ପୁରୀ କିମ୍ବା ଅନ୍ୟସ୍ଥାନକୁ ଯାଇଥାନ୍ତି । ସେ ସମୟରେ ଲୁଟେରା ଉପରେ ନଜର ରଖିବାକୁ ଧ୍ୟାନ ଦିଆଯାଇଛି । କାରଣ କିଛିଦିନ ତଳେ ଏକ ମଲରୁ ବେଙ୍ଗଲୀ ଲେଡି ଚୋରୀ ଗ୍ୟାଙ୍ଗ ଧରାପଡ଼ିଥିଲେ । ସେହିପରି ଗତମାସରେ ଧରାପଡିଥିବା ତାମିଲ ଗ୍ୟାଙ୍ଗର ଛିନତାଇ ଷ୍ଟାଇଲ ଅପରେସନ ମଧ୍ୟ ପୋଲିସକୁ ଚ୍ୟାଲେଞ୍ଜ ଦେଇଥିଲା । କିପରି ଅପରାଧୀ ଆଗୁଆ ଆସି ସହରରେ ଆଡ୍ଡା ଜମାଇ ଘରଭଡ଼ା ନେଇ ନିଜର କ୍ରାଇମ୍ ସିଣ୍ଡିକେଟର ଅପରେସନ କରୁଛନ୍ତି, ସେନେଇ ବିଶେଷ ଧ୍ୟାନ ଦେବାକୁ ଡିସିପି ଦେଇଛନ୍ତି ନିର୍ଦ୍ଦେଶ । ତେଣୁ ସେମାନଙ୍କୁ କିପରି ଚେକ୍ ଦିଆଯିବ, କଣ ରହିବ ପ୍ରସ୍ତୁତି । କେଉଁ ଗ୍ରାଉଣ୍ଡରେ ଫୋକସ୍ ଦେଲେ ଏସବୁ ଉପରେ ରୋକ୍ ଆସିବ, ଏନେଇ ଆଲୋଚନା କରିଛନ୍ତି ଡିସିପି । କାରଣ ବଜାରରେ ସାବିତ୍ରୀ ଓ ରଜ ସମୟରେ ଅପରାଧୀଙ୍କ ଅବସ୍ଥିତି ଜଣାପଡ଼ିଲାଣି । ଭିଡ଼ ସମୟରେ କିପରି ନୂଆ ନୂଆ ଟ୍ରେଣ୍ଡ୍ରେ ଲୁଟପାଟ କରିଥାନ୍ତି ଅପରାଧୀ । ନଜର ପକାନ୍ତୁ ପୂଜା ପାର୍ବଣ ସମୟରେ ମାତୁଥିବା କିଛି ଗ୍ୟାଙ୍ଗ୍ ଉପରେ..
୧.କାର କାଚଭଙ୍ଗା ଗ୍ୟାଙ୍ଗ୍: କମିଶନରେଟ ପୋଲିସର ଇତିହାସ ଦେଖିଲେ ପୂର୍ବରୁ ଅନେକ ସମୟରେ କାର କାଚଭଙ୍ଗା ବା ବାଟୁଳି ଗ୍ୟାଙ୍ଗ ଆତଙ୍କ ମଚାଇଥାନ୍ତି । ଏମାନେ ପୂଜା ସମୟରେ ପାର୍କିଂ ହୋଇଥିବା ଗାଡ଼ିର କାଚ ଭାଙ୍ଗି ଦାମି ଜିନିଷ ନେଇ ଛୁ ମାରନ୍ତି । ଗତ ୨୦୨୧ ଓ ୨୦୨୨ରେ ଏଭଳି ଅନେକ ଘଟଣାର ନଜିର ରହିଛି । ଏପରିକି କିଛି ଏଭଳି ଅପରାଧୀ ଧରା ମଧ୍ୟ ପଡିଛନ୍ତି ।
୨.କାଳି ପକା ଗ୍ୟାଙ୍ଗ୍: ପୂଜା ପାର୍ବଣ ସମୟରେ ଭିଡର ସୁଯୋଗ ନେଇ ଏମାନେ ମୌକା ଦେଖି ଧ୍ୟାନ ହଟାଇବା ପାଇଁ ଗାଡି ଠକ୍ ଠକ୍ କରି ଗୋଟିଏ ପଟକୁ ଡାକି ଆରପଟେ ଜିନିଷ ନେଇ ଛୁ ମାରନ୍ତି । ଏପରିକି ଗାଡ଼ିର ବନେଟ ବା ପଛପଟେ କାଳି ପକାଇ ଗାଡିରୁ ଇଞ୍ଜିନ ଅଏଲ ଲିକ୍ ହେଉଛି କହି ଧ୍ୟାନ ହଟାଇ ଗାଡିରୁ ଜିନିଷ ନେଇ ବା ପର୍ସ ମୋବାଇଲ ଝାମ୍ପି ଫେରାର ମାରନ୍ତି ।
୩.ମୋ ବସ ଲୁଟେରା: ଏହି ସମୟରେ ଅଧିକାଂଶ ମୋ ବସରେ ଗହଳି ଲାଗିଥାଏ । ଏହାର ସୁଯୋଗ ନେଇ କିଛି ଲୁଟପାଟ କରନ୍ତି । ପକେଟ୍ କାଟି ବା ପର୍ସ କିମ୍ବା ମୋବାଇଲ ଝାମ୍ପି ଛୁ ମାରନ୍ତି । ଏମାନେ ମଧ୍ୟ ମାର୍କେଟ ଏରିଆ ଓ ଗହଳ ଚହଳ ଅଞ୍ଚଳରେ ଭିଡ ଲଗାଇ ଲୁଟପାଟ କରିଥାନ୍ତି ।
୪.ନିଶା ଦିଆ ଲୁଟେରା: ଅଧିକାଂଶ ସମୟରେ ଭୁବନେଶ୍ବର ବାହାରୁ ବା ଭୁବନେଶ୍ବରରୁ ବାହାରକୁ ଯାଉଥିବା ଯାତ୍ରୀଙ୍କ ଉପରେ ଏମାନେ ନଜର ପକାଇଥାନ୍ତି । ଏନେଇ କେତେବେଳେ ଲିଫ୍ଟ୍ ଦେବା ବାହାନାରେ ତ କେତେବେଳେ ନିଜର ସମ୍ପର୍କୀୟ ବା ଗାଁ ପାଖ ଲୋକ କହି ଭୁଆଁ ବୁଲାଇ ମୃଦୁ ପାନୀୟ ବା ଚା'ରେ ନିଶା ଦେଇ ଲୁଟପାଟ କରନ୍ତି ।
ପୂର୍ବରୁ ଏପରି ଅନେକ ନଜର ରହିଛି । ତେବେ ଏବେଠାରୁ ଧିରେ ଧିରେ ପର୍ବ ପର୍ବାଣୀ ଆରମ୍ଭ ହେବ । ଆଗକୁ ରଥଯାତ୍ରା, ପରେ ପରେ ଗଣେଶ ପୂଜା, ଦଶହରା, କାଳି ପୂଜା ଓ ଦୀପାବଳି ଭଳି ଅନେକ ପର୍ବ ପର୍ବାଣୀ ରହିଛି । ଏବେଠୁ ସତର୍କ ନରହିଲେ ଆଗକୁ ସ୍ଥିତି ଅସମ୍ଭାଳ ହେବ । ତେଣୁ ତା ପୂର୍ବରୁ ଏବେଠୁ ସତର୍କ ହେବାକୁ ଡିସିପି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର