କେନ୍ଦୁଝର: ରାସ୍ତାକଡରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମା’ । ଏଭଳି ଦୃଶ୍ୟ କେନ୍ଦୁଝର ଜିଲ୍ଲା କାଦଡିହା ଅଞ୍ଚଳରେ ଦେଖିବାକୁ ମିଳିଛି । ପ୍ରସବ ଯନ୍ତ୍ରଣା କମିଯିବାରୁ ମେଡିକାଲରୁ ଫେରିବା ବାଟରେ ରାସ୍ତାକଡରେ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି କାଦଡିହା ଅଞ୍ଚଳର ପୂର୍ଣ୍ଣ ମୁଣ୍ଡାଙ୍କ ସ୍ତ୍ରୀ ରଜନୀ ମୁଣ୍ଡା ।
ରଜନୀ ଗର୍ଭବତୀ ଥିବାବେଳେ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା । ଏହି ସମୟରେ ଗାଁର ଜଣେ ମହିଳା ତାଙ୍କୁ ନିକଟସ୍ଥ ବାଂଶପାଳ ମେଡିକାଲରେ ଭର୍ତ୍ତି କରାଇଥିଲେ । ଯନ୍ତ୍ରଣା କମିଯିବାରୁ ତାଙ୍କୁ ଡାକ୍ତର ପରେ ଆସିବାକୁ କହିଥିଲେ । ତେବେ ସେ ଘରକୁ ଚାଲିଚାଲି ଫେରୁଥିବା ସମୟରେ ପୁଣିଥିରେ ଯନ୍ତ୍ରଣା ହୋଇଥିଲା । ଫଳରେ ମହିଳା ଜଣଙ୍କ ଖୋଲା ପଡିଆର ଏକ ଗଛ ମୂଳରେ ପ୍ରସବ କରିଥିଲେ ।
କିଛି ସମୟ ପରେ ମା’ ଓ ପିଲାକୁ ଗ୍ରାମବାସୀ ଆମ୍ବୁଲାନ୍ସ ସହାୟତାରେ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ମା ଓ ଶିଶୁ କନ୍ୟାଟି ଏବେ ମେଡିକାଲର ମା’ ଗୃହରେ ଥିବାବେଳେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ