ଖୋର୍ଦ୍ଧା: ପୁଣି ବିବାଦରେ ବୋଲଗଡ଼ ବିଡିଓ ଧୋବେଇ ନାୟକ । ବିଡ଼ିଓଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ମିଶନଶକ୍ତି ମହିଳା । ମିଶନଶକ୍ତି ମହିଳାମାନଙ୍କୁ ଦୁର୍ବ୍ୟବହାର କରିଥିବା ସଙ୍ଗୀନ ଅଭିଯୋଗ ହୋଇଛି । ବୋଲଗଡ ବ୍ଲକରେ ମିଶନ ଶକ୍ତି ସଦସ୍ୟାମାନଙ୍କୁ ବିଡିଓ ଧୋବେଇ ନାଏକ ଦୁର୍ବ୍ୟବହାର କରିବା ସହ ପିସି ନଦେଲେ କୌଣସି କାର୍ଯ୍ୟ କରାଇ ଦେବେ ନାହିଁ ବୋଲି କହିଥିବା ଅଭିଯୋଗ କରିଛନ୍ତି ମହିଳା । ବିଡିଓଙ୍କ ଦୁର୍ବବ୍ୟହାର ଓ ମିଶନଶକ୍ତି ଯୋଜନାକୁ ଲାଞ୍ଚ ମାଗିବା ପ୍ରସଙ୍ଗରେ ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି ।
ସୂଚନାଅନୁସାରେ, ବୋଲଗଡ଼ ବ୍ଳକରେ ମିଶନ ଶକ୍ତି ତରଫରୁ ବୋଲଗଡ ଆଞ୍ଚଳିକ ମହାସଂଘ ରହିଛି । ରାଜ୍ୟସରକାରଙ୍କ ଉନ୍ନତିମୂଳକ ଯୋଜନାରେ ମିଶନ ଶକ୍ତିର ମହିଳାମାନଙ୍କୁ ସ୍କୁଟି ଦିଆଯିବା ପାଇଁ ପ୍ରସ୍ତାବ ରହିଛି । ଶନିବାର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ମହାସଂଘ ଗୃହରେ ସଂଘର ସଭ୍ୟାମାନଙ୍କ ଦ୍ବାରା ସଭା ଚାଲୁଥିବା ବେଳେ କିଛି ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ଅଭିଯୋଗ କରିଥିଲେ କି, ''ବିଡିଓ ସ୍କୁଟି ଯୋଜନାରେ ଥିବା ଫର୍ମରେ ଦସ୍ତଖତ କରିବାକୁ ମନା କରୁଛନ୍ତି । ଆପଣମାନେ ସିଧା ସିଧା ନଆସି ସେ ରଖୁଥିବା ଦଲାଲଙ୍କୁ ଫର୍ମ ଦିଅନ୍ତୁ । ସେ କରାଇ ଦେବେ । ଏହାର କିଛି ସମୟ ପରେ ସମସ୍ତ ସଦସ୍ୟା ସଂଘର ସଭାନେତ୍ରୀ ଏବଂ ସମ୍ପାଦିକାଙ୍କୁ ନେଇ ବିଡିଓଙ୍କୁ ଦେଖା କରିବାକୁ ଚାହିଁବାରୁ ସେ ଦେଖା କରିବାକୁ ସମୟ ନାହିଁ କହି ଧକ୍କା ଦେଇ କାର୍ଯ୍ୟାଳୟରୁ ତଡି ଦେବା ସଙ୍ଗେ ସଙ୍ଗେ ଦସ୍ତଖତ କରି ହେବନାହିଁ ବୋଲି କହି ଗାଳିଗୁଲଜ କରିଥିଲେ ।''
ମହିଳାମାନେ ଆହୁରି କହିଛନ୍ତି, ବିଡିଓ ଫର୍ମରେ ଦସ୍ତଖତ କରିବାକୁ ମନା କରିବା ପରେ କାର୍ଯ୍ୟାଳୟ ଛାଡି ସେ କେଉଁ ଆଡେ ପଳାଇ ଯାଇଥିଲେ । ଏହାର ପ୍ରତିବାଦ କରି 19ଟି ପଞ୍ଚାୟତର ମହିଳା ସଭାନେତ୍ରୀ ଓ ସମ୍ପାଦିକାମାନେ ମହାସଂଘର କାର୍ଯ୍ୟକର୍ତ୍ତାଙ୍କୁ ନେଇ ବ୍ଲକ କାର୍ଯ୍ୟାଳୟରେ ବିକ୍ଷୋଭ କରିଥିଲେ । ବିଡିଓ ତାଙ୍କ କାର୍ଯ୍ୟାଳୟକୁ ମହିଳାମାନଙ୍କୁ ଏକୁଟିଆ ଡାକୁଥିବା ଭଳି ସଙ୍ଗୀନ ଅଭିଯୋଗ କରିଛି ଆଞ୍ଚଳିକ ମହାସଂଘ । ସେହିପରି ଯେ କୌଣସି କାର୍ଯ୍ୟ ଯଥା କୁକୁଡା ପାଳନ, ମତ୍ସ୍ୟ ଚାଷ, ଫେଡେରେସନର ଲୋନ ଆଦି କାର୍ଯ୍ୟରେ 10 ପ୍ରତିଶତ ପିସି ମାଗିବା, ଯେଉଁ ସ୍ଵୟଂସହାୟିକା ଗୋଷ୍ଠୀ ପିସି ନ ଦେଉଛି ତାକୁ ସ୍ବତନ୍ତ୍ର ଭାବେ କଳା ତାଲିକା ଭୁକ୍ତ କରାଇବା ଏବଂ ବହୁ ହଇରାଣ ହରକତ କରିବା ଅଭିଯୋଗ କରିଛନ୍ତି ।
ଏହା ବି ପଢନ୍ତୁ...ବିରିଡି BDOଙ୍କ ବିରୁଦ୍ଧରେ ଦୁର୍ବ୍ୟବହାର ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବି
ଏହା ବି ପଢନ୍ତୁ...ଭୋଟର କାର୍ଡ ସଂଶୋଧନ ପାଇଁ ଅସଦାଚରଣ ଅଭିଯୋଗ, ଅଭିଯୁକ୍ତ ଗିରଫ
ଏନେଇ ଲିଖିତ ଦାବିପତ୍ର ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ଉଦ୍ଦେଶ୍ୟରେ ବୋଲଗଡ ଥାନା ଅଧିକାରୀ ଏବଂ ତହସିଲଦାରଙ୍କ ମାଧ୍ୟମରେ ପ୍ରଦାନ କରାଯାଇ ବିଡିଓଙ୍କୁ ତୁରନ୍ତ ବଦଳି ପାଇଁ ଦାବି କରାଯାଇଛି । ସେହିପରି ଆଗାମୀ 7ଦିନ ମଧ୍ୟରେ ମହିଳାମାନଙ୍କୁ ନ୍ୟାୟ ପ୍ରଦାନ କରା ନଗଲେ ମହିଳା ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିଯୋଗ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା