ଭୁବନେଶ୍ବର: ଘର ସାରା ଭର୍ତ୍ତି ହୋଇଛି କଳା କାରିଗରୀର ଉତ୍କର୍ଷତା । କାନ୍ଥରୁ ଝୁଲୁଥିବା ଭଳିକି ଭଳି ପେଣ୍ଟିଂ ଘରର ଶୋଭା ବୃଦ୍ଧି କରୁଛି । ଏହାର ଶ୍ରେୟ ଘରର ଲକ୍ଷ୍ମୀ ସ୍ବରୂପ ବୋହୂ ଅର୍ପିତାଙ୍କୁ ଦେଇଛନ୍ତି ଶାଶୂ ଘର । ନିକଟରେ ଥିବା ପ୍ରତିଭାକୁ ବୃତ୍ତି କରିଥିବା ବେଳେ ନିଜେ ତ ସ୍ବାବଲମ୍ବୀ ହୋଇଛନ୍ତି ଅନ୍ୟକୁ ମଧ୍ୟ ରୋଜଗାର ଦେଉଛନ୍ତି । ଆଉ ଅର୍ପିତାଙ୍କୁ ଏହି କାର୍ଯ୍ୟରେ ଶାଶୂ, ସ୍ବାମୀ ମଧ୍ୟ ବେଶ ସହଯୋଗ କରୁଛନ୍ତି । ସମସ୍ତଙ୍କ ସହଯୋଗରେ ଆଜି ସେ ମାମୁନି ଆର୍ଟ ଆଣ୍ଡ କ୍ରାଫ୍ଟର ମାଲିକାଣୀ ହୋଇଛନ୍ତି । ପରିଣତ ବୟସରେ ବୋହୂଙ୍କୁ ସହଯୋଗ କରିବା ସହିତ ହାତ ମିଳାଇଛନ୍ତି ଶାଶୂ ଗୀତାଞ୍ଜଳି । ରାଜଧାନୀ ଭୁବନେଶ୍ଵରର ନୟାପଲ୍ଲୀ ଅଞ୍ଚଳର ହୃଷୀକେଶ ବେହେରାଙ୍କ ବୋହୂ ଅର୍ପିତା ବେହେରାଙ୍କୁ ନେଇ ଏବେ ଚର୍ଚ୍ଚା ହେଉଛି ।
ହୃଷିକେଶଙ୍କ ଘରେକଳା କାରିଗରୀର ଉତ୍କର୍ଷତା ଦେଖିବାକୁ ମିଳିଛି । ପରିଣତ ବୟସରେ ଉଲ୍ରୁ ବିଭିନ୍ନ ପ୍ରକାର ଘରକରଣା ଜିନିଷ ତିଆରି କରି ବୋହୂ ସହ ହାତ ମିଳାଇଛନ୍ତି ଶାଶୁ । ମାଆ ଝିଅ ଭଳି ଚଳିବା ସହିତ ପ୍ରସ୍ତୁତ କରୁଛନ୍ତି ଚମତ୍କାର ଚିତ୍ର ଓ ଆକର୍ଷଣୀୟ ଜିନିଷ । ଅନେକ ସୁନ୍ଦର ସୁନ୍ଦର ଚିତ୍ର କଳା ସମେତ ଘର ସାଜସଜ୍ଜା ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରିଛନ୍ତି । ବୋହୂଙ୍କ ନାମରେ ନାମିତ ହୋଇଛି ମାମୁନି ଆର୍ଟ ଆଣ୍ଡ କ୍ରାପ୍ଟ ଗ୍ୟାଲେରୀ । ଅଦରକାରୀ ଜିନିଷରୁ ମଧ୍ୟ ପ୍ରସ୍ତୁତ କରୁଛନ୍ତି ସୁନ୍ଦର ସୁନ୍ଦର ଘରକରଣା ଜିନିଷ । ଅର୍ପିତା ହାତରେ ରଙ୍ଗ ତୂଳୀ ଧରି ବହୁ ସୁନ୍ଦର ସୁନ୍ଦର ପେଣ୍ଟିଂ ପ୍ରସ୍ତୁତ କରୁଛନ୍ତି । ବୋହୂ ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ୟ ସରକାରୀ ଚାକିରି ଛାଡ଼ି ଏହି ସୁନ୍ଦର କଳାରେ ନିଜକୁ ହଜାଇ ଦେଇଛନ୍ତି ।
ଏହା ବି ପଢନ୍ତୁ- Digital Dialogue: ମନ୍ଦିରରେ ଗଞ୍ଜେଇ ଭୋଗ ଉପରେ କଟକଣା ନ ଲାଗୁ: ସୁର ରାଉତରାୟ
ପେଣ୍ଟିଂ ସହ ଘର ସଜ୍ଜା ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରୁଛନ୍ତି ଅର୍ପିତା । ଏହି ସମସ୍ତ କ୍ଷେତ୍ରରେ ବୋହୂଙ୍କୁ ଶତପ୍ରତିଶତ ସପୋର୍ଟ କରୁଛନ୍ତି ଶାଶୁ । ଅର୍ପିତା ଉଚ୍ଚ ଶିକ୍ଷିତା ହୋଇଥିବା ବେଳେ ସ୍ଵାମୀ ଆଲୋକ ମଧ୍ୟ ଜଣେ ସିଭିଲ ଇଞ୍ଜନିୟର । ହେଲେ ଚାକିରି କରିବା ସହ ମଧ୍ୟ ଅର୍ପିତାଙ୍କୁ ସହଯୋଗ କରୁଛନ୍ତି । ପ୍ରତିଟି ମୁହୂର୍ତ୍ତରେ ଡିଜାଇନ ରଙ୍ଗ ଦେବା ଅନ୍ୟାନ୍ୟ କାର୍ଯ୍ୟରେ ସହଯୋଗ କରୁଛନ୍ତି । ଘରେ ବିଭିନ୍ନ ପ୍ରକାରର ଚିତ୍ରକଳା ରହିଥିବା ବେଳେ ହରପାର୍ବତୀ, ରାଧାକୃଷ୍ଣ, ଦେବାଦେବୀଙ୍କ ଚିତ୍ର କଳା ଭଳି ଅନେକ ଚିତ୍ରକଳାକୁ ରଙ୍ଗ ତୂଳୀରେ ଆଙ୍କିଛନ୍ତି । ତେବେ ଘରର ସୁନ୍ଦରତା ବଢାଇବା ପାଇଁ ଅଦରକାରୀ ଜିନିଷରେ ସୁନ୍ଦର ସୁନ୍ଦର କାରିଗରୀ ପ୍ରସ୍ତୁତ କରିଛନ୍ତି ଅର୍ପିତାଙ୍କ ସହ ସ୍ଵାମୀ ଆଲୋକ ।
ତେବେ ଏନେଇ ଶାଶୂ ଗୀତାଞ୍ଜଳି ବେହେରା କହିଛନ୍ତି, "ଏହି କାମକୁ ନେଇ ବହୁତ ଖୁସି ଅଛି । ବୋହୂକୁ ସବୁବେଳେ ସହଯୋଗ କରି ଆସିଛି । ଯେତେବେଳେ ପେଣ୍ଟିଂ ଆରମ୍ଭ କରିବ ବିଭିନ୍ନ ପ୍ରକାରର ସହଯୋଗ କରିବା ସହିତ ପାଖରେ ବସି କିଛି ଶିଖିଥାଏ ଏବଂ ଶିଖାଇଥାଏ ମଧ୍ୟ । ଅନେକ ସମୟରେ ବସି ଏହି ନିଜେ ନିଜେ ରେଶମ ସୂତାରେ ବିଭିନ୍ନ ସାମଗ୍ରୀ ବନାଇଥାଏ ।" ବିଭିନ୍ନ ସମୟରେ ଆର୍ଟ ଆଣ୍ଡ ମଡର୍ଣ୍ଣ ଆର୍ଟ ନେଇ ମାମୁନିଙ୍କୁ ସହଯୋଗ କରିଥାନ୍ତି ବରିଷ୍ଠ ଚିତ୍ରଶିଳ୍ପୀ ସୁଧଶତ୍ତା ମିଶ୍ର । ଏହାସହ ସୁଧଶତ୍ତା ମିଶ୍ରଙ୍କ କିଛି ଚିତ୍ର ମାମୁନି ଗ୍ୟାଲେରୀରେ ସ୍ଥଆନ ପାଇଛି । ଚିତ୍ରକଳା ବ୍ୟତୀତ ଅର୍ପିତା ସମୟରେ ସମୟେ ଲେଖାରେ ମଧ୍ୟ ରୁଚି ରଖନ୍ତି। ତାଙ୍କର ଅନେକ ଗଳ୍ପ, କବିତା ଖବରକାଗଜରେ ପ୍ରକାଶିତ ହୋଇଛି। ତେବେ ପିଲାବେଳୁ ବାପା ହେମନ୍ତ କୁମାର ମୁଦୁଲିଙ୍କୁ ଦେଖି ସେ ଚିତ୍ରକଳା ଶିଖିଥିବା କହିଛନ୍ତି।
ଏନେଇ ଅର୍ପିତା ବେହେରା କହିଛନ୍ତି, "ଏଭଳି କଳା ପିଲାଟି ବେଳୁ ରହିଥିଲା । ମୋ ବାପାଙ୍କଠାରୁ ଏହି ପ୍ରତିଭା ମୋର ଆସିଛି । କୋଭିଡ ପରଠାରୁ ଏହାକୁ ଧୀରେ ଧୀରେ ଆରମ୍ଭ କରିଛୁ । ମୋର ଜଣେ ସିନିଅର ଆର୍ଟିଷ୍ଟ ସୁଧଶତ୍ତା ମିଶ୍ର ରହିଛନ୍ତି । ସେ ପଟ୍ଟଚିତ୍ର, ଅଏଲ ପେଟିଂ, ପୋଟ୍ରେଟ କରନ୍ତି । ପରିବାରର ଶାଶୂ ମାଆ ଏବଂ ବେଳେ ବେଳେ ସ୍ଵାମୀ ମଧ୍ୟ କାମରେ ସହଯୋଗ କରନ୍ତି । ଗୋଟିଏ ଚିତ୍ର କରିବା ପାଇଁ ୨ରୁ ୩ ଦିନ ଲାଗିଥାଏ । ପ୍ରଥମ ଏହାକୁ ନିଜର ଖୁସି ପାଇଁ ପ୍ରସ୍ତୁତ କରିଥିଲି । ବର୍ତ୍ତମାନ ଏଭଳି ଚିତ୍ର ଦେଖିବା ପରେ ଅନେକ ଲୋକମାନେ ନେବା ପାଇଁ ମଧ୍ୟ ଆଗେଇ ଆସୁଛନ୍ତି । ତେବେ ପରବର୍ତ୍ତୀ ସମୟରେ ଏହା ବ୍ୟବସାୟରେ ପରିଣତ ହୋଇଛି । ଯାହା ୩୦୦ ଟଙ୍କାରୁ ଆରମ୍ଭ ହୋଇ ହଜାର ହଜାର ଟଙ୍କାରେ ବିକ୍ରି କରାଯାଉଛି।" ତେବେ ଏବେ ସେ କିଛି ଛୋଟ ପିଲାଙ୍କୁ ପେଣ୍ଟିଂ ଶିକ୍ଷା ଦେଉଥିବା ବେଳେ ଆଗକୁ ସବୁ ବର୍ଗର ଲୋକଙ୍କୁ ଦେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଅର୍ପିତା ।
ଇଟିଭି ଭାରତ, ଭୁବନେଶ୍ବର