ଖୋର୍ଦ୍ଧା: ସୋଲଫୁଲରେ ସଜେଇ ହେବ ସାଆନ୍ତେଙ୍କ ରଥ । ଚିକିମିକି ଝଲସିବେ କଳା ସାଆନ୍ତେ । ହେଲେ ଏହି ଧୋବ ଫରଫର ସୋଲ ଫୁଲ ପ୍ରସ୍ତୁତ କରେ କିଏ ? କିଏ ଶ୍ରୀଜୀଉଙ୍କ ରଥକୁ ସୋଲ ଫୁଲରେ ସଜାଇଥାଏ । ତେବେ ଜାଣନ୍ତୁ ଏହା ପଛର ଇତିହାସ, 1999 ମସିହାର କଥା । ପୁରୀ ରଥଯାତ୍ରା ଦେଖିବାକୁ ଯାଇଥିଲେ ଖୋର୍ଦ୍ଧା ଗୁରୁଜଙ୍ଗ ଗ୍ରାମର ସୋଲ ଫୁଲ କାରିଗର ରାଜ କିଶୋର ଏବଂ ତାଙ୍କ ପରିବାର । ସେବେଠାରୁ ମନସ୍ଥ କରିଥିଲେ ଶ୍ରୀଜୀଉଙ୍କ ରଥକୁ ସୋଲ ଫୁଲରେ ସଜାଇବେ । ଆଉ ଆଜି ଯାଏଁ ଶ୍ରୀମନ୍ଦିର ପ୍ରଶାସନର ଅନୁମତିରେ ସେ ସୋଲଫୁଲ ଯୋଗାଇଥାନ୍ତି।
ପବିତ୍ର ଅକ୍ଷୟ ତୃତୀୟାରୁ ରାଜ କିଶୋର ନୀତି ନିୟମରେ ପୂଜାର୍ଚ୍ଚନା କରି ସୋଲ ଫୁଲ କାମ ଆରମ୍ଭ କରିଥାନ୍ତି । ନେତ୍ରୋତ୍ସବ ଦିନ ପୁରୀରେ ପହଞ୍ଚି ତିନି ରଥକୁ ସୋଲ ଫୁଲରେ ସଜାନ୍ତି । ସୋଲ ଫୁଲ ପ୍ରସ୍ତୁତି ପାଇଁ କଞ୍ଚା ସୋଲ ପୁରୀ ନିମାପଡା, ଗୋପ, କଣାସ, କାକଟପୁର ଅଞ୍ଚଳରୁ ସଂଗ୍ରହ କରିଥାନ୍ତି । ଏହାପରେ ସେଗୁଡିକୁ ଶୁଖାଇ ଆବଶ୍ୟକ ଅନୁସାରେ କାଟି ସେଥିରୁ ଜୀବନ୍ତ ଭାବରେ କଦମ୍ବ, ସୂର୍ଯ୍ୟମୁଖୀ, ସେବତୀ ଆଦି ଭଳିକି ଭଳି ଫୁଲ ଫୁଟାଇଥାନ୍ତି । ବିନା ରସାୟନିକ ରଙ୍ଗ ସାହାଯ୍ୟରେ କେବଳ ଚୁମୁକି ଓ ମିନା ବ୍ୟବହାର କରି ଫୁଲ ଗୁଡିକୁ ଅତି ଆକର୍ଷଣୀୟ କରିଥାନ୍ତି ରାଜକିଶୋର । ହେଲେ ସବୁଠାରୁ ବଡ କଥା ହେଲା ଏଥିପାଇଁ ସେ ପାରିଶ୍ରମିକ ନେଇନଥାନ୍ତି ।
ଯଦି ରାଜକିଶୋରଙ୍କ ପରିବାରକୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ସରକାରଙ୍କ ପକ୍ଷରୁ କିଛି ଆର୍ଥିକ ପ୍ରୋତ୍ସାହନ ମିଳିଲେ ଆହୁରି ସୁନ୍ଦର ଢଙ୍ଗରେ ରଥକୁ ସଜାଇ ପାରନ୍ତେ ବୋଲି କହିଛନ୍ତି ରାଜକିଶୋର ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ