ଭୁବନେଶ୍ବର: FIH ଓଡିଶା ପୁରୁଷ ହକି ବିଶ୍ୱକପ ୨୦୨୩ ର ପ୍ରଥମ ମ୍ୟାଚ ଜିତିଲା ଶକ୍ତିଶାଳୀ ଆର୍ଜେଣ୍ଟିନା । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଉଦଘାଟନୀ ମ୍ୟାଚରେ ବିପକ୍ଷ ଦଳ ଦକ୍ଷିଣ ଆଫ୍ରିକାକୁ ୧-୦ ଗୋଲରେ ପରାସ୍ତ କରିଛି ଆର୍ଜେଣ୍ଟିନା । କଳିଙ୍ଗ ଷ୍ଟାଡିୟମରେ ଦ୍ବିତୀୟ ମ୍ୟାଚ୍ ଆରମ୍ଭ । ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ମ୍ୟାଚ ଆରମ୍ଭ ।
ପୁରୁଷ ହକି ବିଶ୍ୱକପ ୨୦୨୩ ର ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ପକ୍ଷରୁ ପ୍ରଥମ ଓ ଏକମାତ୍ର ଗୋଲ ଦେଇଛନ୍ତି ମାଇକୋ କାସେଲ୍ଲା। ମ୍ୟାଚର ତୃତୀୟ କ୍ୱାର୍ଟରର ଶେଷ ମିନିଟରେ ବିଜୟୀ ଆର୍ଜେଣ୍ଚିନା ଗୋଲ ଦେଇଥିଲା ।
ଉଦଘାଟନୀ ମ୍ୟାଚ ଉଭୟ ଦଳ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଥିଲା। ପ୍ରଥମ କ୍ୱାର୍ଟରରେ ଦୁଇ ଦଳ ରକ୍ଷାଣାତ୍ମକ ଢଙ୍ଗରେ ଖେଳିଥିଲେ। ପ୍ରଥମ କ୍ୱାର୍ଟର ଗୋଲ ଶୂନ୍ୟ ରହିଥିଲା । ଦ୍ୱିତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନା ଆଟାକିଂ ମୁଡରେ ଖେଳିଥିଲା । ହେଲେ ଉଭୟ ଦଳ କୌଣସି ଗୋଲ ଦେବାରେ ସକ୍ଷମ ହୋଇନଥିଲେ । ଦ୍ୱିତୀୟ କ୍ୱାର୍ଟର ମଧ୍ୟ ଗୋଲ ଶୂନ୍ୟ ରହିଥିଲା ।
ହାଫ ଟାଇମ ପରେ ତୃତୀୟ କ୍ୱାର୍ଟର ବେଶ ରୋମାଞ୍ଚକର ହୋଇଥିଲା । ଆର୍ଜେଣ୍ଟିନା ସପକ୍ଷରେ ଥିଲା ତୃତୀୟ କ୍ୱାର୍ଟର । ଦଳକୁ ଲଗାତାର ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିଲା । କିନ୍ତୁ ଏହା ଗୋଲରେ ପରିଣତ କରିପାରିନଥିଲା ଦଳ । କିନ୍ତୁ କ୍ୱାର୍ଟର ଶେଷ ହେବାକୁ କିଛି ସମୟ ଥିବାବେଳେ ମାଇକୋ କାସେଲ୍ଲା ଏକ ଗୋଲ ଦେଇ ଦଳକୁ ସୁରକ୍ଷିତ ସ୍ଥାନକୁ ନେଇଥିଲେ । ଏଥିସହ ତୃତୀୟ କ୍ବାର୍ଟର ଶେଷ ସୁଦ୍ଧା ଆର୍ଜେଣ୍ଟିନା ୧-୦ରେ ଆଗୁଆ ରହିଥିଲା ।
ମ୍ୟାଚର ଶେଷ କ୍ବାର୍ଟରରେ ବି ଆର୍ଜେଣ୍ଟିନାର ପଲ୍ଲା ଭାରି ରହିଥିଲା । ଶେଷ ଭାଗରେ ଦକ୍ଷିଣ ଆଫ୍ରିକାକୁ ପେନାଣ୍ଟି କର୍ଣ୍ଣର ମିଳିଥିଲେ ବି ଦଳ ବିଫଳ ହୋଇଥିଲା । କଳିଙ୍ଗ ଷ୍ଟାଡିୟମରେ ଆଜି ଦ୍ବିତୀୟ ମ୍ୟାଚ ଜାରି ରହିଥିବା ବେଳେ, ସଂଧ୍ୟ୍ୟାରେ ଭାରତ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ସ୍ପେନକୁ ଭେଟିବ ।
ଇଟିଭି ଭାରତ, ଭୁବନେଶ୍ବର