ଭୁବନେଶ୍ବର: ଡିସେମ୍ବର ୨୫ ତାରିଖ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୯ ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜନ ହେବ ଅଷ୍ଟମ ଅଟଳ ସମ୍ମାନ ୨୦୨୩ । ଅଷ୍ଟମ ଅଟଳ ସମ୍ମାନ ୨୦୨୩ ପାଇବେ ସମାଜସେବୀ ତଥା ପୂର୍ବତନ ବିଧାୟକ କ୍ଷୀରୋଦ ପ୍ରସାଦ ସ୍ବାଇଁ । ସେହିପରି ସାହିତ୍ୟିକା ପ୍ରଫେସର ଡଃ ସ୍ମରପ୍ରିୟା ମିଶ୍ର ଅଟଳ କବିତା ସମ୍ମାନ ଓ ଡଃ ବିଶ୍ଵନାଥ ପଟ୍ଟନାୟକ ପାଇବେ ଅଟଳ ସମାଜ ସେବା ପୁରସ୍କାର । ଏନେଇ ସୂଚନା ଦେଇଛନ୍ତି ବିଜେପିର ସାଂସ୍କୃତିକ ପ୍ରକୋଷ୍ଠର ଅଧ୍ୟକ୍ଷ ପଞ୍ଚାନନ ନାୟକ ।
୧୯୨୪ ମସିହା ଡିସେମ୍ବର ୨୫ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଜନ୍ମ ଗ୍ରହଣ କରିଥିଲେ । କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ସେଥିପାଇଁ ପ୍ରତିବର୍ଷ ସାରା ଭାରତରେ ଡିସେମ୍ବର ୨୫ ତାରିଖକୁ ସୁଶାସନ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଚଳିତ ବର୍ଷ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୯ ତମ ଜନ୍ମ ଦିବସ ପାଳନ କରାଯିବ । ଏହା ସହିତ ୮ମ ଅଟଳ ସମ୍ମାନ ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏନେଇ ସୂଚନା ଦେଇଛନ୍ତି ବିଜେପିର ସାଂସ୍କୃତିକ ପ୍ରକୋଷ୍ଠର ଅଧ୍ୟକ୍ଷ ତଥା ଗୀତିକାର ପଞ୍ଚାନନ ନାୟକ ।
ଏହା ମଧ୍ୟ ପଢ଼ନ୍ତୁ...ଜୟଦେବ ଗୌରବ ସମ୍ମାନ ୨୦୨୩ ଉଦଘାଟିତ, ଚାରଚାନ୍ଦ୍ ଲଗାଇଲେ ବଲିଉଡ୍ର ବ୍ୟାଡମ୍ୟାନ୍
ପଞ୍ଚାନନ ନାୟକ କହିଛନ୍ତି, "ବରିଷ୍ଠ ଶଲ୍ୟ ଚିକିତ୍ସକ ଓ ସମାଜସେବୀ ଡଃ ବିଶ୍ବନାଥ ପଟ୍ଟନାୟକଙ୍କୁ ଅଟଳ ସେବା ସମ୍ମାନ- ୨୦୨୩ ସମ୍ମାନରେ ସମ୍ମାନୀତ କରାଯିବ । ସେହିଭଳି ବରିଷ୍ଠ ଅଧ୍ୟାପିକା, କବିୟତ୍ରୀ ଏବଂ ଅନୁବାଦିକା ଡଃ ସ୍ମରପ୍ରିୟା ମିଶ୍ରଙ୍କୁ ଅଟଳ କବିତା ସମ୍ମାନ- ୨୦୨୩ ପ୍ରଦାନ କରାଯିବ । ଏହା ସହିତ ବରିଷ୍ଠ ରାଜନେତା, ସମାଜସେବୀ ଏବଂ ପୂର୍ବତନ ଜିଲ୍ଲା ସଭାପତି, ଭାରତୀୟ ଜନସଂଘ କେନ୍ଦୁଝର ଜିଲ୍ଲାର କ୍ଷୀରୋଦ ପ୍ରସାଦ ସ୍ବାଇଁଙ୍କୁ ମଧ୍ୟ ଅଟଳ ସମ୍ମାନ- ୨୦୨୩ରେ ସମ୍ମାନୀତ କରାଯିବ ।" ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତୃବୃନ୍ଦ ଯୋଗ ଦେବେ ବୋଲି ପଞ୍ଚାନନ ନାୟକ ସୂଚନା ଦେଇଛନ୍ତି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପିର ଓଡ଼ିଶା ସାଂସ୍କୃତିକ ପ୍ରକୋଷ୍ଠର ସହସଂଯୋଜକ ସଞ୍ଜୀବ ମିଶ୍ର ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର