ଭୁବନେଶ୍ୱର: ରାଜ୍ୟ ବିଜେପି ପକ୍ଷରୁ ଶନିବାର ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ବିଜେପିର ବରିଷ୍ଠ ନେତା, ବିଧାୟକ, ପ୍ରଭାରୀ ଓ ସାଂସଦମାନେ ଉପସ୍ଥିତ ରହିଥିଲେ । ହେଲେ ଖୋଦ୍ ଭୁବନେଶ୍ବରର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଏଠାରେ ଦେଖା ନ ଥିଲା । ଖାଲି ଅପରାଜିତା ନୁହଁନ୍ତି ବରଗଡ ସାଂସଦ ସୁରେଶ ପୂଜାରୀ ଓ ଜୁଏଲ ଓରାମଙ୍କୁ ମଧ୍ୟ ସମ୍ବର୍ଦ୍ଧନା ସଭାରେ ଦେଖିବାକୁ ମିଳିନଥିଲା ।
ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।
କେନ୍ଦ୍ରରେ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ ପରେ ପ୍ରଥମଥର ଓଡିଶା ଆସିଥିବା ଏହି ଦୁଇ ନେତାଙ୍କୁ ନେଇ ଚଳଚଞ୍ଚଳ ଥିଲା ରାଜ୍ୟ ବିଜେପି କ୍ୟାମ୍ପ । ଭୁବନେଶ୍ୱରରେ ସଭା ହେଉଛି ହେଲେ ଅପରାଜିତା ଷଡଙ୍ଗୀଙ୍କ ଅନୁପସ୍ଥିତିକୁ ନେଇ ଅନେକ ପ୍ରଶ୍ନ ଉଠିଛି । ହେଲେ ଏନେଇ ଅପରାଜିତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ