ଖୋର୍ଦ୍ଧା: ଡ଼ିଆ ପଞ୍ଚାୟତର ଇଷ୍ଟଦେବ ଶ୍ରୀ କପିଳେଶ୍ଵରଦେବଙ୍କ ପାରମ୍ପରିକ ଅଶୋକାଷ୍ଟମୀ ରଥଯାତ୍ରା ଶନିବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦୁଇବର୍ଷର କରୋନା କଟକଣା ପରେ ଭକ୍ତ ଭଗବାନଙ୍କ ମିଳନ ହୋଇଛି । ଚୈତ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପ୍ରତ୍ୟୁଷରୁ ମନ୍ଦିର ଖୋଲାଯାଇ ଶ୍ରୀ ଜୀଉଙ୍କୁ ସ୍ନାନମାଜଣା କରାଯାଇଥିଲା। ବଡ଼ି ଭୋରୁ ନିଃସନ୍ତାନ ମହିଳାମାନେ ଠାକୁରଙ୍କୁ ପହିଲି ଗରାଜଳରେ ମହାସ୍ନାନ କରାଇଥିଲେ । ଶୁଖିଲା ଭୋଗ ଓ ମଧ୍ୟାହ୍ନ ଧୂପ ଲଗି ହେବାପରେ ଶ୍ରୀ ଜୀଉଙ୍କୁ ମଣ୍ଡପକୁ ବିଜେ କରାଯାଇଥିଲା ।
ରଥଯାତ୍ରା ନିମନ୍ତ୍ରଣ ରକ୍ଷାକରି ପଡ଼ୋଶୀ ଗ୍ରାମର ଇଷ୍ଟଦେବ ଗ୍ରାମେଶ୍ଵରଦେବଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାରେ ଗହୀର ଜମିଦେଇ ମନ୍ଦିର ବେଢାକୁ ପାଛୋଟି ଅଣାଯାଇଥିଲା । ପରେ ଉଭୟ ଜୀଉଙ୍କୁ ଆଡ଼ପ ମଣ୍ଡପକୁ ଅଣାଯାଇ ସାମୁହିକ ଭୋଗ ଲାଗି କରାଯିବା ପରେ ମନ୍ଦିର ପରିକ୍ରମା କରାଯାଇ ଏକ ବିରାଟ ପଟୁଆରରେ ରଥାରୂଢ଼ କରାଯାଇଥିଲା ।
ହରିବୋଲ, ହୁଳହୁଳି, ନାମ ସଂକୀର୍ତ୍ତନ, ଘଣ୍ଟ, ତୂରୀ, ମୃଦଙ୍ଗ ଶବ୍ଦରେ ପୀଠଟି ଉତ୍ସବମୁଖର ହୋଇଉଠିଥିଲା । ଶ୍ରୀଜିଉମାନେ ରଥାରୂଢ ହେବା ପରେ ଭକ୍ତଙ୍କ ଦ୍ବାରା ଟଣା ହୋଇ ଭେଟବାଲି ଦେଇ ଗହୀର ଜମି ମଧ୍ୟରେ ପୂର୍ବପ୍ରସ୍ତୁତି ପଣାକିଆରିରେ ପହଞ୍ଚିଥିଲେ । ରଥ ପଣାକିଆରିରେ ପହଞ୍ଚିବାପରେ ବେଦବାଡ଼ିରେ ବିଶ୍ରାମ ଦିଆଯାଇ ପଣାଭୋଗ ସମର୍ପଣ କରାଯାଇଥିଲା । ପରମ୍ପରା ଅନୁସାରେ ଶ୍ରୀଜିଉମାନେ ଆଜି ଉକ୍ତ ପଣାକିଆରୀଠାରେ ବିଶ୍ରାମ ନେବାପରେ ଆଜି ସନ୍ଧ୍ୟାରେ ଭୋଗଲାଗି ପରେ ଡ଼ିଆ ଗ୍ରାମସ୍ଥିତ ଗୋପିନାଥ ମନ୍ଦିର (ଗୁଣ୍ଡିଚା ଘର)କୁ ପଦାର୍ପଣ କରିବେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ