ଖୋର୍ଦ୍ଧା : ଜିଲ୍ଲାରେ ବିଜେଡି ଦଳ ବାହାରୁ ଯେତେ ଶକ୍ତିଶାଳୀ ଦିଶୁଛି ଭିତରେ କିନ୍ତୁ ମାଳମାଳ ବିଦ୍ରୋହୀଙ୍କୁ ଜନ୍ମ ଦେଉଛି । ଭୁଲ ରଣନୀତି ପାଇଁ ଜିଲ୍ଲା ବିଜେଡିରେ ଲାଗି ରହୁଛି ଗୋଷ୍ଠୀ କନ୍ଦଳ । ଦଳୀୟ ପ୍ରାର୍ଥୀ ଚୟନରେ ତ୍ରୁଟି ଏବେ ଦଳ ପାଇଁ ସମସ୍ୟା ପାଲଟିଛି ।
ଖୋର୍ଦ୍ଧା ପୌରାଧକ୍ଷା ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଦଳ କନକ ଲକ୍ଷ୍ମୀ ମହାନ୍ତିଙ୍କୁ ଟିକେଟ ଦେଇଛି । ଆଉ ଏହାପରେ ଦଳରେ ଅସନ୍ତୋଷ ଜଳଜଳ ହୋଇ ବାହାରକୁ ଆସିଛି । ଶନିବାର ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଦଳୀୟ ପ୍ରାର୍ଥୀଙ୍କ ନା ଘୋଷଣା କରି କର୍ମୀଙ୍କ ଦ୍ୱାରା ହଟହଟା ହୋଇଥିଲେ । ତେବେ ଆଜି (ସୋମବାର) ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଖୋର୍ଦ୍ଧା ବିଜେଡି ନଗର ସଭାପତି ମହମଦ ଆରିଫଙ୍କ ପତ୍ନୀ ସବନମ ବିବି ପୌର ଅଧକ୍ଷା ପଦ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଯାହାକୁ ନେଇ ଦଳ ଭିତରେ ଥିବା ଗୋଷ୍ଠୀ କନ୍ଦଳ ପଦାରେ ପଡିଛି ।
ସେହିଭଳି ମହମଦ ଆରିଫ ନଗର ସଭାପତି ଥିବା ସତ୍ତ୍ୱେ ଦଳର କର୍ମକର୍ତ୍ତା ତାଙ୍କୁ ଅଣଦେଖା କରିବା ସହ କୌଣସି ମତାମତ ନ ନେଇ ପ୍ରାର୍ଥୀ ଚୟନ କରିଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି । ସେହିପରି ଦଳ ନୁହେଁ ମୁଁ ସ୍ଥାନୀୟ ନେତା ଓ ପର୍ଯ୍ୟବେକ୍ଷକଙ୍କୁ ବିରୋଧ କରି ପ୍ରାର୍ଥୀପତ୍ର ଦାଖଲ କରିଥିବା କହିଛନ୍ତି । ସେପଟେ ଏହା ଦଳ ଉପରେ କୌଣସି ପ୍ରଭାବ ପକାଇବନି ବୋଲି କହିଛନ୍ତି ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ