ଭୁବନେଶ୍ବର: ଦୁର୍ବଳ ହେବାରେ ଲାଗିଛି ଅବପାତ । ଏହି ଅବପାତ ୧୨ ଘଣ୍ଟାରେ ସଦୃଶ ଲଘୁଚାପରେ ପରିଣତ ହେବ । ଝାଡଖଣ୍ଡ ନିକଟରେ ସୃଷ୍ଟି ହୋଇଥିବା ଅବପାତ ବର୍ତ୍ତମାନ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି । ଫଳରେ ଆଜିଠାରୁ ରାଜ୍ୟରେ କମିବ ବର୍ଷର ପ୍ରଭାବ । ଆସନ୍ତା ୨୪ ଘଣ୍ଟାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ଅର୍ଥାତ ୪ ତାରିଖରୁ ୮ ତାରିଖ ଯାଏଁ ରାଜ୍ୟରେ କେବଳ ବିସ୍ତୃତ ବର୍ଷା ଦେଖିବାକୁ ମିଳିବ । ଆଗମୀ ୩-୪ ଦିନ ପାଇଁ କୌଣସି ଜିଲ୍ଲା ପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇନାହିଁ । ଆସନ୍ତା ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ କାଲିଠାରୁ ଶୁଖିଲା ପାଗ କିଛିକାଂଶରେ ରାଜ୍ୟରେ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଏହା ବି ପଢନ୍ତୁ- ଏବେ ଆଉ ଖୋଲିବ ନାହିଁ ହୀରାକୁଦ ଗେଟ: ସର୍ବୋଚ୍ଚ ଯନ୍ତ୍ରୀ
ଅନ୍ୟପଟେ ଗତକାଲି ସାରା ରାଜ୍ୟରେ ବିସ୍ତୃତ ବର୍ଷା ସହ ବିଶେଷ ଭାବେ ଆଭ୍ୟନ୍ତରୀଣ ଓଡ଼ିଶାର ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ବର୍ଷା ହୋଇଛି । ୧୩ ଜିଲ୍ଲାରେ ୧୦୦ ଊର୍ଦ୍ଧ୍ବ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସୁନ୍ଦରଗଡ଼ର କୁତ୍ରାଠାରେ ବିଗତ ୨୪ ଘଣ୍ଟାରେ ୧୯୫.୪ ମିଲି ମିଟର ରେକର୍ଡ କରାଯାଇଛି । ସେହିପରି ସୁନ୍ଦରଗଡ଼ର ପାନପସରେ ୧୮୫ .୬, ରାଉଲକେଲାରେ ୧୭୫.୦, ମନ୍ଦିରା ଡ୍ୟାମରେ ୧୭୬.୬ ମିମି, ରାଜନଗର ୧୫୭.୩ ଓ ବାରଗାଓଁରେ ୧୫୪.୬ ମିମି ମିଟର ବର୍ଷା ରେକର୍ଡ ହୋଇଛି ।
ସେପଟେ ଜୁନ ୧ରୁ ୩ ଅଗଷ୍ଟ ମଧ୍ୟରେ ସ୍ବାଭାବିକ ବର୍ଷା ୫୮୬.୩ ମିଲିମିଟର ତୁଳନାରେ ସାରା ରାଜ୍ୟରେ ୬୨୭.୯ ମିଲିମିଟର ରେକର୍ଡ କରାଯାଇଛି । ୧୦ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ସହ ୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଗତ ୩ ଦିନ ଭିତରେ ୧୦୦ ମିମିରୁ ଅଧିକା ବର୍ଷା ହୋଇଥିବା ବେଳେ ଏହା ରାଜ୍ୟର ନିଅଣ୍ଟିଆ ବର୍ଷାକୁ ଭରଣ କରିବାରେ ସହାୟକ ହୋଇଛି ବୋଲି କହିଛି ପାଣିପାଗ ବିଭାଗ । ଶୁକ୍ରବାରଠାରୁ ରାଜ୍ୟରେ ବର୍ଷାର ପରିମାଣ କ୍ରମଶଃ କମିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ.ଆର ବିଶ୍ବାସ ।
ଇଟିଭି ଭାରତ, ଭୁବନେଶ୍ବର