ଭୁବନେଶ୍ବର: ବଢିଲା ବିଧାନସଭା ସଚିବ ଦାଶରଥି ଶତପଥୀଙ୍କ କାର୍ଯ୍ୟକାଳ। ଦାଶରଥି ଶତପଥୀଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଆହୁରି ବର୍ଷ ପର୍ଯ୍ୟନ୍ତ ଓଡିଶା ବିଧାନସଭାର ସଚିବ ଭାବେ କାର୍ଯ୍ୟ ଜାରୀ ରଖିବେ ଦାଶରଥି ଶତପଥୀ । ଲଗାତାର ଦ୍ଵିତୀୟ ଥର ଲାଗି ବଢିଛି ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଦାଶରଥି ଶତପଥୀଙ୍କ କାର୍ଯ୍ୟକାଳ ।
ଦାଶରଥିଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ଗତକାଲି(ସୋମବାର) ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ଦାଶରଥି 2024 ଫେବୃଆରୀ 31 ପର୍ଯ୍ୟନ୍ତ ବିଧାନସଭା ସଚିବ ଭାବେ ଦାୟିତ୍ୱ ତୁଲାଇବେ । ସ୍ୱତନ୍ତ୍ର ସଚିବ ଭାବେ ତାଙ୍କୁ ଅବସ୍ଥାପିତ କରାଯାଇଛି । ଓଡିଶା ପ୍ରଶାସନିକ ସେବାର ଜଣେ ଦକ୍ଷ ଅଧିକାରୀ ଭାବେ ପରିଚିତ ଦାଶରଥି ଶତପଥୀ। ପୂର୍ବରୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଭାବେ ଦକ୍ଷତାର ସହ ସେ କାର୍ଯ୍ୟ କରିଛନ୍ତି ।
2019 ମାର୍ଚ୍ଚ ମାସରେ ବିଧାନସଭା ସଚିବ ଥିବା ଅମୀୟ କୁମାର ଷଡଙ୍ଗୀଙ୍କ ଅବସର ପରେ ଏହି ଦାୟିତ୍ୱ ସମ୍ଭାଳିଥିଲେ ଦାଶରଥି । ଜୁନ ମାସରେ ଦାଶରଥି ବିଧାନସଭା ସଚିବ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ବିଧାନସଭା କାର୍ଯ୍ୟକ୍ରମ ଓ ପ୍ରଶାସନିକ କାର୍ଯ୍ୟ ସୁପରିଚାଳନା ଲାଗି ରାଜ୍ୟ ସରକାର ଦାଶରଥିଙ୍କୁ ନିଯୁକ୍ତି ଦେଇଥିଲେ । ଗତବର୍ଷ ଅବସର ନେବା ପରେ ମଧ୍ୟ ଦାଶରଥିଙ୍କୁ ବିଧାନସଭା ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା । ରାଜ୍ୟର ଜଣେ ବିଶିଷ୍ଟ କବି ଓ ଲେଖକ ଭାବେ ଦାଶରଥିଙ୍କର ସୁନାମ ରହିଛି ।
ସେପଟେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ସ୍ବାସ୍ଥ୍ୟ ବିଭା ଗ। ମୃତ୍ୟୁର ଗୋଟିଏ ଦିନ ପରେ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ନିରଞ୍ଜନ ପୂଜାରୀଙ୍କୁ ଦିଆଯାଇଥିଲା । ଅର୍ଥ ସହ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାଇତ୍ୱ ତୁଲାଇବେ ନିରଞ୍ଜନ । ସ୍ୱାସ୍ଥ୍ୟମନ୍ତ୍ରୀ ପଦବୀ ପୂରଣ କରିବା ଲାଗି ରାଜ୍ୟପାଳଙ୍କୁ ନିରଞ୍ଜନ ପୂଜାରୀଙ୍କ ନାଁ ପ୍ରସ୍ତାବ ଦେଇଥିଲେ ରାଜ୍ୟ ସରକାର । ସ୍ୱାସ୍ଥ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବାରୁ ତତ୍କାଳ ଅନୁମୋଦନ ଦେଇଛନ୍ତି ରାଜ୍ୟପାଳ । ଅର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଥିବାବେଳେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ତାଙ୍କ ଉପରେ ଚାପ ରହିବ । ଆଗାମୀ ଦିନରେ ରାଜ୍ୟ ସରକାର ବଜେଟ ଆଣିବାକୁ ଯାଉଛନ୍ତି । ତେଣୁ ଉଭୟ ବିଭାଗରେ ସମନ୍ୱୟ ରଖି ନିରଞ୍ଜନଙ୍କୁ କାର୍ଯ୍ୟ କରିବାକୁ ପଡିବ ।
ଇଟିଭି ଭାରତ, ଭୁବନେଶ୍ବର