ଆନନ୍ଦପୁର: କୂଳ ଲଙ୍ଘୁଛି ସାଳନ୍ଦୀ, ଚିନ୍ତାରେ ଦୁଇଟି ଗାଁର ଲୋକେ । କେତେବେଳେ ଯେ ଗାଁ ମୁହାଁ ହେବ ନଦୀ ତାକୁ ଭୟଭୀତ ହୋଇ ପଡିଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ବାଘୁଆ ନୂଆଗାଁର ଲୋକେ । କାହିଁ କେଉଁ କାଳରୁ ଗାଁ ନିକଟରେ ବହିଯାଉଛି ସାଳନ୍ଦୀ ନଦୀ | ନଦୀର ପ୍ରଖର ସ୍ରୋତ ଏବେ ଗାଁଲୋକଙ୍କ ପାଇଁ ସାଜିଛି ବିପଦ । ନଦୀ ନିଜର ଗତିପଥ ବଦଳାଇ ଏବେ କୂଳ ଖାଇବାରେ ଲାଗିଛି । ବିଗତ ଦିନରେ ନଦୀ ୨ଶହ ମିଟର ଗତିପଥ ବଦଳାଇ କୂଳ ଖାଇଯିବା ଫଳରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଆଉ ମାତ୍ର ୨୦ଫୁଟ ପରେ ନଦୀ ଗାଁ ଭିତରେ ପଶିଯିବ । ତାହା ଲୋକଙ୍କୁ ଏବେଠୁ ଜଳ ଜଳ ହୋଇ ଦେଖାଯାଉଛି ।
୧୯୯୯ ମହାବାତ୍ୟାରେ ସାଳନ୍ଦୀ ନଦୀ ଗାଁ ଭିତରେ ପଶିଯିବା ଯୋଗୁଁ ଲୋକେ ଦୀର୍ଘ ଦିନ ଧରି ଜଳବନ୍ଦୀ ହୋଇ ରହିଥିଲେ । ଏହାପରେ ନଦୀ ଗତିପଥ ବଦଳାଇ କ୍ରମଶଃ କୂଳ ଲଙ୍ଘିବାରେ ଲାଗିଛି । ବର୍ଷ ବର୍ଷ ଧରି ଏହି ୨ଟି ଗାଁର ୫ ଶହ ପରିବାର ଆଶା ଆଶଙ୍କାରେ କାଳ କାଟୁଛନ୍ତି । ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ହେଲେ କୈଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି । ସେପଟେ, ଆସନ୍ତାବର୍ଷ ଠାରୁ ବିହିତ ପ୍ରତିକାର କରାଯିବ ବୋଲି ଆଶ୍ବସନା ଦେଇଛନ୍ତି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ