କେନ୍ଦୁଝର: କୋରୋନାର ଦ୍ବିତୀୟ ଲହରୀର ଭୟାବହତା ପରେ ସରକାର ସମ୍ପୂର୍ଣ୍ଣ ଟୀକାକରଣ ନେଇ ପ୍ରୟାସ ଆରମ୍ଭ କରିଥିଲେ । ସହରରୁ ଗାଁ ପ୍ରଥମେ ବୃଦ୍ଧ ପରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଏହି ଟୀକାକରଣ କିପରି ସୁରୁଖୁରୁରେ ହେବ ସେନେଇ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା । ଏହି ଚ୍ୟାଲେଞ୍ଜ ମଧ୍ୟରେ ଆଦିମ ଜନଜାତି ଜୁଆଙ୍ଗଙ୍କ ପାଇଁ ଟୀକାକରଣ ଥିଲା ଅନ୍ୟତମ । କିନ୍ତୁ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ସାରିଆ ଗ୍ରାମର ଏହି ଆଦିମ ଜନଜାତି ସମ୍ପୂର୍ଣ୍ଣ କୋଭିଡ଼ ଟୀକାକରଣ ନେଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ପ୍ରଥମ ଆଦିମ ଜନଜାତି ଗାଁ ଭାବେ ଟୀକାକରଣ ଶେଷ କରିଛି ସାରିଆ ଗାଁ ।
୨୦୨୦ ମସିହାରେ କୋରୋନା ମହାମାରୀ ସାରା ବିଶ୍ବରେ ତାଣ୍ଡବଲୀଳା ରଚିବା ଆରମ୍ଭ କରିଥିଲା । ମହାମାରୀର ରୂପ ନେଇଥିବା ଏହି ଭୂତାଣୁ କବଳରୁ ଭାରତ ମଧ୍ୟ ବଞ୍ଚି ନଥିଲା । ଏହି ଭୂତାଣୁର ପ୍ରଥମ ଲହରୀ ପରେ ଦ୍ଵିତୀୟ ଲହରୀର ଭୟାବୟତା ଆହୁରି ବଢିଥିଲା । ଏଥିରେ ଭାରତ ଭଳି ଜନ ବହୁଳ ରାଷ୍ଟ୍ରରେ ଲକ୍ଷାଧିକ ଲୋକଙ୍କ ଜୀବନ ହାନି ହୋଇଥିଲା । ଏହାରି ମଧ୍ୟରେ ମହାମାରୀକୁ ରୋକିବାକୁ କୋରୋନା ଟିକାର ଉଦ୍ଭାବନ ହୋଇ ସାରିଥିଲା । ଟିକା ଭାରତ ଭଳି ଜନ ବହୁଳ ରାଷ୍ଟ୍ରରେ ଜନତାଙ୍କ ମଧ୍ୟରେ ସମ୍ପୂର୍ଣ୍ଣ କରାଇବା ନେଇ ସରକାରଙ୍କ ପକ୍ଷରେ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ମହାନଗରରୁ ଛୋଟ ଛୋଟ ସହରରେ ପ୍ରଥମେ ଏହି କୋଭିଡ଼-୧୯ ଟୀକାକରଣ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା । ପରେ ଏହାକୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବ୍ୟାପକ କରାଯାଇଥିଲା ବେଳେ ୧୮ ବର୍ଷରୁ ଊର୍ଦ୍ଧ୍ବ ଯୁବବର୍ଗଙ୍କ ପାଇଁ ମଧ୍ୟ ଟୀକାକରଣ କରାଯାଇଥିଲା ।
ଏହି କୋଭିଡ଼ ଟୀକାକରଣ କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ଅନ୍ତର୍ଗତ ଆଦିମ ଜନଜାତି ଜୁଆଙ୍ଗଙ୍କୁ ସମ୍ପୂର୍ଣ୍ଣ କରାଇବା ଲାଗି ଜିଲ୍ଲା ପ୍ରଶାସନ ପାଇଁ ଥିଲା ଏକ ବଡ଼ ଚ୍ୟାଲେଞ୍ଜ । ପ୍ରଥମେ ଉକ୍ତ ଅଞ୍ଚଳରେ ସ୍ବେଚ୍ଛାସେବୀ ଓ ପ୍ରଶାସନ ପକ୍ଷରୁ ସଚେତନତା ଅଭିଯାନ କରାଯାଇଥିଲା । ପରେ ଗାଁ ଗାଁରେ କ୍ୟାମ୍ପ କରି କୋଭିଡ଼ ଟୀକାକରଣ କରାଯାଇଥିଲା । ପ୍ରଥମେ ଏହି ଟୀକାକରଣକୁ ନେଇ ଭ୍ରାନ୍ତ ଧାରଣା ଥିବାରୁ ଜୁଆଙ୍ଗ ଲୋକମାନେ ଟିକା ନେବା ପାଇଁ ଡରୁଥିଲେ । କିନ୍ତୁ ପରେ ସ୍ଥାନୀୟ ସ୍ବେଚ୍ଛାସେବୀଙ୍କ ସହାୟତାରେ ବ୍ୟାପକ ସଚେତନତା ପରେ ଅପହଞ୍ଚ ଥିବା ସମସ୍ତ ଜୁଆଙ୍ଗ ଗ୍ରାମରେ ଟୀକାକରଣ ପକ୍ରିୟା ଆରମ୍ଭ ହୋଇଥିଲା ।
ଏହି ପକ୍ରିୟା ପ୍ରଥମେ ବରାହାଗଡ଼ ପଞ୍ଚାୟତରେ ଆରମ୍ଭ ହୋଇଥିଲା । ପଞ୍ଚାୟତର ସାରିଆ ଗ୍ରାମ ସମ୍ପୂର୍ଣ୍ଣ ଟୀକାକରଣ ହୋଇଛି । ଗ୍ରାମର ୪୫୫ ଜନସଂଖ୍ୟା ଥିବା ୯୪ ଘର ମଧ୍ୟରୁ ୨୦୩ ଜଣଙ୍କ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି । ଗ୍ରାମର ୧୮ରୁ ଊର୍ଦ୍ଧ୍ବ ସମସ୍ତ ଯୁବବର୍ଗଙ୍କ ପ୍ରଥମ ଡୋଜ ଟୀକାକରଣ ହୋଇଥିବା ବେଳେ ବୟସ୍କଙ୍କ ଦ୍ବିତୀୟ ଡୋଜ ଟୀକାକରଣ ଶେଷ ହୋଇଛି । ଫଳରେ ଉକ୍ତ ଆଦିମ ଜନଜାତି ଜୁଆଙ୍ଗ ବହୁଳ ଗ୍ରାମ ସାରା ଭାରତରେ ଶତ ପ୍ରତିଶତ ଟୀକାକରଣ ହୋଇଥିବା ଗ୍ରାମ ହୋଇଛି ।
ଟିକା ନେବା ପରେ ଏବେ ନିଜସ୍ବ ଭାଷାରେ ଚାଙ୍ଗୁ ପିଟି ସଚେତନ କରିଛନ୍ତି ଏଠାକାରବାସୀ । ସମ୍ପୂର୍ଣ୍ଣ ଟୀକାକରଣ ପରେ ସେମାନେ ଖୁସି ବ୍ୟକ୍ତ କରିଛନ୍ତି । ଆଗାମୀ ଦିନରେ ସମସ୍ତ ଜୁଆଙ୍ଗ ଲୋକମାନେ ଟିକା ନେବା ନେଇ ଏମାନେ ସଚେତନତା ବାର୍ତ୍ତା ଦେଇଛନ୍ତି । ସାରିଆ ଗ୍ରାମର ସଫଳତା ପରେ ଅନ୍ୟ ସମସ୍ତ ଜୁଆଙ୍ଗ ଅଧିବାସୀଙ୍କୁ ଟୀକାକରଣ ଲକ୍ଷ୍ୟ ଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ