ଭୁବନେଶ୍ୱର: ରାଜଧାନୀରେ ରାଜରାସ୍ତାରେ ଗର୍ଜିଲା ABVP । ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଶିକ୍ଷା, ସୁରକ୍ଷା ଓ ରୋଜଗାର ଦାବିରେ ABVP ପକ୍ଷରୁ ଆଜି ଦିଆଯାଇଥିଲା ରଣହୁଙ୍କାର । ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ମାନମାନିକୁ ନେଇ ଭୁବନେଶ୍ୱର ସ୍ଵାଧୀନତା ସଂଗ୍ରାମୀ ପଡ଼ିଆରୁ ଏକ ଶୋଭାଯାତ୍ରା ବାହାରି ଲୋୟର ପିଏମଜିରେ ପହଞ୍ଚି ABVP ଆନ୍ଦୋଳନ କରିଛି ।
ଛାତ୍ରସଂସଦ ନିର୍ବାଚନକୁ ତୁରନ୍ତ ଆରମ୍ଭ କରିବା, ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟରେ ଖାଲିଥିବା ଅଧ୍ୟାପକ ପଦବୀ ଏବଂ ଅଣଅଧ୍ୟାପକ ପଦବୀ ସ୍ଥାୟୀ ଭାବେ ପୂରଣ କରିବା, ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସରଗୁଡ଼ିକୁ ଦଳୀୟ ରାଜନୀତି ଓ ଗୁଣ୍ଡାରାଜରୁ ମୁକ୍ତ କରିବା, କାର୍ଯ୍ୟରତ ଅଧ୍ୟାପକ/ଅଧ୍ୟାପିକାମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ କରିବା, ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କର ଷ୍ଟାଇପେଣ୍ଡ ବଜାର ମୂଲ୍ୟ ସୂଚକାଙ୍କ ଅନୁଯାୟୀ ବୃଦ୍ଧି ତଥା ଛାତ୍ରାବାସଗୁଡ଼ିକର ଉନ୍ନତିକରଣ କରିବା, ଅଧ୍ୟାପକ ନିଯୁକ୍ତି ପାଇଁ ସର୍ବଭାରତୀୟ ସ୍ତରର NET ପରୀକ୍ଷା ଭଳି ରାଜ୍ୟରେ SET ପରୀକ୍ଷା ଆରମ୍ଭ କରିବା, ରାଜ୍ୟରେ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟରେ ଡିଜିଟାଲ ଶିକ୍ଷାକୁ ଗୁରୁତ୍ଵ ଦେବା ସହ ଇ-ଲାଇବ୍ରେରୀ ପ୍ରସ୍ତୁତ କରିବା, ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ ତୁରନ୍ତ ଲାଗୁ କରିବା ପାଇଁ ପ୍ରକ୍ରିୟା କରିବା ଆଦି ମୁଖ୍ୟ ଦାବିଗୁଡ଼ିକୁ ନେଇ ଆଜି ଆନ୍ଦୋଳନ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ।
ଏହା ମଧ୍ୟ ପଢନ୍ତୁ ... ଜୋର ଧରିଲାଣି ଛାତ୍ର ସଂସଦ ନିର୍ବାଚନ ଦାବି
କଲେଜ୍ ଜମିକୁ କଲେଜ ନାମରେ ପଞ୍ଜିକୃତ କରାଯିବାକୁ ନେଇ ଏପର୍ଯ୍ୟନ୍ତ ଓଡ଼ିଶାର ୯୦ ପ୍ରତିଶ୍ରତ କଲେଜର ଜମି କଲେଜ ନାମରେ ପଞ୍ଜିକୃତ ହୋଇନାହିଁ । ତେଣୁ କଲେଜର ଜମି କଲେଜର ନାମରେ ତୁରନ୍ତ ପଞ୍ଜିକୃତ କରାଯାଉ । କଲେଜ ପରିଚାଳନା ସମିତିର ସଭାପତି ଭାବେ ବିଧାୟକଙ୍କ ବଦଳରେ ଶିକ୍ଷାବିତଙ୍କୁ ନିଯୁକ୍ତି ଦିଆଯାଉ। ସ୍ଵୟଂଶାସିତ ମହାବିଦ୍ୟାଳୟମାନଙ୍କ ପରୀକ୍ଷା ଓ ଫଳ ପ୍ରକାଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯାଉ। ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ଯୋଗ୍ୟ ଅଧ୍ୟାପକମାନଙ୍କ ନିଯୁକ୍ତି ସହିତ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ପରବର୍ତ୍ତୀ ନିଯୁକ୍ତି ପ୍ରତି ଧ୍ୟାନ ଦିଆଯାଉ । ରାଜ୍ୟର ସମସ୍ତ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ରୀନିବାସ ନିର୍ମାଣ ସହିତ କ୍ୟାମ୍ପସରେ ଛାତ୍ରୀମାନଙ୍କର ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ। ରାଜ୍ୟରେ ଗୋଟିଏ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଉ । ସେଲ୍ଫ ଫାଇନାନ୍ସକୁ ସରକାରୀ କଲେଜରେ ବନ୍ଦ କରି ତାହାକୁ ରେଗୁଲାର୍ କୋର୍ସରେ ପରିବର୍ତ୍ତନ କରାଯାଉ । ଏଭଳି ଅନ୍ୟାନ୍ୟ ଦାବିଗୁଡିକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଆନ୍ଦୋଳନ କରିଛନ୍ତି । ଅନ୍ୟପଟେ ମହିଳାଙ୍କ ସୁରକ୍ଷା ନିମନ୍ତେ ସବୁ ବ୍ଲକରେ ମହିଳା ଥାନା ଓ ସବୁ ଥାନାରେ ସ୍ଵତନ୍ତ୍ର ମହିଳା ଡେସ୍କ ସ୍ଥାପନା କରାଯାଉ। ମହିଳା ଓ ଶିଶୁ ସୁରକ୍ଷା ଆଇନକୁ କଡାକଡି ଭାବେ ପାଳନ କରାଯାଇ ଦୋଷୀ ସାବ୍ୟସ୍ତ ହେଉଥିବା ଅପରାଧିଙ୍କୁ କଠୋର ଦଣ୍ଡ ପ୍ରଦାନ କରାଯାଉ ବୋଲି ବି ABVPର ଦାବି ରହିଛି ।
ଇଟିଭି ଭାରତ, ଭୁବନେଶ୍ୱର