କେନ୍ଦୁଝର: ବର୍ଷା ଦିନ ଆସିଲେ କେନ୍ଦୁଝରଗଡ଼ ପୌରପାଳିକା ୯ ନମ୍ବର ୱାର୍ଡ଼ ସ୍ପଞ୍ଜ କଲୋନୀବାସୀଙ୍କର ନିଦ ହଜିଯାଏ । ୯ ନମ୍ବର ଓ୍ବାର୍ଡରେ ଡ୍ରେନେଜ ବ୍ୟବସ୍ଥା ନଥିବା ଯୋଗୁଁ ଦୀର୍ଘ ୨୦ ରୁ ୨୫ ବର୍ଷ ହେବ ନାନା ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା । କାଶୀପୁର ଅଞ୍ଚଳର ୯ ନମ୍ବର କଲୋନୀରେ ଶତାଧିକ ପରିବାର ବସବାସ କରୁଥିବାବେଳେ, ଡ୍ରେନେଜ୍ ନଥିବା କାରଣରୁ ରାସ୍ତାରେ ବର୍ଷାପାଣି ଜମା ହୋଇରହୁଛି । ଏଥିସହିତ ଘରେଭିତରେ ବର୍ଷାପାଣି ମଧ୍ୟ ପସୁଛି ।
୯ନମ୍ବର ଓ୍ବାର୍ଡରେ କାଶୀପୁର ସମେତ, ବଳଦେବଜୀଉ କଲୋନୀ, ସ୍ପଞ୍ଜ କଲୋନୀ, ବ୍ୟାଙ୍କ କଲୋନୀ, ଇନକମ ଟ୍ୟାକ୍ସ କଲୋନୀ, ମଦନ କର ଲେନ ଆଦି ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥାଏ । ଯାହାଫଳରେ ସ୍ଥାନୀୟ ଲୋକେ ନାହିନଥିବାର ସମ୍ମୁଖୀନ ହୋଇଥାନ୍ତି । ତେବେ ଏନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ପୌର କର୍ତ୍ତୃପକ୍ଷ ତଥା ପ୍ରଶାସନକୁ ଅବଗତ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବା ନେଇ ଅଭିଯୋଗ ହୋଇଛି ।
ଏହାକୁ ନେଇ କେନ୍ଦୁଝରଗଡ଼ ପୌରପାଳିକା ଚେୟାରମ୍ୟାନ ନିକୁ ସାହୁ କହିଛନ୍ତି ଯେ, "ବର୍ଷା ଦିନ ପୂର୍ବରୁ ହିଁ ଓ୍ବାର୍ଡରେ ଆରମ୍ଭ ହୋଇଯାଇଥିଲା ଡ୍ରେନେଜ ସମସ୍ୟା । ଏନେଇ ମୁଖ୍ୟ ଶାସନ ସଚିବ ଏବେ ଜିଲ୍ଲା ଗସ୍ତରେ ରହିଥିବାରୁ ଏ ସମ୍ପର୍କରେ ଆଲୋଚନା କରାଯାଇଛି । ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ହେବ ।"
ଇଟିଭି ଭାରତ, କେନ୍ଦୁଝର