ଭୁବନେଶ୍ବର: ଓଡିଶା କର୍ମଚାରୀ ଚୟନ ଆୟୋଗ (Odisha Staff Selection Commission) ଙ୍କ ଦ୍ୱରା ୨୦୨୨ ବର୍ଷରେ ୫୩ଟି ନିଯୁକ୍ତି ବିଜ୍ଞାପନର ଫଳାଫଳ ଚୁଡ଼ାନ୍ତ ହୋଇ ପ୍ରକାଶିତ ହୋଇଛି । ଏଥି ମଧ୍ୟରେ ୨୦୧୬ ବର୍ଷର ୬ଟି ନିଯୁକ୍ତି ବିଜ୍ଞାପନ, ୨୦୧୭ର ୮ଟି, ୨୦୧୮ ର ଦୁଇଟି, ୨୦୧୯ ର ୧୬ଟି, ୨୦୨୦ ର ତିନୋଟି, ୨୦୨୧ ର ୧୪ ଟି ଏବଂ ୨୦୨୨ ର ଦୁଇଟି ନିଯୁକ୍ତି ବିଜ୍ଞାପନ ରହିଛି । ଏହି ସମସ୍ତ ପ୍ରକ୍ରିୟାରେ ୨୪୮୮ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି । ଓଡିଶା କର୍ମଚାରୀ ଚୟନ ଆୟୋଗଙ୍କ ବାର୍ଷିକ ବିବରଣୀରେ ପ୍ରକାଶ ପାଇଛି ।
ଏହାବି ପଢନ୍ତୁ- ବାପାକୁ କୋଦାଳରେ ହାଣି ମୃତଦେହକୁ ଦୁଇଦିନ ଲୁଚାଇ ରଖିଥିଲା ପୁଅ, ପିତୃହନ୍ତା ଗିରଫ
ମିଳିତ ନିଯୁକ୍ତି ପରୀକ୍ଷା ଉଭୟ କର୍ମଚାରୀ ଚୟନ ଆୟୋଗ ଏବଂ ଆବେଦନକାରୀଙ୍କ ସମୟ ଏବଂ ପ୍ରୟାସକୁ ହ୍ରାସ କରୁଥିବା ପରିପ୍ରେକ୍ଷୀରେ ଓଏସଏସସିର ସୁପାରିଶ କ୍ରମେ ସରକାର ଛଅଟି ମିଳିତ ନିଯୁକ୍ତି ପରୀକ୍ଷା ସଂପର୍କରେ ସୂଚନା ଦେଇଛନ୍ତି । ଅନ୍ୟ ଏକ ମିଳିତ ପରୀକ୍ଷାର ସୂଚନା ମଧ୍ୟ ଖୁବଶୀଘ୍ର ସରକାରଙ୍କ ପକ୍ଷରୁ ଦିଆଯିବ । ନଭେମ୍ବର ୨୦୨୨ ଏବଂ ଡିସେମ୍ବର ୨୦୨୨ରେ ପାଞ୍ଚଟି ମିଳିତ ନିଯୁକ୍ତି ପରୀକ୍ଷା ପାଇଁ ଆବେଦନ ଆମନ୍ତ୍ରଣ କରାଯାଇଛି । ଓଏସଏସସି ପକ୍ଷରୁ ୨୦୨୨ ଅଗଷ୍ଟ ମାସ ପରଠାରୁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ କମ୍ପ୍ୟୁଟର ଭିତ୍ତିକ ପ୍ରାଥମିକ ପରୀକ୍ଷା କରାଯାଉଛି । ପୂର୍ବରୁ ଏହା କେବଳ ପାଞ୍ଚ-ଛଅଟି ଜିଲ୍ଲାରେ କରାଯାଉଥିଲା । ପୂର୍ବରୁ ନିଯୁକ୍ତି ପାଇଁ ବିଜ୍ଞାପନ କେବଳ ଇଂରାଜୀରେ ପ୍ରକାଶ ପାଉଥିବାବେଳେ ଏବେ ଓଡ଼ିଆ ଏବଂ ଇଂରାଜୀ ଉଭୟ ଭାଷାରେ ବିସ୍ତୃତ ବିଜ୍ଞାପନ ପ୍ରକାଶିତ ହେଉଛି ।
ଆବେଦନକାରୀମାନଙ୍କଠାରୁ ଓଡ଼ିଆ କିମ୍ବା ଇଂରାଜୀରେ ପରୀକ୍ଷା ପାଇଁ ବିକଳ୍ପ ନିଆଯାଉଛି ଏବଂ ସେହି ଅନୁସାରେ ୨୦୨୩ ଜାନୁଆରୀରୁ ପ୍ରାର୍ଥୀ ତାଙ୍କ ଇଚ୍ଛା ଅନୁଯାୟୀ ଓଡ଼ିଆ କିମ୍ବା ଇଂରାଜୀ ଭାଷାରେ ପରୀକ୍ଷା ଦେଇପାରିବେ । ୨୦୨୨ ଅଗଷ୍ଟ କିମ୍ବା ପରବର୍ତ୍ତୀ ସମୟରେ ଯେଉଁସବୁ ପରୀକ୍ଷା ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଥିଲା, ସେହିସବୁ ପରୀକ୍ଷାରେ ପ୍ରାର୍ଥୀମାନଙ୍କର ନମ୍ବର ତାଙ୍କ ବ୍ୟକ୍ତିଗତ ଅନଲାଇନ ଆକାଉଣ୍ଟ ମାଧ୍ୟମରେ ପଠାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ୨୦୨୩ରେ ସମସ୍ତ କମ୍ପ୍ୟୁଟର ଆଧାରିତ ମୁଖ୍ୟ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ରରେ ଜାମର୍ ଲଗାଯିବା ପାଇଁ ଓଏସଏସସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଓଏସଏସସି କାର୍ଯ୍ୟାଳୟ ୟୁନିଟ-୨ସ୍ଥିତ ନୂତନ କ୍ୟାମ୍ପସକୁ ସ୍ଥାନାନ୍ତରିତ କରାଯାଇଛି । ଆବେଦନକାରୀଙ୍କର ସାର୍ଟିଫିକେଟ ଯାଞ୍ଚ ନିମନ୍ତେ କାର୍ଯ୍ୟାଳୟ ମଧ୍ୟରେ ଉପଯୁକ୍ତ ଏବଂ ପ୍ରଶସ୍ତ ସ୍ଥାନ ନିର୍ଦ୍ଧାରଣ କରାଯାଇଛି । ନଭେମ୍ବର ୨୦୨୨ ଏବଂ ଡିସେମ୍ବର ୨୦୨୨ରେ ୧୦ଟି ବିଜ୍ଞାପନ ପ୍ରକାଶିତ ହୋଇଥିଲା ଯାହା ପ୍ରାୟ ଦଶ ହଜାର ପୋଷ୍ଟ ପାଇଁ ଆବେଦନକୁ ଆମନ୍ତ୍ରଣ କରିଥିଲା । ଓଏସଏସସି ପକ୍ଷରୁ ଏହି ପ୍ରତ୍ୟେକ ନିଯୁକ୍ତିକୁ ୯ ମାସ କିମ୍ବା ତା’ଠାରୁ କମ ସମୟ ମଧ୍ୟରେ ଶେଷ କରିବାକୁ ଯୋଜନା କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର