ଆନନ୍ଦପୁର: ରଜ ଓଡ଼ିଶାର ଏକ ପାରମ୍ପାରିକ ତଥା ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏନେଇ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକର ବାଲିପାଳ ଗାଁରେ ରଜପର୍ବ ଅତି ଜାକଜମକରେ ପାଳିତ ହୋଇଥାଏ । 15ଦିନ ପୂର୍ବରୁ ଏଥିପାଇଁ ଆରମ୍ଭ ହୋଇଥାଏ ପ୍ରସ୍ତୁତି । ପିଠାପଣା ପାଇଁ ଢିଙ୍କିକୁଟା, ଦୋଳି ପାଇଁ ପ୍ରସ୍ତୁତି ଏବଂ ଝିଅମାନଙ୍କର ରଜ ସଜବାଜ ଏବେ ଠାରୁ ଆରମ୍ଭ ହୋଇଗଲାଣି। ରଜ ପ୍ରସ୍ତୁତି ଏବେ ଏକ ପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ବୋହୁମାନେ ଢିଙ୍କି ଶାଳରେ ଭିଡ ଜମାଇଛନ୍ତି । କିଏ ଢିଙ୍କି କୁଟୁଛି ତ ଅନ୍ୟ କିଏ ପିଠାପଣା ପାଇଁ ଚୂନା ଚଲାଉଛି । ରଜରେ ଆରିସା, କାକରା, ମଣ୍ଡା, ପୋଡପିଠା ଆଦି ତିଆରି ପାଇଁ ଚାଲିଛି ପ୍ରସ୍ତୁତି। ସବୁଠି ରଜ 3ଦିନ ଧରି ପାଳନ କରାଯାଉଥିବା ବେଳେ ବାଲିପାଳ ଗାଁରେ କିନ୍ତୁ ଏହା 5 ଦିନ ଧରି ପାଳନ କରାଯାଇଥାଏ । ସେନେଇ ଏବେ ଝିଅ ବୋହୂମାନଙ୍କର ରଜପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
କେବଳ ବାଲିପାଳ ନୁହେଁ, ସାରା ରାଜ୍ଯର ବିଭିନ୍ନ ସ୍ଥାନ ରଜ ପାଇଁ ସରଗରମ। ଗାଁର ଯୁବକମାନେ ବିଭିନ୍ନ ପ୍ରକାର ଦୋଳି ତିଆରି କରିବାରେ ଲାଗି ପଡିଛନ୍ତି । ଦିନକୁ ଦିନ ଲୋପ ପାଇବାକୁ ବସିଥିବା ପରମ୍ପରାକୁ ଉଜ୍ଜିବିତ କରି ରଖିବାକୁ ଉଦ୍ୟମ କରୁଛନ୍ତି ଯୁବଗୋଷ୍ଠୀ। ଆଧୁନିକତାର ଜାକଜମକରେ ହଜିଯିବାକୁ ବସିଥିବା ଏହି ଗଣପର୍ବ ଗ୍ରାମାଞ୍ଚଳରେ ଆଜିବି ବଞ୍ଚିରହିଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ