ଆନନ୍ଦପୁର: ପୁଣି ଆସିଲା ବଧୂହତ୍ୟା ଅଭିଯୋଗ । ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅଧିନ କେନ୍ଦୁଆ ଗାଁରେ ଜଣେ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଝିଅର ବାପ ଘର ଲୋକେ ଝିଅକୁ ମାରିଦେଇଥିବା ଅଭିଯୋଗ କରିଛନ୍ତି ।
ଖବର ଅନୁଯାୟୀ ୧୨ବର୍ଷ ପୂର୍ବରୁ କେନ୍ଦୁଆ ଗାଁର ରାମଚନ୍ଦ୍ର ମହାନ୍ତିଙ୍କ ପୁଅ ଜୀବନ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର କିଶୋର ଚନ୍ଦ୍ର ବଡ଼ଜେନାଙ୍କ ଝିଅ ସ୍ଵର୍ଣ୍ଣପ୍ରଭାଙ୍କ ସହିତ ବୈଦିକ ରୀତିନୀତିରେ ବିବାହ ହୋଇଥିଲା । ବିବାହ ପରେ ଘରୋଇ ପରିସ୍ଥିତିକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା। ତେବେ ସ୍ବର୍ଣ୍ଣପ୍ରଭାଙ୍କୁ ଶାଶୁଘର ଲୋକେ ପୂର୍ବରୁ ନିର୍ଯାତନା ଦେଉଥିବାର ଚିତ୍ର ମଧ୍ୟ ସାମନାକୁ ଆସିଛି ।
ତେବେ ଗତକାଲି ସମସ୍ତେ ଖାଇସାରିବା ପରେ ସ୍ବର୍ଣ୍ଣପ୍ରଭା ଘର ଭିତରେ ଓହଳି ପଡିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ବାପଘର ଲୋକେ ପହଞ୍ଚି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଅନ୍ୟପକ୍ଷରେ ବାପ ଘର ଲୋକଙ୍କ ଏତଲାକୁ ଆଧାର କରି ତଦନ୍ତ ଜାରି ରଖିଛି ପୋଲିସ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ