ଖୋର୍ଦ୍ଧା: ଖାରଜ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଆବେଦନ । ବିଧାୟକଙ୍କ ଓକିଲ ପକ୍ଷରୁ ବାଣପୁର ସହକାରୀ ଦୌରା ଜଜ (Assistant Session Judge) ଙ୍କ ନିକଟରେ ୨୮ ତାରିଖରେ ଜାମିନ ଆବେଦନ କରାଯାଇଥିବା ବେଳେ ଆଜି(ଗୁରୁବାର) ତାହାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ତେବେ କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । ଏହା ପୂର୍ବରୁ JMFC କୋର୍ଟରେ ଗତ ୨୨ ତାରିଖରେ ଜାମିନ ଆବେଦନ ଖାରଜ ହେବା ପରେ ବିଧାୟକ ବାଣପୁର ସବଜେଲରେ ଅଛନ୍ତି ।
ଶୁଣାଣି ସମୟରେ ଉଭୟ ବିଧାୟକଙ୍କ ଓକିଲ ଏବଂ ସରକାରୀ ଓକିଲ ନିଜ ନିଜ ପକ୍ଷରେ ଯୁକ୍ତି ବଢିଥିବା ବେଳେ ପରିଶେଷରେ ସହକାରୀ ଦୌରା ଜଜ ମନୋରଞ୍ଜନ ମିଶ୍ର ଚିଲିକା ବିଧାୟକଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ବର୍ତ୍ତମାନ ବିଧାୟକଙ୍କ ଓକିଲ ଜାମିନ ପାଇଁ ଉଚ୍ଚ ନ୍ୟାୟାଳୟ ଯିବେ ବୋଲି ଜଣାପଡିଛି । ସୂଚନା ଥାଉକି ବିଧାୟକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅରୂପ ଚାନ୍ଦ ଉକ୍ତ ମାମଲା ପରିଚାଳନା କରୁଥିବା ବେଳେ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସଚିତ ମିଶ୍ର ଏବଂ ରମେଶ ଚନ୍ଦ୍ର ବିଷୋୟୀ ପରିଚାଳନା କରୁଥିଲେ ।
ବାଣପୁରରେ ଭିଡ଼ ଉପରେ ଗାଡ଼ି ଚଢାଇଦେବା ଅପରାଧରେ ଜେଲରେ ଅଛନ୍ତି ବିଧାୟକ । ସେ ଭିଡ଼ ଉପରେ ଗାଡି ଚଢାଇବା ପରେ ତାଙ୍କୁ ସ୍ଥାନୀୟ ଲୋକେ ମାଡ଼ ମାରି ଲହୁ ଲୁହାଣ କରିଥିଲେ । ଏଥିରେ ଅନେକ ପୋଲିସ କର୍ମଚାରୀ ଓ ସାଧାରଣ ଜନତା ଆହତ ହୋଇଥିଲେ । ବିଧାୟକ ସମ୍ ହସ୍ପିଟାଲରୁ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ