କେନ୍ଦୁଝର: କ୍ରମଶଃ ଅବକ୍ଷୟ ହେବାରେ ଲାଗିଛି ଜଙ୍ଗଲ। ମଣିଷ ନିଜ ଆବଶ୍ୟକତା ପୂରଣ କରିବା ପାଇଁ ଜଙ୍ଗଲ କାଟି ଚାଲିଛି । ସରକାର ଜଙ୍ଗଲ ସଂରକ୍ଷଣ ନେଇ ଯେତେ ଡିଣ୍ଡିମ ପିଟୁଥିଲେ ମଧ୍ୟ ଜଙ୍ଗଲ ଅବକ୍ଷୟ ରୋକିବାକୁ ଅକ୍ଷମ ଥିବା ଜଣାପଡୁଛି।
ମଣିଷ ଏହି ଜଙ୍ଗଲ ଉପରେ ବିଶେଷ କରି ଜାଳେଣି କାଠ ପାଇଁ ନିର୍ଭରଶୀଳ । ଏହି ଜଙ୍ଗଲ କାଟି ନିଜ ଘର ସହ ଏହାକୁ ବିକ୍ରି କରି ନିଜ ରୋଜଗାର ମେଣ୍ଟାଇଥାଏ । କିନ୍ତୁ ଏବେ ଗାଁ ଗାଁ ରେ ଲୋକେ ସଚେତନ ହେଲେଣି। ଯାହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝରରେ।
ନିଜ ଗ୍ରାମ୍ୟ ଜଙ୍ଗଲକୁ ଅବକ୍ଷୟ ହେବାରୁ ରୋକିବା ପାଇଁ ଜଙ୍ଗଲ କମିଟି କରି ରକ୍ଷଣାବେକ୍ଷଣ କରୁଛନ୍ତି । କୌଣସି ଗ୍ରାମବାସୀ ଏହି ଜଙ୍ଗଲରୁ କାଠ ନେବାକୁ ହେଲେ କମିଟି ଠାରୁ ଅନୁମତି ନେବାକୁ ପଡେ। ଏହାର ଖିଲାପ କଲେ ଦଣ୍ଡ ବ୍ୟବସ୍ଥା ମଧ୍ୟ କମିଟି କରିଥାଏ । ଗାଁ ଗାଁ ରେ ଜଙ୍ଗଲ ସଂରକ୍ଷଣ ଯୋଗୁଁ ଜାଳେଣି କାଠ ର ବିକଳ୍ପ ସାଜିଛି ଏବେ ଶୁଖିଲାଶାଳ ପତ୍ର ।
କେନ୍ଦୁଝର ଜିଲ୍ଲାରେ ସମସ୍ତ ଗ୍ରାମରେ ଶାଳ ଜଙ୍ଗଲ ଦେଖିବାକୁ ମିଳିଥାଏ । ଏହି ଶାଳ ଜଙ୍ଗଲ ଖରା ଦିନରେ ପତ୍ର ଝଡା ଦେଇଥାଏ । ଉକ୍ତ ପତ୍ର ଗୁଡ଼ିକ ପୂର୍ବରୁ ପଡି ପଡି ନଷ୍ଟ ହେବା ସହ ଜଙ୍ଗଲରେ ନିଆଁ ଲାଗିବାରେ ମଧ୍ୟ ସହାୟକ ହେଉଥିଲା ।
କିନ୍ତୁ ଏବେ ଗ୍ରାମବାସୀ ଏହି ଶୁଖିଲା ପତ୍ର କୁ ସଂଗ୍ରହ କରି ଜାଳେଣି କାଠ ର ଅଭାବ ପୂରଣ କରି ପାରୁଛନ୍ତି । କେହି କେହି ଏହି ଶୁଖିଲା ଶାଳ ପତ୍ରକୁ ବିକ୍ରି କରି ନିଜ ରୋଜଗାଣ ପୂରଣ କରୁଛନ୍ତି । ଏହି ଶୁଖିଲା ପତ୍ର ଗୁଡ଼ିକ ଗୋଟିଏ ବର୍ଷ ର ଶୁଖିଲା ଜାଳେଣିର ଅଭାବ ପୂରଣ କରିବା ସହ ଜଙ୍ଗଲ ସଂରକ୍ଷଣ ରେ ମଧ୍ୟ ସହାୟକ ହେଉଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ