ଆନନ୍ଦପୁର: ବୈତରଣୀରେ ପାଣି ବଢିଲେ କ୍ଷତି ସହିବାକୁ ପଡେ ନିକଟସ୍ଥ ଗାଁ । ଚଳିତ ବର୍ଷ ମଧ୍ୟ ସମାନ ସ୍ଥିତି ଉପୁଜିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ଥିବା ଛୋଟ ବଡ଼ ଗାଁରେ । ନଦୀ ପାଣି ଗାଁରେ ନ ପଶିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନଦୀବନ୍ଧ ବ୍ୟବସ୍ଥା କରିଛନ୍ତି । ହେଲେ କିଛି ଅଧିକାରୀ ଓ ଠିକାଦାରଙ୍କ ଭୁଲ ପାଇଁ ସୃଷ୍ଟି ହେଉଛି କୃତ୍ରିମ ବନ୍ୟା । କେଉଁଠାରେ ବନ୍ଧ ମୁକୁଳା ପଡିଛି ତ କେଉଁଠି ସମ୍ପୂର୍ଣ୍ଣ ରୂପେ ବନ୍ଧ ନାହିଁ ।
ଆନନ୍ଦପୁର ଉପଖଣ୍ଡରେ ବାତୋ, ଶାଳଦେଇ ଆଦି ପଞ୍ଚାୟତରେ ନଦୀ ବନ୍ଧ ମୁକୁଳା ପଡିଥିବାବେଳେ ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ୧୩ ନମ୍ବର ୱାର୍ଡ ଦେହୁରୀ ସାହି ନିକଟରେ ସମ୍ପୂର୍ଣ୍ଣ ରୂପେ ବନ୍ଧ ନଥିବା ଅଭିଯୋଗ କରି ଜଳସମ୍ପଦ କାର୍ଯ୍ୟାଳୟ ଘେରିଛନ୍ତି ଗ୍ରାମବାସୀ । ପ୍ରତ୍ୟେକ ବର୍ଷ ଏହି ଗ୍ରାମବାସୀ କୁତ୍ରିମ ବନ୍ୟାର ସମ୍ମୁଖିନ ହେଉଥିବାରୁ ନୂତନ ବନ୍ଧ ନିର୍ମାଣ ପାଇଁ ଦାବି ରଖିଛନ୍ତି । ଅନ୍ୟପକ୍ଷରେ ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନରେ ଥିବାରୁ ତାଙ୍କ ସହିତ ଯୋଗାଯୋଗ ହୋଇପାରିନାହିଁ ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ