ଭୁବନେଶ୍ବର: ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ । ପ୍ରତିବର୍ଷ ଓଡ଼ିଶା ବାତ୍ୟା, ବନ୍ୟା, ମରୁଡ଼ି ଭଳି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ । ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ପଥ ପ୍ରଦର୍ଶକ ହୋଇପାରିଛି । ଏପରିକି ଜାତୀୟ ଓ ବିଶ୍ବସ୍ତରରେ ମଧ୍ୟ ଓଡ଼ିଶା ଏଥିପାଇଁ ପ୍ରଶଂସିତ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ହେଉ ବା ମହାମାରୀ ପରିଚାଳନା । ଏହା ଉପରେ ଅଧିକ ଦକ୍ଷ ହେବେ ସମସ୍ତ ସରକାରୀ କର୍ମଚାରୀ । ଯାହାଫଳରେ ବିପର୍ଯ୍ୟୟର ସଠିକ ମୁକାବିଲା କରିବାରେ ଏହି ଅଭିଜ୍ଞତା ସହାୟକ ହେବ ।
ଏହା ମଧ୍ୟ ପଢ଼ନ୍ତୁ: 2024 Election: ବିଜେଡି ପାଇଁ ନିଆଳି ଚିନ୍ତା, ବଢ଼ୁଛି ଟିକେଟ୍ ଆଶାୟୀଙ୍କ ତାଲିକା
ସୂଚନା ଅନୁସାରେ, ଗ୍ରୁପ୍-ଡି ଠାରୁ ଗ୍ରୁପ୍-ଏ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀ ବିପର୍ଯ୍ୟୟ ପରିଚାଳନା ତାଲିମ ନେବେ । ସମ୍ପୂର୍ଣ୍ଣ ରାଜ୍ୟର ସବୁ କ୍ୟାଡରର ଏବଂ ସବୁ ସ୍ତରର ସରକାରୀ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କରାଯିବ । ଏଥିପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା) ଅନଲାଇନ ପାଠ୍ୟକ୍ରମ ମଡ୍ୟୁଲ ବିକଶିତ କରିବା ଉପରେ ଗୁରୁତ୍ବ ଦେଇଛି । ସରକାରୀ କର୍ମଚାରୀଙ୍କ ପାଇଁ ବିପର୍ଯ୍ୟୟ ପରିଚାଳନା ଉପରେ ଅନଲାଇନ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ଓସଡମା ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ କୁହାଯାଇଛି । ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ଜରିଆରେ ଓସଡମାର ବୈଷୟିକ ଏବଂ ଆର୍ଥିକ ସହାୟତାରେ ଓ ଉଚ୍ଚଶିକ୍ଷା ବିଭାଗର ତତ୍ତ୍ବାବଧାନରେ ଏହି ଅନଲାଇନ ପାଠ୍ୟକ୍ରମ ମଡ୍ୟୁଲ ପ୍ରସ୍ତୁତ ହେବ । ଏହା ଉପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ମତାମତ ଲୋଡ଼ାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ: ଅରୁଣ ବୋଥ୍ରା କ୍ରୁଟ ଏମଡି, ଅମିତାଭଙ୍କୁ ଜେଲ ବିଭାଗ ଅତିରିକ୍ତ ଦାୟିତ୍ବ
ଅନ୍ୟପଟେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମ ପ୍ରସ୍ତୁତି କରାଯାଉଛି । ତେବେ ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନାକୁ ସାମିଲ ପାଇଁ ୨୦୨୦ ଡିସେମ୍ବର ୨୯ ତାରିଖରେ ରାଜ୍ୟ କ୍ୟାବିନେଟରେ ଏକ ସଂକଳ୍ପ ଗୃହୀତ କରିଥିଲେ ମଧ୍ୟ 5T କାର୍ଯ୍ୟକାରୀ କରୁଥିବା ବିଭାଗ ଏ ଦିଗରେ ତ୍ୱରିତ୍ୱ ପଦକ୍ଷେପ ନନେବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଗାମୀ ଦିନରେ ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ସାମିଲ କରାଯିବ । ଯାହା ଫଳରେ ଛାତ୍ରଛାତ୍ରୀମାନେ ଏହି ବିପର୍ଯ୍ୟୟ ପରିଚାଳନା ବିଷୟରେ ଅଧିକରୁ ଅଧିକ ଜାଣିପାରିବେ ।
ଇଟିଭି ଭାରତ, ଭୁବନେଶ୍ବର