ଭୁବନେଶ୍ବର: ରାଜଧାନୀରୁ ବିରଳ କଇଁଛ ଜବତ । ଦୁଇଟି କଇଁଛକୁ ଜବତ କଲା ବନ ବିଭାଗ । ନୟାପଲ୍ଲୀ ଅଞ୍ଚଳରେ ଥିବା ଏକ ହୋଟେଲରୁ କଇଁଛକୁ ଜବତ କରିଛି ଭୁବନେଶ୍ୱର ବନାଞ୍ଚଳ ଅଧିକାରୀ । ଏନେଇ ହୋଟେଲର ମ୍ୟାନେଜର ଓ ଅନ୍ୟ କର୍ମକର୍ତ୍ତାଙ୍କୁ ପଚରାଉଚରା କରାଯିବ ବୋଲି ଏସସିଏଫ ପ୍ରଶାନ୍ତ ପଣ୍ଡା ସୁଚନା ଦେଇଛନ୍ତି ।
ତେବେ ଏହି ବିରଳ ପ୍ରଜାତିର କଇଁଛ ବିଶେଷ କରି ରାଜ୍ୟ ବାହାରକୁ ଚାଲାଣ ହୋଇଥାଏ । ବଡ଼ବଡ଼ ହୋଟେଲରେ ଏହାର ବେସ ଡିମାଣ୍ଡ ଥାଏ । ଏପରିକି ଏହାର କିଲୋ ପିଛା ଦର ୧୧୦୦ ଟଙ୍କା ପର୍ଯ୍ୟନ୍ତ ରହିଥାଏ । ଯାହା ମଟନ ଦରଠାରୁ ବି ଦୁଇ ଗୁଣ । ଆଉ ଏହାର ଫାଇଦା ନେବାକୁ ବଡ଼ବଡ଼ ହୋଟେଲରେ ଏପରି ବିରଳ କଇଁଛ ମାଂସ ମିଳିଥାଏ । ଏଥିପାଇଁ କିଛି ଦଲାଲ କଇଁଛ ଚାଲାଣ ବି କରିଥାଆନ୍ତି ।
ଓଡ଼ିଶାର ପାଖ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର କୋଲକାତା ସହରର ଅନେକ ହୋଟେଲକୁ ଏସବୁ ଚାଲାଣ ହୋଇଥାଏ । କିନ୍ତୁ ଭୁବନେଶ୍ଵର ରେଞ୍ଜରେ ଏହା ପ୍ରଥମ ଘଟଣା ବୋଲି କହିଛନ୍ତି ଏସ୍ସିଏଫ୍ । ତେବେ ୨୦୦୯-୧୦ ମସିହା ଭିତରେ ପିପିଲି ଅଞ୍ଚଳରୁ ପ୍ରାୟ ୨୪୦ଟି ଏହି ଭଳି କଇଁଛ ଅଟୋ ଯୋଗେ ଚାଲାଣ ହେଉଥିବା ବେଳେ ଧରାପଡିଥିଲା ବୋଲି କହିଛନ୍ତି ଏସ ସି ଏଫ ପ୍ରଶାନ୍ତ ପଣ୍ଡା । ଏପରିକି କିଛି ବେପାରୀ ଏହାକୁ କାରବାର କରି ମାଲମାଲ ହୋଇ ଲକ୍ଷପତି ମଧ୍ୟ ହୋଇଛନ୍ତି । ବିଶେଷ କରି ଆଖପାଖ ଜିଲ୍ଲା ପୁରୀ, ଖୋର୍ଦ୍ଧା, ନୟାଗଡ଼ରେ ଏସବୁ କଇଁଛ ଏପରି ବେଆଇନ କାରବାର ହୋଇଥିବା ଦେଖିବାକୁ ମିଳିଛି ।
ଏହା ମଧ୍ୟ ପଢନ୍ତୁ- ଆନ୍ଧ୍ରରୁ ମାଲକାନଗିରିକୁ ବେଆଇନ କଇଁଛ ଚୋରା ଚାଲାଣ, ଜଣେ ଗିରଫ
ପ୍ରକାଶ ଥାଉକି, ୨୦୨୨ ମସିହା ଜୁନ ମାସରେ ଉମରକୋଟ ବନ ବିଭାଗ ପକ୍ଷରୁ ୫୨ ଜୀବନ୍ତ କଇଁଛ ଜବତ ହୋଇଥିଲା । ଏହି ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଥିଲା । ରାଇଘର ବ୍ଲକ ଅଧୀନ କୁମୁଲି ଗ୍ରାମର ରୁହିଦାସ ବନିକ ଓ ପରମାନନ୍ଦ ବାଓଲି ୫୨ଟି କଇଁଛ ଧରି ସରଗୁଲିକୁ ବିକ୍ରି କରିବାକୁ ଯାଉଥିଲେ । ଉମରକୋଟ ବନ ବିଭାଗ କୌଣସି ସୂତ୍ରରୁ ଖବରପାଇ ସେମାନଙ୍କୁ ଅଟକାଇ କଇଁଛଙ୍କୁ ଉଦ୍ଧାର କରିଥିଲା । ଜିଲ୍ଲା ବନାଧିକାରୀଙ୍କ ନିର୍ଦ୍ଦେଶ ପରେ କଇଁଛଗୁଡ଼ିକୁ କୌଣସି ଏକ ଜଳାଶୟରେ ଛଡ଼ାଯାଇଥିବା ବେଳେ ଅଟକ ରୁହିଦାସ ଏବଂ ପରମାନନ୍ଦଙ୍କୁ ମଙ୍ଗଳବାର ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଉମରକୋଟ ବନାଞ୍ଚଳ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନାୟକ ସୂଚନା ଦେଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର