ଭୁବନେଶ୍ବର: ଅସହାୟ ମହିଳାଙ୍କ ସାହାରା ସାଜିଛି 'ମାଧ୍ୟମ' । ସାତ ଜନ୍ମର ସାଥି ମଧ୍ୟରେ ତିକ୍ତତାକୁ କରୁଛି ଦୂର । ଯୋଡି ହେଉଛି ସୁନାର ସଂସାର ଆଉ ଦୂର ହେଉଛି ମନ ମାଳିନ୍ୟ । ନିତିଦିନିଆ ଜୀବନରେ ମହିଳା ମାନେ ନିଜର ପରିବାର, କର୍ମକ୍ଷେତ୍ର ଓ ନିଜ ସମ୍ପର୍କ ଭିତରେ ସାମ୍ନା କରୁଥିବା ସମସ୍ୟାର ସମାଧାନ କରୁଥିବା 'ମାଧ୍ୟମ'କୁ 9 ବର୍ଷ ପୂରିଛି । ଏଥର କେବଳ କଟକ ଓ ଭୁବନେଶ୍ଵର ନୁହେଁ ସାରା ରାଜ୍ୟ ଓ ଦେଶ ଓ ବିଦେଶରେ ଥିବା ଓଡ଼ିଆ ପରିବାରର ମହିଳାଙ୍କ ସମସ୍ୟା ସମାଧାନ ପାଇଁ ଆଗକୁ ଆସିଛି 'ମାଧ୍ୟମ' ଅନଲାଇନ ପୋର୍ଟାଲ ।
'ମାଧ୍ୟମ' କାର୍ଯ୍ୟକ୍ରମକୁ ୯ ବର୍ଷ ପୂର୍ତ୍ତି ଅବସରରେ ଅନଲାଇନ ଅଭିଯୋଗ ସେବା ଆରମ୍ଭ ହୋଇଛି । www.maadhyamwsc.comରେ ଅଭିଯୋଗ କରିପାରିବେ । ନିଜ ନାମ ଠିକଣା ସହ ଇମେଲ ଓ ନିଜର ସମସ୍ୟା ସମ୍ପର୍କରେ ଅନଲାଇନ ପୋର୍ଟାଲ ଜରିଆରେ ଯଦି କୋଣସି ଅଭିଯୋଗ କରିଥିବେ । ତେବେ ତାହାର ନକଲ ଅପଲୋଡ କରି ପରେ 'ମାଧ୍ୟମ'ର ସହାୟତା ନେଇପାରିବେ । 'ମାଧ୍ୟମ'ର ବଛା ବଛା କାଉନସେଲିଂ ଟିମ୍ ପକ୍ଷରୁ ଯୋଗାଯୋଗ କରି ଆପଣଙ୍କ ସମସ୍ୟାର ସମାଧନ ଦିଗରେ ପଦକ୍ଷେପ ନେଇପାରିବେ । 9 ବର୍ଷ ପୂରଣ ଅବସରରେ ମାଧ୍ୟମ ପକ୍ଷରୁ ଦର୍ଶାଯାଇଥିବା ଏକ ତଥ୍ୟ ଅନୁସାରେ, କଟକ ଓ ଭୁବନେଶ୍ଵରରେ ଥିବା 'ମାଧ୍ୟମ' କେନ୍ଦ୍ର ଜରିଆରେ 3974ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଯାହାକୁ ଆପୋଷ ବୁଝାମଣା ଜରିଆରେ 2494ଟି ଅଭିଯୋଗର ସମାଧାନ କରି ନ୍ୟାୟ ଦେଇଥିଲେ 'ମାଧ୍ୟମ' ପରିବାର । ମୋଟ ପଞ୍ଜିକୃତ ଅଭିଯୋଗରେ କେବଳ 3693ଟି ପାରିବାରିକ ହିଂସା ସମ୍ବନ୍ଧୀୟ ଅଭିଯୋଗ ରହିଥିଲା ।
ଏହା ମଧ୍ୟ ପଢ଼ନ୍ତୁ: ଭାଙ୍ଗି ଯାଉଥିବା ପରିବାରକୁ ଯୋଡୁଛି, ପୋଲିସ କେସରୁ ମୁକ୍ତ କରୁଛି ମାଧ୍ୟମ
'ମାଧ୍ୟମ' କଣ?
'ମାଧ୍ୟମ' ହେଉଛି ମହିଳା ସହଯୋଗ କେନ୍ଦ୍ର ଯାହାକି କଟକ ଓ ଭୁବନେଶ୍ବର ଡିସିପି ଅଫିସରେ ଖୋଲାଯାଇଛି । ଯେଉଁଠି ଶାଶୁ ବୋହୁ କଳି, ସ୍ବାମୀ-ସ୍ତ୍ରୀ ମଧ୍ୟରେ ଫାଟ, ମିଥ୍ୟା ପ୍ରତିଶୃତି ଦେଇ ବିବାହ, କର୍ମକ୍ଷେତ୍ରରେ ଯୌନ ନିର୍ଯାତନା, ମହିଳା ଉପରେ ରାଗ ରଖି ସାଇବର ଅପରାଧିକ କାର୍ଯ୍ୟ, ଅପହରଣ ବା ବ୍ଲାକମେଲ ଭଳି ଦିଆଯାଉଥିବା ଧମକପୂର୍ଣ୍ଣ ଅଭିଯୋଗ ସିଧାସଳଖ ଥାନାକୁ ନଯାଇ ମହିଳାର ସାମାଜିକ ସୁରକ୍ଷା ଓ ଗୋପନୀୟତା ଦୃଷ୍ଟିରୁ 'ମାଧ୍ୟମ' କେନ୍ଦ୍ରରେ ସମାଧାନ କରାଯାଇଥାଏ । ଯଦି ଆପୋଷ ବୁଝାମଣା ହୁଏ ନାହିଁ ପରବର୍ତ୍ତୀ ପର୍ଯାୟରେ ଆଇନଗତ ପଦକ୍ଷେପ ନିଆଯାଇଥାଏ । ତେବେ ଏନେଇ 'ମାଧ୍ୟମ'ର ପରିଚଳନା ତଥା ISDର ନିର୍ଦ୍ଦେଶିକା ଶୁଭଶ୍ରୀ ଦାସ କହିଛନ୍ତି, ମହିଳଙ୍କ ସମସ୍ୟାର ସମାଧାନ ଦେଖି ରାଜ୍ୟ ତଥା ଦେଶ ବାହାରେ ଥିବା ଓଡ଼ିଆ ମହିଳା ମାନେ ମଧ୍ୟ ନିଜ ପରିବାର ଭିତରେ ବା ସମ୍ପର୍କରେ ସାମ୍ନା ରହୁଥିବା ସମସ୍ୟା ନେଇ ଅଭିଯୋଗ ଆସୁଛନ୍ତି । ଯେହେତୁ କମିଶନରେଟ ପୋଲିସ ସହ କଟକ ଓ ଭୁବନେଶ୍ବର ସହାୟତା ଦେବା ପାଇଁ ଚୁକ୍ତି ରହିଛି । ତେଣୁ ଅନଲାଇନ ଜରିଆରେ ଏଭଳି ଅଭିଯୋଗ ଗ୍ରହଣ ପାଇଁ ପୋର୍ଟାଲ ଉନ୍ମୋଚିତ କରାଯାଉଛି । ମହିଳା ମାନେ ନ୍ୟାୟ ପାଇବା ଦିଗରେ 'ମାଧ୍ୟମ' ସହଯୋଗ କରିପାରିବ ବୋଲି ISD ନିର୍ଦ୍ଦେଶିକା ଆଶା ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର