ଭୁବନେଶ୍ବର: ୪୦ ତମ ରାଜ୍ୟ ଚାରୁକଳା ପ୍ରଦର୍ଶନୀ ରାଜଧାନୀରେ ଉଦଘାଟିତ ହୋଇଛି । ଏହି ପ୍ରଦର୍ଶନୀରେ ରାଜ୍ୟର କୋଣ ଅନୁକୋଣର ଆସିଥିବା କଳାକାର ମାନଙ୍କର ଚିତ୍ରକଳା ପ୍ରଦର୍ଶିତ ହୋଇଛି । କାନଭାସ ଉପରେ ରଙ୍ଗ ତୁଳିର ଚିତ୍ର ହେଉ ଅବା କଳା ଓ ସ୍ଥାପତ୍ୟର କାରୁକାର୍ଯ୍ୟ ଅବା ପଟ୍ଟଚିତ୍ରର କାରିଗରୀ ଚିତ୍ର ଶିଳ୍ପୀର ହାତ ସ୍ପର୍ଶରେ ପ୍ରତିଟି ଛବି ଜୀବନ୍ତ ହୋଇଉଠିଥିବା ଭଳି ଲାଗୁଛି । ଏହି ପ୍ରଦର୍ଶନୀରେ ଶିଳ୍ପୀଙ୍କ ସୃଜନଶୀଳତାକୁ ବହୁତ ସୁନ୍ଦର ଭାବେ ପରିବେଶଣ କରାଯାଉଥିବାରୁ ଏହା ଏକ ଭଲ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି ।
୪୦ ତମ ରାଜ୍ୟ ଚାରୁକଳା ପ୍ରଦର୍ଶନୀ ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭ।ଗ ଦ୍ଵାରା ଆୟୋଜିତ ହୋଇଛି । ଏହା ରାଜ୍ୟ ସଂଗ୍ରହାଳୟ ପରିସରରେ ଥିବା କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ଉଦଘାଟିତ ହୋଇଯ।ଇଛି । ଏହି ପ୍ରଦର୍ଶନୀ ଆଜିଠାରୁ ଆରମ୍ଭ ହୋଇ ମ।ର୍ଚ୍ଚ ୩ ତ।ରିଖ ଯାଏଁ ଚାଲିବ । ଏହି ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ରହିଛି କଣ୍ଟାରେ ତିଆରି ବୁଦ୍ଧଙ୍କ ପ୍ରତିମୂର୍ତ୍ତୀ ଯାହା ୨୫ ହଜାର କଣ୍ଟାରେ ତିଆରି ହୋଇଛି । ଆଉ ଏହି କାରୁକାର୍ଯ୍ୟଟି ପ୍ରଦର୍ଶନୀର ଶୋଭା ବଢ଼ାଉଛି।
ଏହି ଅବସରରେ କଳାକୃତି ଗୁଡିକର ଏକ ରଙ୍ଗୀନ କ୍ୟାଟଲଗ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ପ୍ରଦର୍ଶନୀରେ ୪୦ ତମ ରାଜ୍ୟ ପୁରସ୍କାରରେ ପୁରସ୍କୃତ କଳାକୃତି ଗୁଡିକ ପ୍ରଦର୍ଶିତ ହେବ । ଚିତ୍ରକଳାରେ ୧୦୧ଟି, ଭାସ୍କର୍ଯ୍ୟ କଳାରେ ୩୦ଟି, ମୁଦ୍ରଣ କଳାରେ ୧୮ଟି ଓ ପାରମ୍ପରିକ କଳାରେ ୧୫ଟି ଚିତ୍ର ପ୍ରଦର୍ଶିତ ହୋଇଛି । ଏହି ପ୍ରଦର୍ଶନୀ ଏକ ଶିଳ୍ପୀର ସୃଜନଶୀଳତାକୁ ବହୁତ ସୁନ୍ଦର ଭାବେ ପ୍ରସ୍ଫୁଟିତ କରିଛି।
ସେହିପରି ପ୍ରତିଟି ଚିତ୍ର କଳାରେ ଓଡ଼ିଆ କଳା ସଂସ୍କୃତିର କଥା, ଆମ ଇତିହାସର ଗାଥା, ଓଡ଼ିଆ ଘରର ଚାଲିଚଳଣୀ ଠାରୁ ଆରମ୍ଭ କରି ସଚେତନତାର ବାର୍ତ୍ତା ରହିଛି । ନିରୀହ ନିଷ୍ପାପ ଶିଶୁର ଜନ୍ମର କାହାଣୀ ଠାରୁ ଆରମ୍ଭ କରି ବଡ ହେବା ପରେ ମାନବିକତା ଓ ସ୍ଵାର୍ଥପରତାର କଥା ଏବଂ ନାରୀ ନିର୍ଯାତନାର କାହାଣୀକୁ ମଧ୍ୟ ନିଜ ଚିତ୍ର ସାହାଯ୍ୟରେ ଅତି ସୁନ୍ଦର ଭାବେ ବଖାଣିଥିବାର ଚିତ୍ର ଲୋକଙ୍କୁ ମନମୁଗ୍ଧ କରିଛି। ଏଥିସହ ଆରାଧ୍ୟ ଦେବତା ଜଗନ୍ନାଥଙ୍କର ଅନେକ ରୂପ ଭିନ୍ନ ଭିନ୍ନ ଶୈଳୀରେ ଅଙ୍କାଯାଇଥିବା ଚିତ୍ର ମଧ୍ୟ ଦର୍ଶାଇଛି । ଏହାରି ଭିତରେ ବୁଢୀ ମାଉସୀର ଜଗାର ଚିତ୍ର ଅଙ୍କନର ଦୃଶ୍ୟ ବେଶ ଆକର୍ଷଣୀୟ ହୋଇଛି ।
ସୂଚନା ଥାଉ କି, ଉଦଘାଟନ ଉତ୍ସବ ଅବସରରେ ଉଦଘାଟକ ରୂପେ ରାଜ୍ୟ ସୂଚନା ଆୟୁକ୍ତ ଦିଲ୍ଲୀପ କୁମାର ବିଶୋଇ ଯୋଗ ଦେଇ ଶିଳ୍ପୀଙ୍କ ସୃଜନଶୀଳ ଚିତ୍ର ଓ ଭାସ୍କର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ରୂପେ ବିଭ।ଗର ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାସ ଓ ଧର୍ମପଦ ପୁରସ୍କାର ପ୍ରାପ୍ତ ବରିଷ୍ଠ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋ ପ୍ରମୁଖ ଶିଳ୍ପୀମାନଙ୍କ କଳାକୃତି ବୁଲି ଦେଖିବା ସହ ସାମ୍ପ୍ରତିକ କଳାକୃତି ଗୁଡିକ ସମୟ ଉପଯୋଗୀ ହୋଇଥିବା ପ୍ରକାଶ କରିଥିଲେ । ତେବେ ଏହି ପ୍ରଦର୍ଶନୀରେ ଭାଗ ନେଇଥିବା ଶ୍ରେଷ୍ଠ ୬ଜଣ ଶିଳ୍ପୀଙ୍କୁ ବିଭାଗ ପକ୍ଷରୁ ସମ୍ମାନିତ ସହ ଅର୍ଥରାଶି ପୁରସ୍କାର ଦିଆଯିବ ବୋଲି କହିଛନ୍ତି ଏକାଡେମୀ କାର୍ଯ୍ୟକାରୀ ସମିତିର ସଦସ୍ୟ ତଥା ବରିଷ୍ଠ ଶିଳ୍ପୀ ଗଜେନ୍ଦ୍ର ସାହୁ ।
ଇଟିଭି ଭାରତ, ଭୁବନେଶ୍ବର