ଖୋର୍ଦ୍ଧା: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ରାଜ୍ୟରେ କୋରୋନା ସଂକ୍ରମଣ ବିପଦ ଟଳିନାହିଁ । ମହାମାରୀ କାଳରେ ବାଣ ଫୁଟାଇଲେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ବିଶେଷଜ୍ଞ । ବାଣ ପରିବର୍ତ୍ତେ ଘରେ ମାଟିଦୀପ ଜାଳି ଦୀପାବଳି ପାଳନ କରନ୍ତୁ ବୋଲି ସାମାଜିକ ଅନୁଷ୍ଠାନ ପ୍ରେରଣା ପକ୍ଷରୁ ଆହ୍ବାନ ଦିଆଯାଇଛି । ଏହି ଅବସରରେ ଖୋର୍ଦ୍ଧାରେ ମାଟି ଦୀପ ଜାଳି ଶୋଭାଯାତ୍ରାରେ ବାହାରି ଲୋକଙ୍କୁ ସଚେତନ କରାଯାଇଛି ।
ଏହି ଅବସରରେ ପରିବେଶ ସନ୍ତୁଳନ ଲାଗି ଚାରାରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ପ୍ରତ୍ୟେକ ବ୍ୟକ୍ତି ଚାରାଟିଏ ରୋପଣ ପାଇଁ ସାଧାରଣଲୋକଙ୍କୁ ଚାରା ବଣ୍ଟନ କରାଯାଇଥିଲା । ସ୍ଥାନୀୟ ବାଟମଙ୍ଗଳା ମନ୍ଦିର ପରିସରରେ ଆୟୋଜିତ ସଭାରେ ଅତିଥି ମାନେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ । ଅନୁଷ୍ଠାନର ସଭାପତି ଡ.ଦିଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଜ୍ୟୋତିରେନ୍ଦ୍ର ନାଥ ମିତ୍ର, ସୁରେଶ କୁମାର ରାଉତରାୟଙ୍କ ସହ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ, ସାମାଜିକ କର୍ମୀ ସାମିଲ ହୋଇଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ