କେନ୍ଦୁଝର: ସରକାର ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡା ଓ ଅନ୍ତର୍ନିହିତ ପ୍ରତିଭାକୁ ଉଜାଗର କରିବା ପାଇଁ ସମସ୍ତ ଉଚ୍ଚ ପ୍ରାଥମିକବିଦ୍ୟାଳୟରେ କଳା ଓ କ୍ରୀଡ଼ା ଶିକ୍ଷକ ନିଯୁକ୍ତି ଦେଇଥିଲେ । କୋରୋନା ମହାମାରୀ ସମୟ ପୂର୍ବରୁ ଉକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସରକାର ମାସିକ ପାରିଶ୍ରମିକ ପ୍ରଦାନ କରିଆସୁଥିଲେ । କିନ୍ତୁ, କୋରୋନା ମହାମାରୀ ସମୟରେ ରାଜ୍ୟର ବହୁ ବିଦ୍ୟାଳୟରେ କଳା ଓ କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦରମା ମେ ମାସରୁ ସରକାର ବନ୍ଦ କରିଦେଲେ । ଏହା ସହ ଶହେରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦରମା ମାର୍ଚ୍ଚ ମାସରୁ ବନ୍ଦ କରିଦେଇଛନ୍ତି । ଏହି ଏକ ବର୍ଷ ଧରି ବିନା ଦରମାରେ କୋଭିଡ଼ ପରିସ୍ଥିତିରେ ମଧ୍ୟ ଉକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟ କରିଆସୁଛନ୍ତି । ହେଲେ ପ୍ରଶାସନ ସେମାନଙ୍କୁ ଦରମା ଦେବା ନେଇ କିଛି ଘୋଷଣା କରୁନଥିବା ଅଭିଯୋଗ କରିଛନ୍ତି ।
ଆଜି କେନ୍ଦୁଝର ଜିଲ୍ଲାର ୨୫୦ରୁ ଊର୍ଦ୍ଧ୍ବ କଳା ଓ କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀମାନେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଅନ୍ୟ କିଛି ଜିଲ୍ଲାରେ ଏକ ବର୍ଷର ଦରମା ପ୍ରଦାନ କରାଯାଇଥିଲା ବେଳେ, କେନ୍ଦୁଝର ଜିଲ୍ଲାର ଅଧିକାରୀ କାହିଁକି ଦରମା ଦେଉ ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ । ବର୍ଷକର ଦରମା ପ୍ରଦାନ ନକଲା ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି ଆନ୍ଦୋଳନରତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଚେତାବନୀ ଦେଇଛନ୍ତି । ଏନେଇ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ପ୍ରତିକ୍ରିୟା ମିଳି ପରିନାହିଁ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ