ଖୋର୍ଦ୍ଧା: ଜିଲ୍ଲା ବିଜେପି ମଧ୍ୟରେ ରହିଛି ମତଭେଦ । ଭୁବନେଶ୍ବର ସାଂସଦ ଓ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତିଙ୍କ ବିରୁଦ୍ଧରେ ବିଷୋଦ୍ଗାର କଲେ ଦଳୀୟ କର୍ମକର୍ତ୍ତା (meeting held in Bologarh against Aparajita Sarangi)। ଭୁବନେଶ୍ବର ସାଂସଦ ଦଳକୁ ଛାଡି ନିଜସ୍ବ ସଂଗଠନ ଚଳାଉଥିବା ସଙ୍ଗିନ ଅଭିଯୋଗ ହୋଇଛି । ଏହାକୁ ନେଇ ଦଳୀୟ କର୍ମକର୍ତ୍ତା ଉଭୟ ସାଂସଦ ଓ ଜିଲ୍ଲା ସଭାପତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ତଥା କେନ୍ଦ୍ରୀୟ ସଂଗଠକଙ୍କ ନିକଟରେ ଦାବି କରିଛନ୍ତି ।
ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ ସାଂସଦଙ୍କ ବିରୋଧରେ ମେଳି ହୋଇଛନ୍ତି ଦଳୀୟ କର୍ମକର୍ତ୍ତା । ସାଂସଦ ଏକଚାଟିଆ ମନୋବୃତ୍ତି ରଖୁଛନ୍ତି ଓ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି କାର୍ଯ୍ୟାଳୟରେ ଏକ ବୈଠକ କରାଯାଇଥିଲା । ବୈଠକ ପରେ ସାଂସଦଙ୍କ ବିରୋଧରେ ନାରାବାଜି କରିଥିଲେ କର୍ମକର୍ତ୍ତା ।
ସାଂସଦ ଅପରାଜିତା ଷଡ଼ଙ୍ଗୀ ଦଳୀୟକର୍ମୀଙ୍କୁ ହତାଦର କରି ଅନ୍ୟ ରାଜନୈତିକ ଦଳର କର୍ମୀଙ୍କୁ ଧରି ଦଳ ଭିତରେ ବିବାଦ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଦଳ ଭିତରେ ରହି ଅଜଥା ୟୁଥ୍ ଫର୍ ଆକ୍ସନ୍ ଭଳି ସଂଗଠନ ଗଢ଼ି ଦଳ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି । ତୃଣମୂଳ ସ୍ତରରୁ ଦଳ କିଭଳି ମଜଭୁତ ହେବ ସାଂସଦ ସେକଥା ଚିନ୍ତା କରୁ ନଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଦଳୀୟ କର୍ମକର୍ତ୍ତା ।
2017 ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସାଂସଦ ନଥିବା ବେଳେ ଦଳ ନିଜସ୍ବ ବଳରେ ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ 3ଟି ଜିଲାପରିଷଦ ଆସନ ହାତେଇଥିଲା । କିନ୍ତୁ 2022ରେ ସାଂସଦ ନିର୍ବାଚିତ ହୋଇ ମଧ୍ୟ ଦଳୀୟ କର୍ମୀଙ୍କୁ ଅଣଦେଖା କରିଥିଲେ । ଫଳରେ ନିର୍ବାଚନରେ ଦଳୀୟ ଭୋଟ ବହୁ ପରିମାଣରେ ହ୍ରାସ ହେଲା । ଏଥିପାଇଁ ସାଂସଦଙ୍କୁ ଦାୟୀ କରିଛନ୍ତି ଦଳୀୟ କର୍ମକର୍ତ୍ତା ।
ଏହାକୁ ନେଇ ବେଗୁନିଆ ବିଜେପି ମଣ୍ଡଳ ସଭାପତି କହିଛନ୍ତି, "କିଛି କୁଚକ୍ରୀ ନେତାଙ୍କ ଯୋଗୁଁ ଦଳ ଦୁର୍ବଳ ହେବାରେ ଲାଗିଛି । ଦଳକୁ ମଜଭୁତ କରିବା ଆମର ଲକ୍ଷ୍ୟ । ଦଳ କିଭଳି ମଜଭୁତ ହେବ ତାହା ଆମର ଲକ୍ଷ୍ୟ । ସାଂସଦ ନିର୍ବାଚିତ ହେବାପରେ ସଂଗଠନ ମଜଭୁତ ହେବ । କିନ୍ତୁ ତାହା ହେଲାନାହିଁ । ଦଳ ସହ ତାଙ୍କର କୌଣସି ସମ୍ପର୍କ ରହୁନାହିଁ । ଦଳର ଜିଲ୍ଲା ସଭାପତି ମଧ୍ୟ ସାଂସଦଙ୍କ କଥାରେ ଚାଲିଛନ୍ତି । ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।"
ସେହିଭଳି ଜିଲ୍ଲା ସଂଖ୍ୟାଲଘୁ ସଭାପତି କହିଛନ୍ତି, "ଅପରାଜିତା ଷଡ଼ଙ୍ଗୀ ଦଳୀୟ କର୍ମକର୍ତ୍ତାଙ୍କୁ ଅଣଦେଖା କରୁଛନ୍ତି । ବିଜେଡି ସରକାରରେ ଥାଇ ମଧ୍ୟ ୨୦୧୭ରେ ଆମେ ୩ଟି ଜିଲ୍ଲା ପରିଷଦ ଆସନ ହାତେଇ ଥିଲୁ । କିନ୍ତୁ ସାଂସଦ ନିର୍ବାଚିତ ହେବାପରେ ଆମେ ଏଠାରେ ଗୋଟିଏ ମଧ୍ୟ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇପାରିଲୁ ନାହିଁ । ଏଥିପାଇଁ ଜିଲ୍ଲା ସଭାପତି ଓ ଭୁବନେଶ୍ବର ସାଂସଦ ହିଁ ଦାୟୀ ।"
ସେପଟେ ଏହାକୁ ନେଇ ବୋଲଗଡ଼ ବିଜେପି ମଣ୍ଡଳ ପ୍ରଭାରୀ ସୁବାଷ ମିଶ୍ର ଭୁବନେଶ୍ବର ସାଂସଦଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ସାଂସଦ ଏଠାରେ ବିଜୁ ଜନତା ଦଳର ହାତବାରିସୀ ସାଜିଛନ୍ତି । ଅପରାଜିତା ଷଡ଼ଙ୍ଗ ଏଠାରେ ପଞ୍ଚାୟତ ନିର୍ବାଚନ ଓ ଜିଲ୍ଲା ପରିଷଦ ନିର୍ବାଚନ କରାଇ ଦେଉନାହାନ୍ତି । ବୋଲଗଡ଼ ବେଗୁନିଆ କର୍ମକର୍ତ୍ତାଙ୍କୁ ସେ ପଦଚ୍ୟୁତ କରୁଛନ୍ତି । ସାଂସଦମାନେ ମୋଦିଙ୍କୁ ଭେଟୁଥିବା ବେଳେ ସେ ନବୀନ ପଟ୍ଟନାୟକଙ୍କୁ ଭେଟୁଛନ୍ତି । ଏଣୁ ଆମେ ରାଜ୍ୟ ନେତୃବୃନ୍ଦ ଓ କେନ୍ଦ୍ର ନେତୃବୃନ୍ଦଙ୍କୁ ଏ ଦିଗରେ ଧ୍ୟାନ ଦେବାକୁ ଦାବି କରିଛୁ ।"