କେନ୍ଦୁଝର: ବାଡ଼ ଯଦି ଫସଲ ଖାଏ, ଆଉ କହିବା କାହାକୁ । ସାରା ଜିଲ୍ଲାରେ ଏବେ ଜଣେ ଭିଜିଲାନ୍ସ ମହିଳା କର୍ମଚାରୀଙ୍କର ଲାଞ୍ଚ ମାଗିବା ଅଡିଓ ଭାଇରାଲ ହେବାରେ ଲାଗିଛି । ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ । ଅଡିଓରେ କଥା କହୁଥିବା ମହିଳା ଜଣଙ୍କ କେନ୍ଦୁଝର ଭିଜିଲାନ୍ସ କୋର୍ଟରେ କର୍ତ୍ତବ୍ୟରତ ଜଣେ ମହିଳା କନଷ୍ଟେବଳ ବୋଲି ଜଣାପଡ଼ିଛି । ଅପରପାର୍ଶ୍ଵରେ ଥିବା ପୁରୁଷ ଜଣଙ୍କ ଭିଜିଲାନ୍ସ ଜାଲରେ ପଡିଥିବା ଜଣେ ଅଭିଯୁକ୍ତ ବୋଲି ଜଣାପଡିଛି । ଯାହାଙ୍କର ମାମଲା ଏବେ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଚାରଧୀନ ରହିଛି ।
ଅଡିଓରେ ମାମଲାକୁ ରଫାଦଫା କରିବାକୁ ଏବଂ କେସ କିପରି ଦୁର୍ବଳ ହେବ, ସେଥିପାଇଁ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ କିଛି ମାଲ୍ ଖର୍ଚ୍ଚ କରିବାକୁ ପଡିବ ବୋଲି ମହିଳା କର୍ମଚାରୀଜଣଙ୍କ କହୁଥିବା ଶୁଣାଯାଉଛି । 'ଉପରୁ ତଳ, ସରକାରୀ ଓକିଲ ସମସ୍ତେ ନେବେ', କେତେ ଖର୍ଚ୍ଚ କରିପାରିବ ବୋଲି ମହିଳା କର୍ମଚାରୀ ଜଣକ ପଚାରୁଛନ୍ତି । ସେପଟେ 'ମୁଁ ସବୁ କରେଇ ପାରିବି, ଆଗରୁ ଏମିତି ବହୁତ ଲୋକଙ୍କ କାମ କରାଯାଇଛି' ବୋଲି କହୁଛନ୍ତି । ମହିଳା ଜଣଙ୍କ ଟଙ୍କା ପାଇଁ ଏତେ ତଳକୁ ଖସି ଯାଇଛନ୍ତି ଯେ, ଦୁନିଆରେ କେହି ସଚ୍ଚୋଟ ନୁହନ୍ତି ବୋଲି ମଧ୍ୟ କହିଛନ୍ତି । ଯାହା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଟଙ୍କା ଖର୍ଚ୍ଚ କଲେ ସବୁ ସମ୍ଭବ ବୋଲି ସେ କହୁଛନ୍ତି । ତେବେ ଦୁର୍ନୀତିଖୋର ଲୋକଙ୍କୁ ଭିଜିଲାନ୍ସ ଧରୁଥିବା ବେଳେ ଭିଜିଲାନ୍ସର ଜଣେ ମହିଳା କର୍ମଚାରୀଙ୍କ ଏହି ଅଡିଓ ଏବେ ଭିଜିଲାନ୍ସ ବିଭାଗକୁ ଅଡ଼ୁଆରେ ପକାଇଛି ।
ଏହା ମଧ୍ୟ ପଢ଼ନ୍ତୁ...ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଇଓ ଅଫିସ ଆକାଉଣ୍ଟାଣ୍ଟ
ଆଜି ବାଲେଶ୍ଵର ଭିଜିଲାନ୍ସ ଏସ୍ପି କେନ୍ଦୁଝରରେ ଏକ ବୈଠକ ପାଇଁ ଆସିଥିବାବେଳେ ଏନେଇ ତାଙ୍କ ପ୍ରତିକ୍ରିୟା ଲୋଡ଼ା ଯାଇଥିଲା । ସେ ଏ ସମ୍ପର୍କରେ କିଛି ଅଭିଯୋଗ ପାଇନାହାନ୍ତି, ଅଭିଯୋଗ ପାଇବା ପରେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ । ସେହିପରି ସରକାରୀ ଓକିଲ ଦେବଦତ୍ତ ବିଶ୍ବାଳ ମଧ୍ୟ ତାଙ୍କ ନାମରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଥିବାବେଳେ, ମହିଳା କର୍ମଚାରୀ ଜଣକ କାହିଁକି ତାଙ୍କ ନାଁ ନେଇଛନ୍ତି ସେନେଇ ତଦନ୍ତରେ ସବୁ ସତ ପଦାକୁ ଆସିବ ବୋଲି କହିଛନ୍ତି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ସମ୍ପୃକ୍ତ ମହିଳା କର୍ମଚାରୀ କ୍ୟାମେରା ଦେଖି ହଡବଡେଇ ଯାଇ ସେ ଉକ୍ତ ମହିଳା କର୍ମଚାରୀ ନୁହନ୍ତି, ତାଙ୍କର ନାଁ ଅଲଗା କହି ପଳାଇଥିଲେ । ଆଗକୁ ଭିଜିଲାନ୍ସ ବିଭାଗ ଏ ସମ୍ପର୍କରେ କି ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ, କେନ୍ଦୁଝର