କେନ୍ଦୁଝର: ଦୀର୍ଘ ୩ ମାସ ହେବ ପାଟଣା ଘଟଗାଁ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରୁ ଚାଷୀଙ୍କ ଘରୁ ଗୃହପାଳିତ ପଶୁ ଚୋରି ନେଇ ଅଭିଯୋଗ ହେଉଥିଲା । ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ କାବୁ କରିବା ପାଇଁ ଗ୍ରାମର ଯୁବକମାନେ ରାତିରେ ପ୍ରହରା ଦେଉଥିଲେ । ଆଉ ଗୁରୁବାର ରାତି ଗ୍ରାମର ଯୁବକଙ୍କୁ ଦେଇଥିଲା ଏହି ସୁଯୋଗ ।
ଗୁରୁବାର ରାତିରେ ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମନୋହରପୁର ଗ୍ରାମରେ ଯୁବକମାନେ ତାସ ଖେଳୁଥିଲେ । ଏହି ସମୟରେ ଏକ ସନ୍ଦିଗ୍ଧ ବୋଲେରୋ ଗ୍ରାମକୁ ପ୍ରବେଶ କରିଥିବାର ଦେଖିଥିଲେ ସେମାନେ । ଚୋର ସନ୍ଦେହରେ ଯୁବକମାନେ ଗାଡିର ପଛ କରି ସେଥିରେ ଥିବା ଯୁବକଙ୍କୁ ଧରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଯୁବକ ଜଣଙ୍କ ଦୌଡି ଯାଇ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ପଶି ଯାଇଥିଲେ । ଗ୍ରାମବାସୀମାନେ ଉକ୍ତ ବ୍ୟକ୍ତିଙ୍କ ଘରେ ଯୁବକ ଜଣକ ଥିବା ଜାଣିପାରିଥିଲେ । ଆଉ ଯୁବକଙ୍କୁ ଧରିବାକୁ ମହିଳାମାନେ ଗୁରୁବାର ରାତିରୁ ସେହି ଘରକୁ ଘେରି ରହିଥିଲେ । ଯୁବକଙ୍କୁ ଘରୁ ବାହାରକୁ ବାହାର କରିବା ପାଇଁ ସେଠାରେ ଉତ୍ତେଜନା ଲାଗି ରହିଥିଲା ।
ଶୁକ୍ରବାର ସକାଳୁ ଘଟଣାର ଖବର ପାଇ ଘଟଗାଁ ପୋଲିସ ଉତ୍ତେଜନା ସ୍ଥାନରେ ପହଞ୍ଚିଥିଲେ । ଲୋକଙ୍କ ଉତ୍ତେଜନାକୁ ଦେଖି ଘଟଗାଁ ଏସଡିପିଓ ଲୋକଙ୍କୁ ବୁଝାସୁଝା କରିବା ସହ ଘର ଭିତରେ ଥିବା ଯୁବକଙ୍କୁ ଉଦ୍ଧାର କରିଥିଲେ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ