କେନ୍ଦୁଝର: ସମଗ୍ର ବିଶ୍ବରେ ଏବେ କୋରୋନା ଭୟ । କୋରୋନା ପାଇଁ ସମଗ୍ର ବିଶ୍ବର ଅର୍ଥନୀତି ମଧ୍ୟ ଏକ ପ୍ରକାର ଭୁଶୁଡ଼ି ପଡ଼ିଲାଣି । ଖଟିଖିଆ ଲୋକଙ୍କ ଜୀବନ ଜୀବିକା ଛଡାଇ ନେଲାଣି ଏହି ମହାମାରୀ କୋରୋନା । ଏପରିକି ନିଜ ପରିବାର ପ୍ରତି ପୋଷଣ କରିବା କଷ୍ଟକର ହୋଇ ପଡ଼ିଲାଣି । ଏଭଳି ସ୍ଥିତିରେ ଆର୍ଥିକ ଗୁଜୁରାଣ ଯୋଗାଇବା ଦାବିରେ କେନ୍ଦୁଝର ସାଉଣ୍ଡ, ଲାଇଟ ଓ ଡିଜେ ମାଲିକ ସଙ୍ଘ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ।
ଜିଲ୍ଲାରେ 150 ରୁ ଉର୍ଦ୍ଧ୍ଵ ସାଉଣ୍ଡ ଓ ଲାଇଟ ମାଲିକ ଏବଂ 2000 କର୍ମଚାରୀ ଏବେ କୋରୋନା କଟକଣା ପାଇଁ ରୋଜଗାର ହରେଇଛନ୍ତି । ଏହା ସହ ଅଧିକାଂଶ ମାଲିକ ମାନେ ଲାଇଟ ଓ ସାଉଣ୍ଡ ଓ ବିଭିନ୍ନ ଯନ୍ତ୍ରପାତି ବ୍ୟାଙ୍କରୁ ଋଣ କରି ଆଣିଥିଲେ । ହେଲେ କୋରୋନା କଟକଣା ଯୋଗୁଁ ଏବେ ଏସବୁ ବନ୍ଦ ଥିବାରୁ ବ୍ୟାଙ୍କ ଋଣ ସୁଝିବା ବି କଷ୍ଟକର ହୋଇପଡିଛି ।
ତେଣୁ କୋରୋନା ଗାଇଡଲାଇନ ଭିତରେ ବିଭିନ୍ନ ପୂଜା ଓ ବିବାହ ମହୋତ୍ସବରେ ଏ ସବୁ ବ୍ୟବହାର କରିବାକୁ ଅନୁମତି ଦାବି କରିଛି ସଙ୍ଘ । ଏନେଇ ଲାଇଟ ସାଉଣ୍ଡ ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ